Unknown

 

 

 

 

 

 

 

 

 

 

 

ସାଉଣ୍ଟା ଚାଙ୍ଗୁଡ଼ି

ଯନାଥନ ମହାନ୍ତି

 

 

 

 

 

 

ଏ ଚାଙ୍ଗୁଡ଼ିରେ ଯାହା ସାଉଣ୍ଟିଛି ତାହା ଅତି ସାଧାରଣ । ତଥାପି, ପୂଜାର ଉପକରଣସ୍ୱରୂପ ତାର ରୂପ ରସ ଗନ୍ଧ ଯଦି କାହାକୁ କିଛି ଆନନ୍ଦ ଦିଏ, ତାହାହେଲେ ଶ୍ରମ ସାର୍ଥକ ମଣିବି । ଇତି ।

 

ପେଟିନସାହି,

୧୫ । ୧୧ । ୩୯

ଗ୍ରନ୍ଥକାର

Image

 

ମୁଖବନ୍ଧ

 

‘ସାଉଣ୍ଟା ଚାଙ୍ଗୁଡ଼ି’ର ମୁଖବନ୍ଧ ଲେଖିବାର ଯୋଗ୍ୟତା ମୋର ନାହିଁ, କିନ୍ତୁ ଏ କାର୍ଯ୍ୟ ମୋ ନିକଟରେ କର୍ତ୍ତବ୍ୟ ହୋଇପଡ଼ିଛି, କାରଣ ଯନାଥନ ବାବୁ ମୋର ସହଯୋଗୀ; ଏବଂ ଭୌତିକ ତଥା ଆଧ୍ୟାତ୍ମିକ ଜଗତ୍‌ ସଂପର୍କରେ ତାହାଙ୍କର ଭାବନା ସହିତ ମୁଁ ଅଧିକାଂଶ ବିଷୟରେ ଏକ ମତ । ଅଧ୍ୟାପକ ଯନାଥନ ମହାନ୍ତି ଏଥିପୂର୍ବରୁ କେତେଖଣ୍ଡ ଉପାଦେୟ ପୁସ୍ତକ ରଚନା କରି ଉତ୍କଳ-ସାହିତ୍ୟ ପ୍ରଦେଶରେ ସୁଖ୍ୟାତି ଅର୍ଜି ଅଛନ୍ତି । ‘ସାଉଣ୍ଟା ଚାଙ୍ଗୁଡ଼ି’ ସେହି ଜାତୀୟ ପୁସ୍ତକ ଅଟେ । ନୀତି-ନିବଦ୍ଧ-ଗଳ୍ପ-ଛାୟାରେ ପୁସ୍ତକଟି ଲିଖିତ ଏବଂ ଏହାର ବିଶେଷତ୍ୱ ଏହି ଯେ ସେଥିରେ ବାସ୍ତବ ଜୀବନର ଚିତ୍ରଣ ପୁଣି ନୀତି ଆଦର୍ଶ ପ୍ରତି ଅନୁଧାବନ ପରିଷ୍କାର ଭାବରେ ବିବୃତ ହୋଇଅଛି । ଅଧ୍ୟାପକ ମହାଶୟଙ୍କ ମତରେ ବିଦ୍ୟମାନ ଜୀବନ କେବଳ ପାପରେ ଭରପୂର ନୁହେଁ, ତହିଁରେ ପୁଣ୍ୟର ରସ ଅଛି; ତାହା କେବଳ ପରିଦୃଶ୍ୟମାନ ବିଷୟ ନୁହେଁ, ତହିଁର ଅନ୍ତରାଳରେ ସତ୍ତା ଅଛି । ଦୃଶ୍ୟମାନ ଜଗତ ଭେଦ କରି ସତ୍ତାର ପରିଚୟ କିପରି ଆମ୍ଭେମାନେ ପାଇବୁଁ, ପାପର ସହିତ ସଂଗ୍ରାମରେ ପ୍ରବୃତ୍ତ ହୋଇ ପୁଣ୍ୟର ପରିମାଣ କି ପ୍ରକାରରେ ଆମ୍ଭେମାନେ ବଢ଼ାଇ ପାରିବୁଁ, ଏହାହିଁ ପୁସ୍ତକର ପ୍ରତିପାଦିତ ବସ୍ତୁ । ଧର୍ମ-ଜୀବନ କର୍ମ-ଜୀବନରୁ ବିଚ୍ଛିନ୍ନ ନୁହେଁ, ଅଧିକନ୍ତୁ ତାହା କର୍ମ-ଜଗତରେ ଗୃହସ୍ଥ ଜୀବନରେ ପ୍ରତିଭାତ ହୁଏ । ଆମ୍ଭମାନଙ୍କର ଜୀବନ ଅପୂର୍ଣ୍ଣ ହେଲେହେଁ ତାହା ପୂର୍ଣ୍ଣତା ପାଇଁ ଉଦ୍ଦିଷ୍ଟ; ଏବଂ ଏହି ଅପୂର୍ଣ୍ଣ ଜୀବନର ଯଥାର୍ଥ ପ୍ରୟୋଗରେ ଆମ୍ଭେମାନେ ସେହି ପୂର୍ଣ୍ଣତା ପାଇ ପାରିବୁଁ ।

 

ଅଧ୍ୟାପକ ମହାଶୟ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ମୁଖରେ ରଖି, ଖ୍ରୀଷ୍ଟୀୟ ଧର୍ମପୁସ୍ତକର ଆଦର୍ଶ ଅବଲମ୍ବନ କରି ବୃହତ୍ତର, ମହତ୍ତର ଜୀବନର ସୂଚନା ଏ ପୁସ୍ତକରେ ଦେଇଛନ୍ତି । ଏତଦ୍ୱାରା ଯେଉଁ ତଥ୍ୟ ପ୍ରକଟିତ ହେଉଅଛି ତାହା ଏହିକି ମାନବ ମୁକ୍ତି ପାଇବା ଆଶାରେ ନୀତି-ଅନୁଶାସନ-ମାତ୍ରାରେ ଆବଦ୍ଧ ରହି ନ ପାରେ, ଅଥବା ଗୋଟିଏ ଅମୂର୍ତ୍ତ ଅଜ୍ଞାତ ପଦାର୍ଥ ପ୍ରତି ଧାବମାନ ହୋଇ ନ ପାରେ । ଯେତେବେଳେ ଗୋଟିଏ ଆଦର୍ଶ-ଜୀବନ ଦିଗରେ ଆମ୍ଭେମାନେ ଗତି କରୁଥାଇଁ, ତେତେବେଳେ ପ୍ରଶ୍ନ ହୋଇ ପାରେ, ମୁଁ ଯେଉଁ ଆଦର୍ଶ ପ୍ରତି ଆକାଂକ୍ଷିତ, ସେ ଆଦର୍ଶ କେଉଁଠାରେ ଜୀବନ୍ତ ଭାବରେ ଅଛି କି ? ଯେବେ ନ ଥାଏ, ତେବେ ଲୋକମାନେ କହି ପାରନ୍ତି; ଏପରି ଲକ୍ଷ୍ୟାନୁଧାବନ ମରିଚିକାନୁଧାବନରେ ପରିଣତ ହୋଇପାରେ । ଅତଏବ ଜୀବନର ପ୍ରଗତି ପାଇଁ ଜୀବନ୍ତ ମୂର୍ତ୍ତିମନ୍ତ ଆଦର୍ଶ ଲୋଡ଼ା । ସେ ଆଦର୍ଶ କେହି ଯୀଶୁଙ୍କଠାରେ, କେହି ବୁଦ୍ଧଙ୍କଠାରେ, କେହିବା ପରମ-ହଂସଙ୍କଠାରେ ପାଇଥାନ୍ତି । ଏ ଅର୍ଥରେ ଯୀଶୁ ଖ୍ରୀଷ୍ଟ ଆଦର୍ଶ ଦେବତା । ସେ ଅଧ୍ୟାପକ ଯନାଥନଙ୍କର ‘Man-in-God’ ଓ ‘God-in-Man’ ଅଟନ୍ତି ।

 

‘ସାଉଣ୍ଟା ଚାଙ୍ଗୁଡ଼ି’ର ପରିଚୟ ଦେବାପାଇଁ ନିମ୍ନଲିଖିତ କେତୋଟି ବାକ୍ୟ ଉଦ୍ଧାର କରୁଅଛି–‘‘ଯାହା ହୋଇ ଯାଇଅଛି, ତାହା ବାସ୍ତବିକ ଅତୀତ ନୁହେଁ; ବର୍ତ୍ତମାନର ମଧ୍ୟ ଦେଇ ପରୋକ୍ଷଭାବରେ ତାହା ଭବିଷ୍ୟତକୁ ସ୍ୱରୂପ ଦେଉଛି ।’’

 

‘‘ମୁଁ କ୍ଷୁଦ୍ର ହେଲେହେଁ ମୋର ଆତ୍ମା ଅନନ୍ତ, କାରଣ ମୋର କର୍ମଫଳ ଅନନ୍ତ, ଆଶା ଓ ଆକାଙ୍କ୍ଷା ଅନନ୍ତ ।’’

 

‘‘ପୁରାତନ ପ୍ରତି ଯଦି ଆମ୍ଭେମାନେ ବିଶ୍ୱସ୍ତ ହେବାକୁ ଚାହୁଁ, ତାହାହେଲେ ସେହି ପୁରାତନ ସତ୍ୟକୁ ନୂତନ ଯେଉଁ ବେଶ ଯୋଗାଇଛି, ତାହା ତାହାକୁ ପରିଧାନ କରାଇବାକୁ ହେବ-।’’

 

‘‘ମାନବ-ପ୍ରୀତିର ଜନନୀ ହେଉଛି ଈଶ୍ୱରପ୍ରେମ ।’’

 

‘‘ଯାହା ଜୀବନର ସର୍ବଶ୍ରେଷ୍ଠ ଆଦର୍ଶ ନୁହେଁ, ତାହାର ଅନୁବର୍ତ୍ତୀ ହେଲେ ଜୀବନ ଶୀଘ୍ର ହେଉ ବା ବିଳମ୍ବରେ ହେଉ କ୍ଳାନ୍ତ ହେବଇ ହେବ ।’’

 

‘‘ଯୀଶୁଙ୍କ ଶିକ୍ଷା ଯୀଶୁଙ୍କ ବ୍ୟକ୍ତିତ୍ୱ-ମହତ୍ତ୍ୱରେ ମହୀୟାନ୍ ।’’

 

‘‘ଗୋଡ଼ ଟାଣ କରିବାର ଗୋଟିଏ ଉପାୟ ହେଉଛି ମାଟି କାଦୁଅକୁ ନ ଡରି ସେଥିରେ ଚାଲିବା ।’’

 

‘‘ଯୁବକ ପ୍ରକୃତିର ଗୋଟିଏ ବିଶେଷ ଗୁଣ ବା ଲକ୍ଷଣ ହେଉଛି ତାହାର ସ୍ୱପ୍ନମୟ ଅବେକ୍ଷଣ ।’’

 

‘‘ଖ୍ରୀଷ୍ଟଧର୍ମ ପରାଜିତର ଧର୍ମ ନୁହେଁ ।’’

 

‘‘ମନୁଷ୍ୟର ଜୀବନ କେବଳ ଭୌତିକ ନୁହେଁ, ନୈତିକ ମଧ୍ୟ ।’’

 

ପୁସ୍ତକର ନାମକରଣରେ ଟିକିଏ ବିଶେଷତ୍ୱ ଅଛି । ନାମ କେତେକ ସ୍ଥଳରେ ବସ୍ତୁ ସଂକେତର କାର୍ଯ୍ୟ କରିଥାଏ । କେତେକ ସ୍ଥଳରେ ତାହା ଅର୍ଥସୂଚକ ହୋଇଥାଏ । ‘ସାଉଣ୍ଟା ଚାଙ୍ଗୁଡ଼ି’ ଦ୍ୟୋତକ ନାମ, ପୁଣି ତଦ୍ୱାରା ଗୋଟିଏ ସାଧାରଣ ନାମ ବିଶିଷ୍ଟ ପଦାର୍ଥ ପ୍ରତି ବ୍ୟବହୃତ ହୋଇ ତହିଁ ସଙ୍ଗେ ଗ୍ରନ୍ଥକାରଙ୍କ ବିନୟ ପ୍ରକାଶ କରୁଅଛି । ଏହି ନାମ ସକାଶୁ କେହି ଯେମନ୍ତ ଭ୍ରମରେ ନ ପଡ଼ନ୍ତି ଯେ ଏହା ଏଠୁ ସେଠୁ ମନଇଚ୍ଛା ଗୋଟାଇ ଆଣିବା ବିଷୟ ଛଡ଼ା ଆଉ କିଛି ନୁହେଁ । ସାଉଣ୍ଟିବାରେ ବଛାବଛି କ୍ରିୟା ଅଛି, ମଧ୍ୟ ସଜାଇବା ଗୁନ୍ଥିବା ଅର୍ପିବାରେ ବିଶିଷ୍ଟତା ଅଛି ।

 

ଲେଖା ଗୁଡ଼ିକରୁ ଅଧ୍ୟାପକ ମହାଶୟଙ୍କର ବ୍ୟବହାରିକ ଜୀବନର କିଛି କିଛି ସଂକେତ ଆମ୍ଭେମାନେ ପାଇଥାଉଁ । ବ୍ୟବସାୟରେ ନିଯୁକ୍ତ ଥିଲେ ମଧ୍ୟ ସେ ଜୀବନରେ ଯେ ସଂଯମ ଅଛି, ତାହା ଅନାୟାସରେ କୁହାଯାଇ ପାରେ । ଲେଖକ ନିଜ ଲେଖାରେ ପ୍ରତିବିମ୍ବିତ ହୁଏ । ଏଠାରେ ଲେଖକଙ୍କ ସମ୍ବନ୍ଧରେ ମୋର ଅଧିକ କହିବାର ନାହିଁ । ମୋର କହିବା ଉଚିତ, ପୁସ୍ତକରେ ଅନେକ ଶିଖିବାର ପଦାର୍ଥ, ଅନେକ ଗୂଢ଼ସତ୍ୟ ନିବିଷ୍ଟ ଅଛି । ସାମୟିକ ଜୀବନ ଉପରେ ଚିରନ୍ତନ ସତ୍ୟର ପ୍ରଭାବ ପ୍ରଦର୍ଶିତ ହୋଇଅଛି । ମୋର ବିଶ୍ୱାସ ପୁସ୍ତକଟି ଦୈନନ୍ଦିନ ଜୀବନଯାତ୍ରା ପକ୍ଷରେ ସାହାଯ୍ୟ କରିବ, ପୁଣି ଉତ୍ତମତର ଜୀବନ ସଂଗଠନରେ ବିଶେଷ ଭାବରେ କାର୍ଯ୍ୟକାରୀ ହେବ ।

 

ବାଖରାବାଦ,

କଟକ,

୨୬ । ୯ । ୩୯

ଶ୍ରୀ ବିପିନବିହାରୀ ରାୟ

Image

 

ସୂଚୀପତ୍ର

 

୧.

ନବବର୍ଷ ଭାବନା

୨.

ଦୀନତା

୩.

ନିଷେଧ

୪.

ପ୍ରଭୁଙ୍କର ବିଚାର

୫.

ଧର୍ମରେ ରକ୍ଷଣଶୀଳତା

୬.

ଧର୍ମ ଓ ବ୍ୟକ୍ତିଗତ ଅନୁଭୂତି

୭.

ଧର୍ମର ବ୍ୟବହାରିକ ମୂଲ୍ୟ

୮.

ଖ୍ରୀଷ୍ଟଧର୍ମରେ ଲୋକସେବା

୯.

ପରାଜୟର ଭୟ

୧୦.

ପୁନରୁତ୍ଥାନ ପ୍ରଭାତ

Image

 

ନବବର୍ଷ ଭାବନା

 

ପୁରାତନ କଣ, ନୂତନ ବା କଣ ? ଏ ସଂସାରରେ ସମସ୍ତ ପୁରାତନ, ସମସ୍ତହିଁ ନୂତନ । ଏକାବେଳେକେ ପୁରାତନ କିଛି ନାହିଁ, ଏକାବେଳେକେ ନୂତନ ମଧ୍ୟ କିଛି ନାହିଁ । କାରଣ, ଏପ୍ରକାର କିଛି ନାହିଁ, ଯାହା ନ ଥିଲା । ଯାହା ଅଛି ତାହା ଅନ୍ୟ ପ୍ରକାରରେ ବାରମ୍ବାର ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୁଏ । ସେହି ଚିର ପୁରାତନ ଧ୍ୱଂସ ଓ ପ୍ରାଦୁର୍ଭାବର ନାନା ବିବର୍ତ୍ତନ ମଧ୍ୟଦେଇ ନିତ୍ୟ ନୂତନଭାବରେ ଆମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଉଅଛି । ସମସ୍ତ ଏକ, ଅନେକ କେବଳ ସେହି ଏକର ଅବସ୍ଥାନ୍ତରର ବିକାଶ । ଭୂତ କିଛି ନୁହେଁ, ଭବିଷ୍ୟତ୍ କିଛି ନୁହେଁ, ସମସ୍ତ ବର୍ତ୍ତମାନ । କାର୍ଯ୍ୟ କେତେବେଳେ ନଷ୍ଟ ହୁଏ ନାହିଁ । ଭବିଷ୍ୟତରେ ଯାହା ହୁଏ, ତାହା କେବେ ଏକାବେଳେକେ ନୂତନ ହୁଏ ନାହିଁ । ଯାହା ହୋଇଯାଇ ଅଛି ତାହା ବାସ୍ତବିକ ଅତୀତ ନୁହେଁ, ବର୍ତ୍ତମାନର ମଧ୍ୟଦେଇ ପରୋକ୍ଷଭାବରେ ତାହା ଭବିଷ୍ୟତ୍‌କୁ ସ୍ୱରୂପ ଦେଉଛି । ଅତଏବ ବର୍ଷ, ମାସ, ଦିନ, ଭୂତ ଓ ଭବିଷ୍ୟତ୍ ପ୍ରଭୃତି ଏହି ବିଭାଗ ସମସ୍ତ ମହାବର୍ତ୍ତମାନର ଅଂଶ ବିଶେଷ । ମନୁଷ୍ୟର ଜୀବନ ସୀମାବଦ୍ଧ ହେବାରୁ ନିରବଚ୍ଛିନ୍ନ ଏହି ଅନନ୍ତ ଶୃଙ୍ଖଳର ଗୋଟିଏ ଗୋଟିଏ ଅଂଶ କେବଳ କ୍ରମେ କ୍ରମେ ତାହାର ଦୃଷ୍ଟିଗୋଚର ହେଉଥାଏ । ଯେଉଁ ଅଂଶ ଦୃଷ୍ଟିଗୋଚର ହେଉଥାଏ, ତାହାକୁ ସେ ବର୍ତ୍ତମାନ, ଯେଉଁ ଅଂଶ ଦୃଷ୍ଟିର ବହିର୍ଭୂତ ହେଉଥାଏ ତାହାକୁ ସେ ଅତୀତ, ଏବଂ ଯାହା ଦେଖାଯାଇ ନ ଥାଏ ତାହାକୁ ସେ ଭବିଷ୍ୟତ୍ କୁହେ । କିନ୍ତୁ ଅନନ୍ତର ସତ୍ତା ମନୁଷ୍ୟଠାରେ ଥିବାରୁ ସମୟ ସମୟରେ ସେ ତାହାର ସୀମାବଦ୍ଧ ବ୍ୟକ୍ତିତ୍ୱର ଗଣ୍ଡି ଅତିକ୍ରମ କରି କ୍ଷଣକ ନିମିତ୍ତ ଦେଶକାଳାତୀତ ଅନନ୍ତ ଆଡ଼କୁ ଉଠିଯାଏ ଓ ସେହି ମହାବର୍ତ୍ତମାନ ମଧ୍ୟରେ ସମସ୍ତ ବିଷୟର ଅବସ୍ଥାନ ଚପଳା ଚମକ ପରି କ୍ଷଣକ ନିମିତ୍ତ ଦର୍ଶନ କରେ । ଏହି ଦିବ୍ୟ ଦର୍ଶନ ସର୍ବଦା ନ ମିଳିବାରୁ ମନୁଷ୍ୟ ଅବସ୍ଥା ପରିବର୍ତ୍ତନରେ ଅଧୀର ହୁଏ–ସୁଖରେ ଉନ୍ମତ୍ତ, ଦୁଃଖରେ ଅଭିଭୂତ ହୋଇ ପଡ଼େ ।

 

ପୁରାତନ ନୂତନତ୍ୱ ଗ୍ରହଣ କରେ କାହିଁକି ? କାହିଁକି ପ୍ରାଣପ୍ରବାହ ତରୁଲତା, ପଶୁପକ୍ଷୀ, କୀଟପତଙ୍ଗ ଓ ମନୁଷ୍ୟ ପ୍ରଭୃତି ଶତ ବିବର୍ତ୍ତନରେ ପ୍ରକାଶିତ ହେଉଅଛି ? ଏତେ ଭେଦାଭେଦର ସୃଷ୍ଟି କାହିଁକି ? ସେହି ନିତ୍ୟ ଏତେ ଅନିତ୍ୟ ବିବର୍ତ୍ତନରେ, ସେହି ଅପରିବର୍ତ୍ତନୀୟ ଏତେ ପରିବର୍ତ୍ତନ ମଧ୍ୟରେ କାହିଁକି ଯାତାୟାତ କରୁଅଛି ? ଉତ୍ତର–କେବଳ ଆପଣାକୁ ପ୍ରକାଶ କରିବାକୁ, ଆପଣାକୁ ବ୍ୟକ୍ତ କରିବାକୁ, ବିଶ୍ୱରେ ନିଜ ଅସ୍ତିତ୍ୱର ଚେତନା ବା ଜ୍ଞାନ ପ୍ରଦାନ କରିବାକୁ । ପରିବର୍ତ୍ତନ ଚେତନାର ମୂଳ । ମନୋବିଜ୍ଞାନରେ ଏହାକୁ Relativity of Consciousness କହନ୍ତି । ପରିବର୍ତ୍ତନ ନ ଥିଲେ, ଭେଦାଭେଦ ନ ଥିଲେ ଲୋକଙ୍କର ଚେତନା ହୁଅନ୍ତା ନାହିଁ, ଲୋକେ ବସ୍ତୁବିଶେଷର ସ୍ୱରୂପଜ୍ଞାନ ପାଆନ୍ତେ ନାହିଁ । ସମସ୍ତ ଆସ୍ୱାଦ ଯଦି ମିଷ୍ଟ ହୋଇଥାନ୍ତା, ଲୋକେ ମିଷ୍ଟର ମିଷ୍ଟତ୍ୱ ଅନୁଭବ କରିପାରନ୍ତେ ନାହିଁ । ଅତଏବ ମନୁଷ୍ୟ ଯେପରି ସେହି ମହାତତ୍ତ୍ୱର ଦର୍ଶନ ପାଇବ, ସେହି ଇନ୍ଦ୍ରିୟାତୀତର ବାସ୍ତବଜ୍ଞାନ ଲାଭ କରିବ, ଏଥି ନିମିତ୍ତ ସେହି ଅନନ୍ତ ଅସୀମ ସୀମା ମଧ୍ୟରେ, ସେହି ଅତି-ପ୍ରକୃତି ପ୍ରକୃତି ଭିତରେ, ରୂପ ରସ ଗନ୍ଧ ସ୍ପର୍ଶ ପ୍ରଭୃତି ଯାବତୀୟ ଅବସ୍ଥାରେ ଆପଣାକୁ ବାରମ୍ବାର ପ୍ରକାଶ କରୁଅଛି ।

 

ଲୋକସାଧାରଣ ଏହା ବୁଝନ୍ତି ନାହିଁ, ବିଶ୍ୱର ସମସ୍ତ କାର୍ଯ୍ୟର ଅନ୍ତରାଳରେ ଯେଉଁ ମହାକାରଣ ବିଦ୍ୟମାନ ତାହା ସେମାନେ ଦେଖନ୍ତି ନାହିଁ । ବାୟୁ ବହୁଅଛି, ଅଗ୍ନି ଜଳୁଅଛି, ନଦୀ ପ୍ରବାହିତ ହେଉଅଛି, ସୂର୍ଯ୍ୟର ଉଦୟ ଓ ଅସ୍ତଗମନ ଘଟୁଅଛି, ବିଦ୍ୟୁତର ଅନ୍ତଃସ୍ରୋତ ଚତୁର୍ଦ୍ଦିଗରେ ପ୍ରବାହିତ ହେଉଅଛି, ଅଙ୍କୁରୋଦ୍ଗମ, ତା’ପରେ ବୃକ୍ଷ, ପୁଷ୍ପ, ଫଳ ସମସ୍ତହିଁ ଘଟୁଅଛି ଏବଂ ଏ ସମସ୍ତ ପ୍ରତ୍ୟହ ଲୋକସାଧାରଣଙ୍କର ଦୃଷ୍ଟିଗୋଚର ହେଉଅଛି । ସେମାନେ ପ୍ରକୃତିର ଏ ସମସ୍ତ ଘଟଣା ଦେଖନ୍ତି, କିନ୍ତୁ ଏହା ବ୍ୟତୀତ ଆଉ କିଛି ଦେଖନ୍ତି ନାହିଁ, ଏ ସବୁର ଭିତର ଦେଇ ଅନ୍ୟ କିଛି ଦେଖନ୍ତି ନାହିଁ । ସେମାନଙ୍କ ନିକଟରେ ଏ ସବୁ କେବଳ ନାମରେ ସାର । ଏ ସବୁରେ ସେମାନେ କୌଣସି ଆଶ୍ଚର୍ଯ୍ୟର ଦର୍ଶନ ପାଆନ୍ତି ନାହିଁ । ଏ ଭ୍ରମ ସର୍ବସାଧାରଣ, ଆମ୍ଭମାନଙ୍କ ସମସ୍ତଙ୍କର । ଶ୍ରାବଣର ମେଘନିବିଡ଼ ଆକାଶରେ ବିଦ୍ୟୁତ ଚମକି ଉଠେ, ଘନ ବାରିଦଜାଲ ବିଦୀର୍ଣ୍ଣ କରି ପୃଥିବୀ ସମ୍ମୁଖରେ କ୍ଷଣକ ନିମିତ୍ତ ବିଶ୍ୱର ଏକ ଗୁପ୍ତଦ୍ୱାର ଖୋଲିଦିଏ । ପୌରାଣିକ ଯୁଗରେ ବିଦ୍ୟୁତ ବା ବଜ୍ରର ଏ ଶକ୍ତି ଦେଖି ଲୋକେ ଏପ୍ରକାର ବିସ୍ମୟାଭିଭୂତ ହେଉଥିଲେ ଯେ ସେମାନଙ୍କର ଜ୍ଞାନାତୀତ ଏହି ବିଷୟକୁ ସେମାନେ ଦେବତା ରୂପରେ ପୂଜା କରୁଥିଲେ; କିନ୍ତୁ କବି ବ୍ୟତୀତ ଆମ ସମସ୍ତଙ୍କୁ ବର୍ତ୍ତମାନର ବିଜ୍ଞାନ ଏପ୍ରକାର ଜଡ଼ବାଦୀ ଓ ଅନ୍ଧ କରିଅଛି ଯେ ବିଦ୍ୟୁତ ସ୍ଫୂରଣ ଦେଖିଲେ ଆମ୍ଭମାନଙ୍କ ମନରେ କୌଣସି ଅଧ୍ୟାତ୍ମଭାବ, କୌଣସି ବିସ୍ମୟର ଉଦ୍ରେକ ହେବା ଦୂରେ ଥାଉ, ବରଂ ବିଦ୍ୟୁତ ବିଷୟରେ ଯଦି କେତେବେଳେ ଭାବୁଁ, ଭାବୁଁ କେବଳ ସେ ଆମ୍ଭମାନଙ୍କର ଗାଡ଼ି ଟାଣେ, ପଙ୍ଖା ବୁଲାଏ, ଭାତ ରାନ୍ଧି ଦିଏ; ଅଥବା ବିଦ୍ୟୁତ ସମ୍ବନ୍ଧରେ କଥା ଉଠିଲେ ଗୋଟାଏ ସଜ୍ଞା ଦେଇ ପକାଉଁ–ଯେପରି କି ବିଦ୍ୟୁତର ନାମକରଣ ତାହାର ସ୍ୱରୂପ ନିର୍ଣ୍ଣୟ ନିମିତ୍ତ ଯଥେଷ୍ଟ । ବାଟରେ ଗଲାବେଳେ ଦେଖୁଁ ଗୋଡ଼ ପାଖରେ ଫୁଲଟିଏ ଫୁଟିଛି । ଯଦିବା ଆଖିରେ ଦେଖିବାକୁ ଗୋଡ଼ିମାଟିରେ ତିଆରି ଏହି ପୃଥିବୀ ବନ୍ଧୁର ଓ କର୍କଶ, ତଥାପି ଅନ୍ୟପକ୍ଷରେ ସଂସାରର ସମସ୍ତ ବିଷୟ ପରି ପୃଥିବୀ ମଧ୍ୟ ଯେ ସୁନ୍ଦର ତାହା ଦେଖାଇବା ପାଇଁ ସେ ଏ ପୁଷ୍ପର ଗବାକ୍ଷ ଆମ୍ଭମାନଙ୍କ ସମ୍ମୁଖରେ ମେଲି ଦେଇଛି । ତାହା ନ ହେଲେ ଏଡ଼େ ସୁନ୍ଦର ଫୁଲ ସେ କାହୁଁ ଉତ୍ପନ୍ନ କରନ୍ତା ? ଫୁଲକୁ ଦେଖିଲେ ଆମ୍ଭମାନଙ୍କ ଚକ୍ଷୁ ବିଶ୍ୱରେ ଅନନ୍ତ ରୂପଙ୍କର ଯେଉଁ ଅଧିବାସ ବିଦ୍ୟମାନ ତାହାର ସଂକେତ ପାଏ ନାହିଁ । ଆମ୍ଭେମାନେ କେବଳ ଫୁଲର ବୈଜ୍ଞାନିକ ରାସାୟନିକ ପ୍ରଭୃତି ବିଶ୍ଳେଷଣରେ ବ୍ୟସ୍ତ ହେଉଁ, ଏବଂ ଫୁଲ ସମ୍ବନ୍ଧରେ ଏହାହିଁ ଆମ୍ଭମାନଙ୍କର ଶ୍ରେଷ୍ଠ ଧାରଣା ।

 

ଯେତେବେଳେ ଦେଖୁଁ ଗୋଟିଏ ବର୍ଷ ଅତୀତ ହେଲା, ନୂଆବର୍ଷ ଆରମ୍ଭ ହେଲା ଆମ୍ଭେମାନେ କହୁଁ ‘କିମାଶ୍ଚର୍ଯ୍ୟଂ’ ? –ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଦିନ ଆସୁଛି, ଦିନ ଯାଉଛି; ବର୍ଷ ପରେ ବର୍ଷ, ମାସ ପରେ ମାସ ଆସୁଛି, ଯାଉଛି; ଏଥିରେ ଆଶ୍ଚର୍ଯ୍ୟ କ’ଣ ? ଯାହା ପ୍ରାକୃତିକ ନିୟମର ଅନ୍ତର୍ଗତ ନୁହେଁ ଏପ୍ରକାର କୌଣସି ଅଶ୍ରୁତପୂର୍ବ, ଅଦୃଷ୍ଟପୂର୍ବ, ଅତିପ୍ରାକୃତ ଘଟନାର ଯଦି ସଂଘଟନ ହୁଏ, ତେବେ ତାହାହିଁ କେବଳ ଆମ୍ଭମାନଙ୍କ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ ବୋଲି ପ୍ରତିଭାତ ହୁଏ; କିନ୍ତୁ ଏ କଥା କେବେ ଭାବୁ ନାହିଁ ଯେ ଯାହାକୁ ଅତିପ୍ରାକୃତିକ ବୋଲି ମନେ କରୁଁ ତାହା ଯେ ପ୍ରକୃତି ନିୟମର ଅଧୀନ ନୁହେଁ ତାହାର ପ୍ରମାଣ କ’ଣ ? ଈଶ୍ୱର ଯେତେବେଳେ ଜଗତର ପତ୍ତନ କରିଥିଲେ ସେତେବେଳେ କ’ଣ କୌଣସି ବୈଜ୍ଞାନିକଙ୍କୁ ତାଙ୍କ ସଙ୍ଗରେ ନେଇ ପ୍ରକୃତି ବା ସଂସାରର ସମସ୍ତ ନିୟମ ବୁଝାଇ ଦେଇଥିଲେ ? ଅଥବା, ପ୍ରକୃତିର ଯେଉଁସବୁ ନିୟମ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଅଛି ତାହାଛଡ଼ା ପ୍ରକୃତିର ଯେ ଅନ୍ୟ କୌଣସି ନିୟମ ନାହିଁ, ଏହାର ପ୍ରମାଣ କ’ଣ ? ଅତଏବ ଏ ସଂସାରରେ ଯାହା ଯାହା ଘଟେ ତାହା ମଧ୍ୟରୁ କୌଣସିଟା ଶୁଦ୍ଧ ଅତିପ୍ରାକୃତିକ ନୁହେଁ । ପ୍ରକାରାନ୍ତରରେ କହିଲେ ପ୍ରାକୃତିକ ଓ ତଥାକଥିତ ଅତିପ୍ରାକୃତିକ, ସମସ୍ତହିଁ ଅତିପ୍ରାକୃତିକ, ସମସ୍ତ ଆଶ୍ଚର୍ଯ୍ୟଜନକ, ସମସ୍ତ ବିସ୍ମୟାବହ । ସାଧାରଣରେ ଅସାଧାରଣ ଦର୍ଶନ, ପ୍ରାକୃତିକରେ ଅତିପ୍ରାକୃତିକ ଦର୍ଶନ ଯଥାର୍ଥ ଆଶ୍ଚର୍ଯ୍ୟଦର୍ଶନ । କେବଳ ଅଭ୍ୟାସ ଓ ତଜ୍ଜନିତ ସଂସ୍କାର ହେତୁରୁ ଆମ୍ଭେମାନେ ଏ ଦର୍ଶନ ପାଉନାହିଁ । କୌଣସି ବିଷୟର ପ୍ରଥମ ଦର୍ଶନରେ ପ୍ରାଣରେ ଯେପ୍ରକାର କୌତୂହଳ ଓ ବିସ୍ମୟର ଉଦ୍ରେକ ହୁଏ, ତାହା ପରେ ତାହାର ଶତ ଦର୍ଶନରେ ସେପରି ହୁଏ ନାହିଁ, ବରଂ ଯେତେ ଅଧିକ ଦେଖାଯାଏ ତାହାର ନୂତନତ୍ୱ ଓ ବିସ୍ମୟକାରିତା ତେତିକି କମିଯାଏ । ସୂର୍ଯ୍ୟର ତ ପ୍ରତିଦିନ ଉଦୟ ଓ ଅସ୍ତ ଘଟୁଅଛି, କିନ୍ତୁ କାହିଁ, ମୁଁ ତହିଁରେ କବିମନମୋହିନୀ ଶୋଭାର ଦର୍ଶନ ପାଏ ନାହିଁ ? ପାଏ ନାହିଁ କେବଳ ଅଭ୍ୟାସ ହେତୁରୁ । ଅବଶ୍ୟ ଏ ଅଭ୍ୟାସ ମଙ୍ଗଳ ଓ ଅମଙ୍ଗଳ ଉଭୟ ଆନୟନ କରେ । ପ୍ରତିଦିନ ସୂର୍ଯ୍ୟୋଦୟ ଦେଖି ଭାବାଭିଭୂତ ହେଲେ ଦିନଯାକର କାର୍ଯ୍ୟ ଚଳିବ ନାହିଁ । ଏହିଠାରେ ଅଭ୍ୟାସ ମଙ୍ଗଳଜନକ । ତେଣୁ ଲୋକ ସଚରାଚର ସାଧାରଣରେ ଅସାଧାରଣର ଦର୍ଶନ ପାଏ ନାହିଁ । କିନ୍ତୁ କେତେକ ବିଶେଷ ସମୟ ଅଛି ଯାହା ଏହି ଦିବ୍ୟଦର୍ଶନ ପକ୍ଷରେ ଅନୁକୂଳ । ସମୟ ଆସେ, ଯେତେବେଳେ କ୍ଷଣକ ପାଇଁ ହେଲେ ବିଶ୍ୱର ଅନ୍ତର ଉନ୍ମୁକ୍ତ ହୋଇଯାଏ, ଲୋକଚକ୍ଷୁରୁ ଅଭ୍ୟାସ ଓ ସଂସ୍କାରର ମୋହ ଆବରଣ ଖସିପଡ଼େ, କ୍ଷଣକ ନିମିତ୍ତ ପ୍ରକୃତିର ଆଶ୍ଚର୍ଯ୍ୟଜନକ ଅଭିନୟ ଆଗରେ ଝୁଲୁଥିବା ପରଦା ଆଖି ଆଗରୁ ଉଠିଯାଏ । ବୁଦ୍ଧିମାନ୍ ସେହି ବ୍ୟକ୍ତି ଯେ ସେ ସମୟରେ ଚକ୍ଷୁ ଉନ୍ମୀଳନ କରି ଦେଖେ-

 

ଆଜି ସେହି ସମୟ ଉପସ୍ଥିତ । ଆଜି ବର୍ଷର ସେହି ଦିନ, ସେହି ଆଶ୍ଚର୍ଯ୍ୟଦର୍ଶନର ସମୟ । ବସ୍ତୁତଃ ବର୍ଷର ଅନ୍ୟାନ୍ୟ ଦିନ ଓ ଆଜି ଦିନ ଏ ସମସ୍ତେ ଏକ, ତଥାପି ଲୋକଦୃଷ୍ଟିରେ ଆଜି ଏକ ବିଶେଷ ଦିନ । ଅବଶ୍ୟ ବର୍ଷର କୌଣସି ଦିନ ଇତର ନୁହେଁ, ସମସ୍ତହିଁ ବିଶେଷ; କିନ୍ତୁ ଲୋକେ ସଚରାଚର ତାହା ଭାବନ୍ତି ନାହିଁ । କେବଳ ବର୍ଷର ଏହି ଦିନଉପସ୍ଥିତ ହେଲେ ଦିନମାନର ବିଶେଷତ୍ୱ ବିଶେଷଭାବରେ ଅନୁଭବ କରନ୍ତି । ଆଜି ବର୍ଷର ଏହି ଆଦ୍ୟ ଦିନରେ ଅତୀତର ସୁଖଦୁଃଖର ସ୍ମୃତି ଓ ଭବିଷ୍ୟତ୍‌ର କଳ୍ପନା ଜଳ୍ପନା ସମସ୍ତ ମିଶି ପ୍ରାଣରେ ଏକ ହର୍ଷବିଷାଦ ଆନୟନ କରେ । ଅତଏବ ଆସ, ପ୍ରାଣରେ ଏହି ଗଭୀରଭାବ ଜାଗ୍ରତ ଥାଉଁ ଥାଉଁ ଆଜି ଥରେ ସେହି ବିଶ୍ୱନିୟନ୍ତାଙ୍କ ଦିବ୍ୟଦର୍ଶନ ନିମିତ୍ତ ତାଙ୍କ ନିକଟରେ ହାତଯୋଡ଼ି ଛିଡ଼ା ହେଉଁ, ଏବଂ କହୁଁ–

 

ହେ ପ୍ରଭୋ,

 

ଆଜି ମୋର ମୋହ ଆବରଣ ଉନ୍ମୋଚନ କର, ମୋର ଚକ୍ଷୁ ସମ୍ମୁଖରୁ ଅଭ୍ୟାସ ଓ ସଂସ୍କାରର ଘନ ଯବନିକା ଅପସାରିତ କର । ଆଜି ଏହି ଶୁଭଦିନରେ ମୋର ପାରିପାର୍ଶ୍ୱିକ ବିଷୟମାନଙ୍କ ମଧ୍ୟଦେଇ, ପ୍ରଭୁ, ମୋତେ ତୁମ୍ଭର ଆଶ୍ଚର୍ଯ୍ୟଦର୍ଶନ ଦିଅ, ତୁମ୍ଭର ଅନ୍ତରର ଆଗାର ମୋ ସମ୍ମୁଖରେ ଖୋଲି ଦିଅ । ବିଶ୍ୱମନ୍ଦିରରେ, ପ୍ରଭୁ, ଆଉ ଲୁକ୍କାୟିତ ରୁହ ନା, ଦ୍ୱାର ଖୋଲି ଦିଅ, ମୁଁ ତୁମ୍ଭଙ୍କୁ ପ୍ରାଣ ପୂର୍ଣ୍ଣ କରି ଦେଖେଁ । ଆଜି ମୋତେ ମୋର କ୍ଷୁଦ୍ର ବ୍ୟକ୍ତିତ୍ୱର ଗଣ୍ଡିରୁ ବାହାର କରି ଆଣ, ବିଶ୍ୱପ୍ରାଣ ଦିଅ । ମୁଁ ଯେମନ୍ତ ଟିକିଏ ତୁମ୍ଭର ଅନନ୍ତ ସତ୍ତାର ଆଭାସ ପାଇବି, ଏଥିପାଇଁ ଆଜି ମୋତେ କ୍ଷଣକ ନିମିତ୍ତ ସମୟର ଭେଦ ବିଚାର ଭୁଲାଇ ଦିଅ, ଭୂତ ଭବିଷ୍ୟତ୍‌ ବର୍ତ୍ତମାନ ଭୁଲାଇ ଦିଅ । ହେ ଚିର ପୁରାତନ, ହେ ନିତ୍ୟ ନୂତନ, ‘ତୁମ୍ଭେ ତ ଅଛ, ସେହିପରି ଅଛ’ କେବଳ ପୁଷ୍ପର ହାସ୍ୟରେ, ତରଙ୍ଗିଣୀର କଳତାନରେ, ପକ୍ଷୀର ଗାନରେ, ମାନବର ଉଦ୍ୟମରେ ନିତ୍ୟ ନୂତନ ଭାବରେ ଆପଣାକୁ ପ୍ରକାଶ କରୁଅଛ । ତୁମ୍ଭେ ଅନନ୍ତ, ମୁଁ କ୍ଷୁଦ୍ର ହେଲେହେଁ ମୋର ଆତ୍ମା ଅନନ୍ତ, କାରଣ ମୋର କର୍ମଫଳ ଅନନ୍ତ, ଆଶା ଓ ଆକାଙ୍କ୍ଷା ଅନନ୍ତ । ସେଥିନିମିତ୍ତ ପ୍ରାର୍ଥନା କରୁଅଛି, ଯେଉଁଠାରେ ଅତୀତର ଦୁଃଖ ଓ ଭବିଷ୍ୟତର ସୁଖ କାର୍ଯ୍ୟକାରଣ ପରମ୍ପରାରେ ଏକ ଅନନ୍ତ ଶୃଙ୍ଖଳରେ ବିଦ୍ୟମାନ, ଯେଉଁଠାରେ ଜନ୍ମ ମୃତ୍ୟୁ ବିଶ୍ୱଜନୀନ ସେହି ଅନନ୍ତ ପ୍ରାଣପ୍ରବାହର ବିବର୍ତ୍ତନ ମାତ୍ର, ଯେଉଁଠାରେ ସର୍ବଗ୍ରାସୀ ମହାସମରର ଆପାତ ବିଭୀଷିକା ଓ ତାହାର ଶାଶ୍ୱତ କଲ୍ୟାଣ, ମଳିନତା ପଙ୍କ ଓ ତହିଁରୁ ବିବର୍ତ୍ତିତ ପଙ୍କଜ ଏକାଧାରରେ ବିଦ୍ୟମାନ, ସେହି ଭୂତ ଭବିଷ୍ୟତର ଅତୀତ ମହା-ବର୍ତ୍ତମାନର ରାଜ୍ୟକୁ ମୋତେ ଘେନି ଯାଅ । ଆଜି ବର୍ଷର ଏହି ଆଦ୍ୟ ଦିନରେ ମୋର ଏହି ଅନାହତ ହୃଦୟବୀଣା ତୁମ୍ଭେ ବଜାଅ, ତାହାହେଲେ ମୋର ଯାବତୀୟ ଦୁଃଖଦୈନ୍ୟ ମଧ୍ୟରେ ତୁମ୍ଭର ସ୍ପର୍ଶ-ସ୍ପନ୍ଦନ, ତୁମର ଝଙ୍କାର ମୋର ଜୀବନରୁ ଉତ୍ଥିତ ହେବ ।

Image

 

ଦୀନତା

 

ଦୟାମୟ କେତେ ଯେ ଦେଲେଣି ଏବଂ କେତେ ଯେ ଦେଉଛନ୍ତି ତାର ଇୟତ୍ତା ନାହିଁ ; କିନ୍ତୁ ତଥାପି ପ୍ରାଣର ଦୀନତା ଯାଏ ନାହିଁ । ଲୋକ ଜଗତରେ ଧନ, ମାନ, ଜ୍ଞାନ ସବୁ ଚାହେଁ; ଦାରା, ପୁତ୍ର, ପରିବାର କାମନା କରେ । ଏସବୁ ଅଳ୍ପ ବହୁତ ମିଳେ, କିନ୍ତୁ ସୁଖ କାହିଁ ? ତୃପ୍ତି କାହିଁ-? ଲୋକ ଦେଖନ୍ତି ଧନ ବଢ଼ି ଉଠୁଛି, ସ୍ତୂପାକାର ହେଉଛି । ହାୟରେ, ଦେଖନ୍ତି ନାହିଁ କେବଳ ଜୀବନର ଯେଉଁ ଅଂଶ ଭାଙ୍ଗି ଏ ସ୍ତୂପ ଗଢ଼ି ଉଠୁଛି, ଶୁଣନ୍ତି ନାହିଁ ସେହି ସ୍ତୂପ ତଳେ ଚାପିହୋଇ ରହିଛି ଓ କ୍ଷୀଣହୋଇ ଆସୁଛି ପ୍ରାଣର ଯେଉଁ କାତର କ୍ରନ୍ଦନ । ଲୋକ ଜ୍ଞାନ ଲାଭ କରେ, କିନ୍ତୁ ପରିଶ୍ରମ ଓ ପରିଶ୍ରମର ଅବସାଦରୁ ଅବ୍ୟାହତି ପାଏ ନାହିଁ । ମାନ ? ଲୋକପ୍ରିୟ ହେବା ନିମନ୍ତେ କେତେ ତୋଷାମୋଦ କେତେ ଆତ୍ମ ପ୍ରଖ୍ୟାପନର ହୀନତା ସ୍ୱୀକାର କରେ । ଏ ମରିଚିକାରେ ଜଳର ଅନ୍ୱେଷଣ । ଏଥିରେ ପିପାସିତ ପ୍ରାଣର ତୃପ୍ତି କାହିଁ ? ଲୋକ କେତେ ଆଶାକରି ଘର ବାନ୍ଧେ, କିନ୍ତୁ ଘରର ସେ ବନ୍ଧନ ଯେଡ଼େ କୋମଳ, ଯେତେ ମଧୁର, ଯେଡ଼େ ନିଜର ହାତଗଢ଼ା ହେଉ ନା କାହିଁକି; ସମୟ ଆସେ ଯେତେବେଳେ ସେ ଯେ ବନ୍ଧନ ତାହା ଜଣାଇଦିଏ,–ଜଣାଇଦିଏ ପରିବାରରେ ରୋଗ ଶୋକ ଦେଇ, ଅନ୍ନବସ୍ତ୍ର ସଂସ୍ଥାନର କର୍ତ୍ତବ୍ୟ ଦେଇ, ନାନା ଚିନ୍ତାଜାଲରେ ପ୍ରାଣକୁ ଆଚ୍ଛନ୍ନ କରି ।

 

ଦୀନତା ପରି ବନ୍ଧନ ଜଗତରେ ଆଉ ନାହିଁ କହିଲେ ଚଳେ । ଅଭାବଗ୍ରସ୍ତକୁ ବନ୍ଦୀ କରିବାକୁ ବନ୍ଦିଶାଳା ତିଆରି କରିବା ଦରକାର ହୁଏ ନାହିଁ, ବେଡ଼ିର ପ୍ରୟୋଜନ ହୁଏ ନାହିଁ, ପ୍ରହରୀର ଦରକାର ନ ଥାଏ । ଯେପରି ଅହସ୍ତନିର୍ମିତ ବନ୍ଦିଶାଳା ତାର ଆପେ ଆପେ ନିର୍ମିତ ହୁଏ, ବନ୍ଧନର ସାମଗ୍ରୀ ଆପଣା ମନକୁ ଆସି ସଂଗୃହୀତ ହୁଏ । ଯେତେବେଳେ ନିଜର ଅଭାବ ଦେଖେ, ଦୁର୍ବଳତା ଦେଖେ, ସେତେବେଳେ ମନୁଷ୍ୟ ଅନ୍ୟର ଶରଣ ନିଏ, ସମାଜର ବେଷ୍ଟନୀକୁ ଆସେ, ତାର ଶାସନ ବ୍ୟବସ୍ଥାର ଅଧୀନ ହୁଏ । ଯେ କିଛି ସ୍ୱାଧୀନତା ମନୁଷ୍ୟ ଲାଭ କରିଛି ତାହାର ମୂଳରେ ଏହି ଦୀନତାବୋଧ ଅଛି । ମନୁଷ୍ୟ ଯେତେବେଳେ ଦେଖିଲା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସ୍ୱାଧୀନତା ଦାବୀ କରିବାରେ ସେହି ସ୍ୱାଧୀନତା ହରାଇବାର ସମ୍ଭାବନା କେବଳ ବଢ଼ିଲା, ସେତେବେଳେ ଅଧିକାଂଶରେ ସ୍ୱାଧୀନ ରହିବା ପାଇଁ ଅଳ୍ପାଂଶରେ ଅଧୀନତା ସ୍ୱୀକାର କଲା । ଏହାହିଁ ସମାଜ ପ୍ରତିଷ୍ଠାର ଇତିହାସ, ଏବଂ ଏଇଠି ରାଷ୍ଟ୍ରୀୟ ଶାସନର ସୂତ୍ରପାତ ।

 

ଦୀନତାବୋଧ ଦୁଇପ୍ରକାର । ଗୋଟିଏ ପ୍ରକାର ଦୀନତାବୋଧ ବଡ଼ ମାରାତ୍ମକ, ମନୁଷ୍ୟକୁ ଆଘାତ କରି ଧ୍ୱଂସ ଆଡ଼କୁ ନେଇଯାଏ । ସେ ବ୍ୟକ୍ତି ହେଉ ଅବା ଜାତି ହେଉ, ସେ ଏପରି ଦୀନହୀନ ହୋଇପଡ଼େ ଯେ ଶେଷକୁ ମନୁଷ୍ୟତ୍ୱ ହରାଇ ବସେ । ଏହା ଦୌରାତ୍ମ୍ୟର ଫଳ । ଏହି ଦୌରାତ୍ମ୍ୟର କର୍ତ୍ତା ବିଜୟୀ, କର୍ମ ବିଜିତ । ବଳବାନର ଦୁର୍ବଳ ଉପରେ, ଧନୀର ନିର୍ଧନ ଶ୍ରମଜୀବୀ ଉପରେ, ଶୁଚିବାୟୁଗ୍ରସ୍ତର ଅଶୁଚି ଉପରେ ଯେଉଁ ଅତ୍ୟାଚାର, ମନୁଷ୍ୟର ଏପ୍ରକାର ଦୀନତାବୋଧ ତାହାର ଫଳ ।

 

ଯେପରି ଏହି ଦୀନତାବୋଧ ଦୌରାତ୍ମ୍ୟର ଫଳ, ସେହିପରି ଦୌରାତ୍ମ୍ୟ ମଧ୍ୟ ଅନେକ ସମୟରେ ଏହିପରି ଦୀନତାବୋଧର ଫଳ ହୋଇଥାଏ । କି ବ୍ୟକ୍ତି, କି ଜାତି, ଯାହାର କର୍ତ୍ତୃତ୍ୱ ଏହି ଦୌରାତ୍ମ୍ୟ ଉପରେ ପ୍ରତିଷ୍ଠିତ, ଅପରର ଏହିପ୍ରକାର ଦୀନତାବୋଧକୁ କେବଳ ଆଶ୍ରୟ କରି ରହିଛି, ତାର ଜାଣି ରଖିବା ଦରକାର ଯେ ଏହି ଦୀନତା ବୋଧ ଏପରି ଗୋଟାଏ ଉତ୍କଟ ବ୍ୟାଧି ନୁହେଁ ଯେ ବ୍ୟାଧିଗ୍ରସ୍ତ ତହିଁରୁ ମୁକ୍ତିଲାଭ କଲେ ମଧ୍ୟ ଚିରଜୀବନ ଦୁର୍ବଳ ହୋଇ ରହିବ, ପ୍ରତିବାଧାର କ୍ଷମତା ହରାଇବ । ଏହା ଏକପ୍ରକାର ନିଶା ଯାହା ପ୍ରୟୋଗ କରି ପ୍ରତିଦ୍ୱନ୍ଦୀର ଶରୀରରେ ସମୟର ସକାଶେ ଜଡ଼ତା ଆନୟନ କରାହୋଇଅଛି, ଚିରକାଳ ନିମନ୍ତେ ନୁହେଁ । ଶୀଘ୍ର ହେଉ ଅବା ବିଳମ୍ବରେ ହେଉ, ସମୟ ଆସିବ ଯେତେବେଳେ ଏହି ନିଶା ଛାଡ଼ିବ, ପ୍ରତିକ୍ରିୟା ଆରମ୍ଭ ହେବ, ପର ପଦାନତ ହେବାର ହୀନତା ଅନୁଭବ କରି ପ୍ରତିହିଂସା ପ୍ରବୃତ୍ତି କ୍ଷିପ୍ତ ହୋଇ ଉଠିବ, ପ୍ରଳୟ ଘଟାଇବ । ପୁରାତନ ଯାହା କିଛି ଅନ୍ୟାୟ ଉପରେ ପ୍ରତିଷ୍ଠିତ, ସେ ପ୍ରତିଷ୍ଠାନ ରତ୍ନ ନିର୍ମିତ ହେଉ ନା କାହିଁକି, ମୁଖାପେକ୍ଷା କରିବ ନାହିଁ, ସମସ୍ତ ସମୂଳେ ଧ୍ୱଂସ କରିବ । ଫରାସୀ ରାଷ୍ଟ୍ରବିପ୍ଳବ ଅନେକ ପରିମାଣରେ ଏହିପରି ଦୀନତାବୋଧର ଫଳ ।

 

ଏକପ୍ରକାର ଦୀନତାବୋଧ ଅଛି ଯାହା ମନୁଷ୍ୟକୁ ମନୁଷ୍ୟ କରିଛି, ଉନ୍ନତି ପଥରେ ନିତ୍ୟ ପ୍ରବୃତ୍ତ କରାଉଛି । ଯାହାଥିଲା ତାହାହିଁ ରହିଥାନ୍ତା, ଅଥବା ପ୍ରକୃତ ପକ୍ଷରେ କହିବାକୁ ଗଲେ ତାହା ମଧ୍ୟ ରହି ନ ଥାନ୍ତା, ମନୁଷ୍ୟ ଯଦି ନିଜ ଅବସ୍ଥାରେ ଏକାବେଳେକେ ସନ୍ତୁଷ୍ଟ ହୋଇ ରହିପାରନ୍ତା । ଜଗତରେ କୌଣସି ଉଦ୍ୟମ ଉଦ୍ଯୋଗ ନ ଥାନ୍ତା ଯଦି ଅଭାବ ବୋଧ ନ ଥାନ୍ତା । ପରିବର୍ତ୍ତନଶୀଳ ଜଗତରେ ପ୍ରକୃତିର ପ୍ରକ୍ରିୟା ଏପରି ଯେ ବିନାଶ ହେଉ ଅବା ବିକାଶ ହେଉ କୌଣସି ଗୋଟାଏ ଆଡ଼କୁ ପରିବର୍ତ୍ତନ ହେବଇ ହେବ । ଯେ ଫୁଲ ବସନ୍ତରେ ଫୁଟେ ତା ଯେଡ଼େ କମନୀୟ, ଯେଡ଼େ କୋମଳ, ଯେଡ଼େ ସୌରଭମୟ ହେଉ ନା କାହିଁକି ଶତଚେଷ୍ଟା କରି ତାକୁ ସାରାବରଷ ବୃକ୍ଷରେ ପ୍ରଫୁଲ୍ଲ କରି ରଖି ହେବନାହିଁ । ନିଦାଘର ତାପ ତାକୁ ଶୁଖାଇବ, ବର୍ଷାଜଳ ତାକୁ ପଚାଇବ । ପ୍ରକୃତିର ପରିବର୍ତ୍ତନ ପ୍ରକ୍ରିୟାର ଏହି ଦୌରାତ୍ମ୍ୟ ଯଦି ସହ୍ୟ ନ କରେ ତେବେ ବିନଷ୍ଟ ହୋଇଯିବ, ନିଜର ସତ୍ତା ଏକାବେଳେକେ ହରାଇବ । ନତୁବା ସହ୍ୟ କରି ନବକଳେବର ଲାଭ କରିବ, ଫଳରେ ବିବର୍ତ୍ତିତ ହେବ । ପରିଣତି ଅର୍ଥ ସ୍ଥିତି ନୁହେଁ, ପରିବର୍ତ୍ତନ । ସେଥିପାଇଁ ଏ ଜଗତରେ ଯାହାସବୁ ଦେଖୁଛ ସେ ସବୁର ଛିଡ଼ାହୋଇ ରହିବାର ସ୍ଥାନ ନାହିଁ, ହୁଏ ଅଗ୍ରସର ହେଉଛି ନତୁବା ପଶ୍ଚାତ୍‌ପଦ ହେଉଛି । ଯାହା ଜଡ଼ଜଗତର ପରିବର୍ତ୍ତନ ପ୍ରକ୍ରିୟା ସକାଶେ ଶକ୍ତି ଯୋଗାଉଛି ତାହା ମାନବ ଜୀବନର ନାନା ଉଦ୍ୟମ ଉଦ୍ଯୋଗ ମୂଳରେ ଅଭାବବୋଧରୂପେ ରହିଅଛି ।

 

ଏହି ଅଭାବ ମନୁଷ୍ୟକୁ ପଶୁରେ ପରିଣତ କରୁଛି, ପୁଣି ଏହି ଅଭାବ ତାକୁ ପୂର୍ଣ୍ଣ ମନୁଷ୍ୟତ୍ୱ ପ୍ରଦାନ କରୁଅଛି । ଏକଇ ଅଭାବର ପରିମାଣର ତାରତମ୍ୟ ହେତୁରୁ ଫଳ ଏପ୍ରକାର ବିସଦୃଶ ହୁଏ । ଯେ ହତଭାଗ୍ୟର ଅଭାବ ଏତେ ବେଶୀ ଯେ ସେ ତାହାର ସମସ୍ତ ଶକ୍ତି, ସମସ୍ତ ସମୟ ବ୍ୟୟ କରି କେବଳ ଉଦରପୂର୍ତ୍ତି ସକାଶେ ଦୁଇମୁଠା ଅନ୍ନର ସଂସ୍ଥାନ ମଧ୍ୟ କରିପାରେ ନାହିଁ, ସେ ସଭ୍ୟତାର ଯେଉଁ ଯୁଗରେ ବଞ୍ଚିଥାଉ ନା କାହିଁକି, ଯେଉଁ ସମୟରେ ମନୁଷ୍ୟ ଫଳମୂଳ ଅନ୍ୱେଷଣରେ ଜଙ୍ଗଲରେ ବୁଲୁଥିଲା, ପଥର ଫୋପାଡ଼ି ମୃଗୟା କରୁଥିଲା, ଆଦିମ ମନୁଷ୍ୟର ସେହି ବର୍ବରତାର ସମୟ ସେ ଅତିକ୍ରମ କରି ନାହିଁ । ଯାହାର ଅଭାବ ଏତେ ବେଶୀ ଯେ କେବଳ ଜୀବନଧାରଣ ଉପଯୋଗୀ ଜୀବିକା ଉପାର୍ଜ୍ଜନରେ ତାହାର ସମସ୍ତ ସମୟ ବ୍ୟୟିତ ହୁଏ, ତାହାର ଜୀବନ ଓ ପଶୁର ଜୀବନ ମଧ୍ୟରେ ପ୍ରଭେଦ ଅତି କମ୍ । ଯେଉଁଠି ଶାରୀରିକ ଅଭାବ ଏତେ ବେଶୀ ସେଠି ମାନସିକ ଏବଂ ଆଧ୍ୟାତ୍ମିକ ଉନ୍ନତିର ପରିଚାୟକ ସାହିତ୍ୟ, ଦର୍ଶନ, ବିଜ୍ଞାନ ପ୍ରଭୃତିର ସମ୍ଭାବନା ସୁଦୂର ପରାହତ । ‘ଜ୍ଞାନ ଧର୍ମ କାବ୍ୟ କାହାଣୀ’ ସେଇଠି ପ୍ରଥମେ ପ୍ରଚାରିତ ହୋଇଛି ଯେଉଁଠି ଶରୀର ରକ୍ଷା ସକାଶେ ଅଭାବ ସହିତ ଏତେ ଅଧିକ ପରିମାଣରେ ସଂଗ୍ରାମ କରିବାକୁ ହୋଇ ନାହିଁ । ଅତଏବ ଶରୀର ସମ୍ବନ୍ଧୀୟ ଅଭାବର ପରିମାଣ ଟିକେ କମି ଆସିଲେ ମାନସିକ ଓ ଆଧ୍ୟାତ୍ମିକ ଉନ୍ନତି ସମ୍ଭବ ହୁଏ ।

 

ଆଉ ଏକପ୍ରକାର ଦୀନତା ଅଛି ତାହାର ବୋଧ ନାହିଁ, ତାହାର ତାଡ଼ନା ନାହିଁ । ଏପ୍ରକାର ଦୀନତା ମନୁଷ୍ୟକୁ ଦେବତାରେ ପରିଣତ କରେ । ଦାରିଦ୍ର୍ୟ ସହିତ ସଂଗ୍ରାମ କରି ତାକୁ ପରାସ୍ତ କଲେ ଯଦି ମନୁଷ୍ୟ ଆପଣାର ମନୁଷ୍ୟତ୍ୱର ପରିଚୟ ଦିଏ, ତାହାହେଲେ ତାକୁ ଜୟ କରିବାର ସମସ୍ତ ସୁବିଧା ସୁଯୋଗ ଏବଂ କ୍ଷମତା ଥାଉ ଥାଉ ଯଦି ମନୁଷ୍ୟ ସେହି ଦାରିଦ୍ର୍ୟକୁ ବନ୍ଧୁଭାବରେ ବରଣ କରେ, ସେ ନିଶ୍ଚୟ ନିଜ ଦେବତ୍ୱର ପ୍ରମାଣ ଦିଏ । ପ୍ରକୃତ ତ୍ୟାଗ, ବୈରାଗ୍ୟ ବା ସନ୍ନ୍ୟାସ ଏହି ଦୀନତାର ନାମାନ୍ତର । ଏ ଦାରିଦ୍ର୍ୟ ବରଣ ସେ କାପୁରୁଷତା ନୁହେଁ ଯାହା ସକାଶୁଁ ଲୋକେ ଜୀବନ ସଂଗ୍ରାମରେ ପୃଷ୍ଠ ପ୍ରଦର୍ଶନ କରି, ସନ୍ନ୍ୟାସର ବେଶ ନେଇ ଦାରିଦ୍ର୍ୟ ସଙ୍ଗରେ ରଫା କରନ୍ତି । ଏପ୍ରକାର ପାଉଁଶବୋଳା ସନ୍ନ୍ୟାସର ବେଶ ଆଜିକାଲି ଅନେକ ଦେଖାଯାଏ । ଦାରିଦ୍ର୍ୟ ସହିତ ଏପ୍ରକାର ସନ୍ଧିସ୍ଥାପନରେ ସ୍ୱାର୍ଥସିଦ୍ଧିର ଅଭିସନ୍ଧି ପୂର୍ଣ୍ଣମାତ୍ରାରେ ବିଦ୍ୟମାନ । କିନ୍ତୁ ମହାପୁରୁଷମାନଙ୍କର ଦାରିଦ୍ର୍ୟବରଣ ପରାର୍ଥେ ।

Image

 

ନିଷେଧ

 

ପ୍ରଭୁ ପରମେଶ୍ୱର ଏଦନ (Eden) ର ପୂର୍ବପଟରେ ଗୋଟିଏ ଉଦ୍ୟାନ ପ୍ରସ୍ତୁତ କରି ସେଥିରେ ସ୍ୱନିର୍ମିତ ମନୁଷ୍ୟକୁ ରଖିଲେ । ପ୍ରଭୁ ପରମେଶ୍ୱର ଯାହା ଦେଖିବାକୁ ସୁନ୍ଦର ଏବଂ ଯାହାର ଫଳ ଉତ୍ତମ ଏହିପରି ନାନାପ୍ରକାର ବୃକ୍ଷ ଉତ୍ପନ୍ନ କଲେ । ଉଦ୍ୟାନର ମଧ୍ୟସ୍ଥାନରେ ଜୀବନ-ବୃକ୍ଷ ରୋପଣ କରି ତହିଁ ସଙ୍ଗେ ସଙ୍ଗେ ସତ୍ ଓ ଅସତ୍ ଜ୍ଞାନପ୍ରଦାୟକ ବୃକ୍ଷ ମଧ୍ୟ ରୋପଣ କରି ଦେଲେ ।

 

ପ୍ରଭୁ ପରମେଶ୍ୱର ସେହି ମନୁଷ୍ୟକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ସ୍ୱଚ୍ଛନ୍ଦରେ ଭୋଜନ କରିପାର, ମାତ୍ର ସତ୍ ଏବଂ ଅସତ୍ ଜ୍ଞାନପ୍ରଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ । ଯେହେତୁ, ଯେଉଁଦିନ ତାହା ଖାଇବ, ସେହିଦିନ ନିଶ୍ଚୟ ମରିବ ।

 

ଦିନ ମାସ ସାଲ ନିର୍ଦ୍ଦେଶ କରି କଥା କୁହେ ଯେଉଁ ଇତିହାସ ପୃଥିବୀର ଏପରି କୌଣସି ଇତିହାସରେ ହୁଏତ ଉଲ୍ଲିଖିତ ଘଟଣାର ଉଲ୍ଲେଖ ମିଳିବ ନାହିଁ । ତଥାପି ଏହା ସତ୍ୟ ଏବଂ ଐତିହାସିକ । ଏହି ସତ୍ୟର ପ୍ରତିପାଦନ ପାଇଁ କୌଣସି ଇତିହାସବେତ୍ତାଙ୍କ ଗବେଷଣା ଦରକାର ନାହିଁ । ଏହାର ଐତିହାସିକତା ପ୍ରମାଣ କରେ ମାନବ ସଂସାରରେ ଦୈନନ୍ଦିନ ଜୀବନର ଇତିହାସ । ଏ ଘଟଣାର ଆକ୍ଷରିକ ସତ୍ୟତାକୁ ପ୍ରମାଣ ନ କରି ପାରିଲେ ସୁଦ୍ଧା ଏହା ମାନବ ଜୀବନର ଯେଉଁ ଆଧ୍ୟାତ୍ମିକ ଅଭିଜ୍ଞତାର ସୂଚନା ଦିଏ ତାକୁ ନାସ୍ତି କରି ହେବ ନାହିଁ ।

 

ଏ ଜୀବନ ଉପରେ ଯେ କେତେଗୁଡ଼ିଏ ବିଧିବ୍ୟବସ୍ଥିତ ନିଷେଧ ଅଛି ତାହା ଅସ୍ୱୀକାର କରି ହେବ ନାହିଁ । ଭୌତିକ ଜୀବନଧାରଣ ସମ୍ଭବ ହୁଏ ଯେତେବେଳେ ମନୁଷ୍ୟ କ୍ଷିତି, ଅପ୍‌, ତେଜ, ବ୍ୟୋମ, ମରୁତ୍‌ ପ୍ରଭୃତି ପ୍ରାକୃତିକ ଶକ୍ତି ସମସ୍ତର ଶାସନ ମାନି ଚଳେ । ପ୍ରକୃତିର ଏହି ଯେଉଁ ସବୁ ଶକ୍ତି ମାନବ ଜୀବନର ଚାରିଆଡ଼େ ଅପ୍ରତିହତବେଗରେ କାର୍ଯ୍ୟ କରୁଅଛି ସେମାନଙ୍କର ନିୟମ ବା ଶାସନପଦ୍ଧତି ସହିତ ପରିଚିତ ହେବା ଏବଂ ତଦନୁସାରେ ଜୀବନକୁ ନିୟମିତ କରିବାଦ୍ୱାରା ମନୁଷ୍ୟ ନିଜର ଜ୍ଞାନ ଅବା ବିଜ୍ଞାନର ପରିଚୟ ଦିଏ । ପ୍ରକୃତିର ଏହି ଶାସନ ସବୁ ମାନିବାରେ ମାନହାନି ହୁଏ ନାହିଁ, ବରଂ ନ ମାନିଲେ ନିଜର ମୂର୍ଖତା ପ୍ରକାଶ ପାଏ । ମନୁଷ୍ୟ ଏହି ସବୁ ନିୟମ ସମ୍ବନ୍ଧରେ ଯେତେ ଅଧିକ ଜ୍ଞାନ ଲାଭ କରେ ଏବଂ ନିଜକୁ ଯେତେ ଅଧିକ ଉକ୍ତ ଲବ୍ଧଜ୍ଞାନର ବଶୀଭୂତ କରେ, ଜୀବନ ତାର ତେତେ ଅଧିକ ପରିପୂର୍ଣ୍ଣ ହୋଇ ଉଠେ, ତେତେ ଅଧିକ ଅନନୁଭୂତ ଅଭିଜ୍ଞତାର ଅଧିକାରୀ ହୁଏ ।

ମନୁଷ୍ୟର ଜୀବନ କେବଳ ଭୌତିକ ନୁହେଁ, ନୈତିକ ମଧ୍ୟ । ଏହି ନୈତିକତା ବା ଆଧ୍ୟାତ୍ମିକତା ତାକୁ ପଶୁଠାରୁ ଭିନ୍ନ କରି ରଖିଅଛି । କାର୍ଯ୍ୟକଳାପର ନୀତି ଅନୀତି ବିଚାର ସମ୍ଭବ ହୁଏ ସେଇଠି, ଯେଉଁଠି କାର୍ଯ୍ୟ କରିବାର ସ୍ୱାଧୀନତା ଅଛି । ମନୁଷ୍ୟ ନୈତିକ ପ୍ରାଣୀ, କାରଣ ସେ ନିଜ ଇଚ୍ଛା ଅନୁସାରେ ସ୍ୱାଧୀନଭାବରେ କାର୍ଯ୍ୟ କରିପାରେ । ସେ ନିଜ ଇଚ୍ଛା ଅନୁସାରେ ଭଲ କାମ କରିପାରେ, ମନ୍ଦ କାମ ମଧ୍ୟ କରିପାରେ । ଯେଉଁ ପ୍ରାଣୀ କେବଳ ଭୌତିକ, ତାହାର କାର୍ଯ୍ୟକଳାପ ନୀତିଜଗତର ସୀମାରେଖାର ବାହାରେ; ସେଥିରେ ଭଲମନ୍ଦର ବିଚାର ନାହିଁ । ନିମ୍ନସ୍ତରର ପ୍ରାଣୀର କାର୍ଯ୍ୟକଳାପ ଅଲଙ୍ଘନୀୟ ଭୌତିକ ବା ଶାରୀରିକ ପ୍ରବୃତ୍ତିଦ୍ୱାରା ପରିଚାଳିତ; ସେ ସବୁ କାର୍ଯ୍ୟ ପାଇଁ ତାହାର ଦାୟିତ୍ୱ ନାହିଁ କି କୃତିତ୍ୱ ନାହିଁ । ମନୁଷ୍ୟ କିନ୍ତୁ ସ୍ୱାଧୀନ ଇଚ୍ଛା ପ୍ରଣୋଦିତ ହେବାରୁ ନିଜର କାର୍ଯ୍ୟ ନିମନ୍ତେ ଦାୟୀ । ମନୁଷ୍ୟ ଜୀବନକୁ ସଫଳ କରିବାକୁ ହେଲେ ତାହାର କାର୍ଯ୍ୟର ସ୍ୱାଧୀନତାକୁ ପ୍ରଶ୍ରୟ ଦେବାକୁ ହେବ । ସ୍ୱାଧୀନତା ତାହାର ଜନ୍ମଗତ ଅଧିକାର । ଏଥିରୁ ବଞ୍ଚିତ ହେଲେ ତାହାର କାର୍ଯ୍ୟର ମୂଲ୍ୟ ରହିବ ନାହିଁ, ଅନ୍ୟାନ୍ୟ ପଶୁପକ୍ଷୀଙ୍କର କାର୍ଯ୍ୟ ଏବଂ ତାହାର କାର୍ଯ୍ୟ ମଧ୍ୟରେ ପ୍ରଭେଦ ରହିବ ନାହିଁ ।

କିନ୍ତୁ ସ୍ୱାଧୀନତାର ଅର୍ଥ ଯଥେଚ୍ଛାଚାରିତା ନୁହେଁ । ସ୍ୱାଧୀନତା ବାହାନାରେ ଦୁଇ ଆଖି ଅଛି ବୋଲି କଣ ଯାହା ଇଚ୍ଛା ତାହା ଦେଖିବି ? ଦୁଇ ହାତ କଣ ଯାହା ପାଇବ ତାହା ଘେନିଯିବ ? ଗୋଡ଼କୁ କଣ ଛାଡ଼ି ଦେବି ଯୁଆଡ଼େ ସିଆଡ଼େ ଯିବାକୁ ? କାନ କଣ ଯାହା ପାରେ ତାହା ଶୁଣିବ ? ଏପରି କାର୍ଯ୍ୟ ସ୍ୱାଧୀନତାର ପରିଚାୟକ ନୁହେଁ । ଏହାକୁ ଯଥେଚ୍ଛାଚାର କହିପାର, କିନ୍ତୁ ଏହା ପ୍ରକୃତରେ ଅଧୀନତା । ଏପରି କରିବାରେ ଇନ୍ଦ୍ରିୟକୁ ମୋର ଇଚ୍ଛାଧୀନ ନ କରି ମୁଁ ଆପଣାକୁ ଇନ୍ଦ୍ରିୟର ଅଧୀନ କରେ । ଇନ୍ଦ୍ରିୟର ଏପରି ବ୍ୟବହାର ଇନ୍ଦ୍ରିୟର ବିକାଶ ନୁହେଁ, ବିନାଶ ସାଧନ କରେ ।

ମନୁଷ୍ୟର ଭୌତିକ ଜୀବନ ଉପରେ ଯେପରି କେତେଗୁଡ଼ିଏ ନିଷେଧ ଅଛି, ତାହାର ନୈତିକ ଜୀବନ ଉପରେ ମଧ୍ୟ ସେହିପରି ଅଛି । ତାହାର ନୈତିକତା ଯେପରି ପ୍ରମାଣ କରେ କାର୍ଯ୍ୟ କରିବାର ସ୍ୱାଧୀନତାକୁ, ସେହିପରି ଦେଖାଇଦିଏ ଯଥେଚ୍ଛାଚାରିତାର ଅଯୌକ୍ତିକତାକୁ ଏବଂ ମାରାତ୍ମକତାକୁ । ନୀତି ଏବଂ ଅନୀତି ମଧ୍ୟରେ ପ୍ରଭେଦ ହେଉଛି ଲକ୍ଷ୍ୟ ବା ଉଦ୍ଦେଶ୍ୟର ଅସ୍ତିତ୍ୱ ନେଇ । ଯେଉଁଠି ଉଦ୍ଦେଶ୍ୟ ନାହିଁ ସେଠି କର୍ମଧାରାରେ ନୀତିନିୟମ ନାହିଁ । ଯେଉଁ ଜୀବନ ଲକ୍ଷ୍ୟଶୂନ୍ୟ ସେଥିରେ କର୍ମପ୍ରବାହ ଥାଇପାରେ, କିନ୍ତୁ ତାହା ଯଥେଚ୍ଛାଚାରିତାର ନାମାନ୍ତର । ଲକ୍ଷ୍ୟ ସ୍ଥିରୀକୃତ ହେଲେ କର୍ମଧାରା ଭିତରକୁ ସଂଯମ ଆସେ, ନିୟମ ବା ନିଷେଧର ଚାପ କର୍ମଧାରାକୁ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା ପାଇଁ ଗତି ପ୍ରଦାନ କରେ, ନତୁବା ଏହା ଇତସ୍ତତଃ ବିକ୍ଷିପ୍ତ ଏବଂ ବିଭକ୍ତ ହୋଇପଡ଼ିବ । ଶାସ୍ତ୍ର କୁହେ, ଜୀବନ ଆଡ଼କୁ ଯାଇଛି ଯେଉଁ ପଥ ତାହା ସଂକୀର୍ଣ୍ଣ, ଅଳ୍ପ ଲୋକ ତାହାର ସନ୍ଧାନ ନିଅନ୍ତି; କିନ୍ତୁ ବିନାଶର ପଥ ଚଉଡ଼ା । ଜଙ୍ଗଲ ପାର ହେବା ଯଦି ପଥିକର ଲକ୍ଷ୍ୟ ହୁଏ, ତାହାହେଲେ ଯଥେଚ୍ଛା ଭ୍ରମଣର ପ୍ରଲୋଭନ ପରିତ୍ୟାଗ କରିବାକୁ ହେବ, ଜଙ୍ଗଲ ଭିତରେ ବାଟ ତିଆରି କରିବାକୁ ହେବ, କୋଉଠି ଖାଲକୁ ଉଚ୍ଚ କରିବାକୁ ହେବ, ଉଚ୍ଚ ଜାଗାକୁ କାଟିବାକୁ ହେବ, ଦୁଇପାଖରେ ବନ୍ଧ ବାନ୍ଧିବାକୁ ହେବ, ଗତିପଥକୁ ସରଳ ସୀମାବଦ୍ଧ ଏବଂ ସଂକୀର୍ଣ୍ଣ କରିବାକୁ ହେବ; ନତୁବା ଅବାଟରେ ଯାଇ କଣ୍ଟାବଣରେ କ୍ଷତବିକ୍ଷତ ହେବ; ଏପରି କି ଜୀବନ ସଂଶୟରେ ମଧ୍ୟ ପଡ଼ିବ । ସୀମା ବା ସଂଯମର ଗଣ୍ଡି ଟାଣି ତା’ ଭିତରେ ଜୀବନକୁ ନିୟନ୍ତ୍ରିତ କରିବାଦ୍ୱାରା ଯେଉଁ ସଂକୀର୍ଣ୍ଣତା ଜୀବନ ଭିତରକୁ ଆସେ, ତାହା ଜୀବନକୁ କ୍ଷୁର୍ଣ୍ଣ କରେ ନାହିଁ, ବରଂ ଅପ୍ରତିହତ କରେ । ସମସ୍ତ ସହର ଉପରେ ବିକ୍ଷିପ୍ତ ହୋଇ ଯେଉଁ ବାୟୁ ବହୁଅଛି, ତାହାକୁ ଯଦି ଅଳ୍ପପରିସର କୌଣସି ଲୁହା ସିନ୍ଧୁକ ଭିତରେ ବନ୍ଦ କରିପାର ଏବଂ ସୂଚୀର ଛିଦ୍ର ଭଳି କୌଣସି ଛିଦ୍ର ପଥରେ ବାହାରିବାର ଅବକାଶ ଦିଅ, ତାହାହେଲେ ଦେଖିବ ବନ୍ଧୁକର ଗୁଳି ଅପେକ୍ଷା ତାହାର ବେଗ ବା ଶକ୍ତି ଅଧିକ ଅପ୍ରତିହତ । ନିୟମର ଶାସନ ମାନି ଚଳିଲେ ଜୀବନ ଅପ୍ରତିହତ ହେବ । ସେଥିପାଇଁ ଜୀବନକୁ ତାହାର ସାର୍ଥକତା ଦେବା ନିମିତ୍ତ ଯେଉଁସବୁ ନୈତିକ ବା ଆଧ୍ୟାତ୍ମିକ ଶାସନ ବା ନିଷେଧ ଅଛି ତାହା ବିଧିବ୍ୟବସ୍ଥିତ ।

ପ୍ରଭୁ ତୁମକୁ ଏବଂ ମୋତେ ଯେଉଁ ଏଦନ (Eden) ରେ ରଖିଛନ୍ତି ସେଥିରେ ସବୁପ୍ରକାର ଗଛର ଫଳ ଅଛି, ଅମୃତ ଏବଂ ବିଷ ଉଭୟ ଅଛି । ଏ ସବୁର ବ୍ୟବହାର ବିଷୟରେ ତାଙ୍କର ନିଷେଧ ବାଣୀ ମଧ୍ୟ ସୁସ୍ପଷ୍ଟ । ଏତତ୍‌ସତ୍ତ୍ୱେ ମୁଁ ଯଦି ଜୀବନ ସମ୍ବନ୍ଧରେ ଉଦାସୀନ ହୋଇ କେବଳ ଆସ୍ୱାଦନର ଅଭିଳାଷ ପୂରଣରେ ବ୍ୟସ୍ତ ହୁଏ, ତାହାହେଲେ ସେ ଦୋଷ ଯେପରି ମୋହର, ତଦ୍‌ଜନିତ ଦଣ୍ଡଭୋଗ ସକାଶେ ମୁଁ ମଧ୍ୟ ସେହିପରି ଦାୟୀ ।

Image

 

ପ୍ରଭୁଙ୍କର ବିଚାର

 

ପରଦିନ ପ୍ରଭାତରେ ଯୀଶୁ ପୁନର୍ବାର ମନ୍ଦିରକୁ ଆସିଲେ । ତହିଁରେ ସମସ୍ତ ଲୋକ ତାହାଙ୍କ କତିକୁ ଆସନ୍ତେ ସେ ବସି ସେମାନଙ୍କୁ ଉପଦେଶ ଦେଲେ । ଏହି ସମୟରେ ଅଧ୍ୟାପକ ଓ ଫାରୁଶୀଗଣ ବ୍ୟଭିଚାର କର୍ମରେ ଧୃତା ଏକ ସ୍ତ୍ରୀକୁ ସମସ୍ତଙ୍କ ମଧ୍ୟ ସ୍ଥାନରେ ଠିଆ କରାଇ କହିଲେ, ହେ ରାବ୍ବି, ଏହି ସ୍ତ୍ରୀ ବ୍ୟଭିଚାର କର୍ମରେ ଧରା ପଡ଼ିଅଛି । ଆଉ ମୋଶା ବ୍ୟବସ୍ଥାରେ ଏପ୍ରକାର ଲୋକକୁ ପଥର ପକାଇ ମାରିବାକୁ ଆଜ୍ଞା ଦେଇଛନ୍ତି । ମାତ୍ର ଆପଣ କଣ କହୁଛନ୍ତି ? ତାହାଙ୍କର ଦୋଷ ଧରିବାକୁ ପରୀକ୍ଷାଭାବରେ ସେମାନେ ଏହି କଥା ପଚାରିଲେ । ମାତ୍ର ଯୀଶୁ ନଇଁ ପଡ଼ି ଅଙ୍ଗୁଳି ଦେଇ ଭୂମିରେ ଲେଖିଲେ । ତହିଁରେ ସେମାନେ ପୁନଃ ପୁନଃ ପଚାରନ୍ତେ ସେ ମୁଖ ଉଠାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ନିର୍ଦ୍ଦୋଷ ସେ ପ୍ରଥମେ ଏହାକୁ ପଥର ପକାଉ । ଅନନ୍ତର ସେ ପୁନର୍ବାର ମୁଖ ପୋତି ଭୂମିରେ ଲେଖିଲେ । ଏକଥା ଶୁଣି ସେମାନେ ସାନ ବଡ଼ ସମସ୍ତେ ଜଣେ ଜଣେ ବାହାରକୁ ଗଲେ; କେବଳ ଯୀଶୁ ଓ ମଧ୍ୟସ୍ଥାବରେ ଛିଡ଼ା ହୋଇଥିବା ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ । ତହିଁରେ ଯୀଶୁ ମୁଖ ଉଠାଇ ସେହି ସ୍ତ୍ରୀଲୋକ ବିନୁ ଆଉ କାହାକୁ ନ ଦେଖି ପଚାରିଲେ, ହେ ନାରୀ, ତୁମ୍ଭକୁ ଅପବାଦ ଯେଉଁମାନେ ଦେଉଥିଲେ ସେମାନେ କାହାନ୍ତି ? କେହି କି ତୁମ୍ଭକୁ ଦଣ୍ଡ ଦେଇ ନାହିଁ ? ସେ କହିଲା, କେହି ନାହିଁ, ପ୍ରଭୋ । ତେବେ ଯୀଶୁ କହିଲେ, ଆମ୍ଭେ ମଧ୍ୟ ଦେବା ନାହିଁ, ଯାଅ, ଆଉ ପାପ କର୍ମ କର ନାହିଁ ।

 

ବ୍ରହ୍ମଚର୍ଯ୍ୟ ପୁରୁଷ ନିକଟରେ ସମ୍ମାନର ବସ୍ତୁ, କିନ୍ତୁ ସତୀତ୍ୱ ସେହି ଦେବତା ଯାହାକୁ ନାରୀ ପୂଜା କରେ । ଏହି ଦେବତାର ପୂଜାପୀଠ ଅପବିତ୍ର କଲେ ପୁରୁଷ ଅପହାରକର ଦୋଷରେ ଅଭିଯୁକ୍ତ ହୁଏ, ମାତ୍ର ନାରୀ ସର୍ବସ୍ୱାନ୍ତ ହୋଇଯାଏ । ସଂଯମୀ ବ୍ରହ୍ମଚାରୀ ପୁରୁଷ ଦର୍ଶକ ମନରେ ଗୋଟାଏ ସହଜ ସନ୍ତୋଷ ଜନ୍ମାଏ, କିନ୍ତୁ ସତୀ ନାରୀ ଦେଖିଲେ ମନ ଭକ୍ତିରେ ନଇଁ ପଡ଼େ । ପୁରୁଷର ବ୍ରହ୍ମଚର୍ଯ୍ୟ ସମାଜରେ ଦୁର୍ଲ୍ଲଭ ହେଲେ ସମାଜ ବିସ୍ମିତ ହୁଏ ନାହିଁ, ସମାଜ କିନ୍ତୁ ପ୍ରତ୍ୟେକ ନାରୀଠାରୁ ସତୀତ୍ୱ ଯେ ଦାବୀ କରେ ସେ ଦାବୀରେ କିଛି ଅତିରିକ୍ତତା କି କିଛି ଅସମ୍ଭବ ଦେଖେ ନାହିଁ । ସେଥିପାଇଁ କୌଣସି ନାରୀଠାରେ ସତୀତ୍ୱର ଅଭାବ ଦେଖିଲେ ମନରେ ବିରକ୍ତି ଓ ଘୃଣା ଜାତ ହୁଏ । ସ୍ତ୍ରୀଲୋକର ସତୀତ୍ୱକୁ ଲୋକେ ଯେପରି ଭକ୍ତି-ନମ୍ର ନୟନରେ ଦେଖନ୍ତି, ତାହାର ପତନକୁ ମଧ୍ୟ ସେହିପରି ଘୃଣାର ଚକ୍ଷୁରେ ଦେଖନ୍ତି ।

 

ପତିତା ସ୍ତ୍ରୀଲୋକ ପ୍ରତି ସମାଜ ଅନେକ ସମୟରେ ଅଯଥା ଓ ଅସମ୍ମାନ ବ୍ୟବହାର କରିଥାଏ । ସ୍ତ୍ରୀଲୋକ ଯେ ଅନେକ ସମୟରେ ପଡ଼ିଯାଏ, ତାହା ଉପଯାଚକ ହୋଇ ନୁହେଁ, ପରର ପ୍ରରୋଚନାରେ; ନିଜ ବାସନାରେ ବ୍ୟାକୁଳିତ ବୋଲି ନୁହେଁ, ବରଂ ଇଚ୍ଛାଶକ୍ତିର ଦୁର୍ବଳତା ହେତୁରୁ । ପୁରୁଷର ପତନ ଅନେକ ସମୟରେ ହୁଏ ପାପପ୍ରବୃତ୍ତିର ପ୍ରବଳତାରୁ, ଅବାରିତ ପାପଇଚ୍ଛାର ଉତ୍ସୃଙ୍ଖଳତାରୁ । ସମାଜ କିନ୍ତୁ ସର୍ବଦା ନାରୀକୁ ତାର ବିଚାର-ଆସନ ଆଗକୁ ଟାଣି ଆଣେ, ପୁରୁଷକୁ ସବୁ ଦାୟିତ୍ୱରୁ ମୁକ୍ତି ଦିଏ; ଦୁର୍ବଳତାକୁ ପ୍ରସ୍ତରାଘାତ କରି ମାରିବାକୁ ସହର ବାହାରକୁ ନେଇଯାଏ, ଅଥଚ ନୃଶଂସତା ଓ ପାପବୁଦ୍ଧିକୁ ତାର ରାଜମାର୍ଗରେ ମୁଣ୍ଡ ଟେକି ଆସ୍ପର୍ଦ୍ଧା ସହିତ ସ୍ୱଚ୍ଛନ୍ଦ ଭ୍ରମଣ କରିବାକୁ ଛାଡ଼ିଦିଏ । ନାରୀର ପତନ ଯେ ସର୍ବଦା ପୁରୁଷର ପତନର ଅବଶ୍ୟମ୍ଭାବୀ ଫଳ ଏ କଥା ସମାଜ ଭୁଲିଯାଏ । ପୁରୁଷର ଚରିତ୍ର ଯଦି ଅନୁନ୍ନତ ଅପବିତ୍ର ନ ହୁଅନ୍ତା, ନାରୀ ଚରିତ୍ରରେ କଳଙ୍କ ଅପଯଶ ସ୍ପର୍ଶ କରନ୍ତା ନାହିଁ । ଏତତ୍‌ସତ୍ତ୍ୱେ ଅପବିତ୍ର ପୁରୁଷକୁ ସମାଜ ସହ୍ୟ କରେ, କିନ୍ତୁ ଅପମାନିତ ନାରୀ ପ୍ରତି ତାର ଦୟା ନାହିଁ । ଜଣକର ପାଇଁ ସାତଖୁଣ ମାଫ, ଅନ୍ୟ ଜଣଙ୍କ ଜୀବନରେ ତାର ଦୋଷର କ୍ଷମା ପାଇବ ନାହିଁ । ପତିତ ପୁରୁଷ ସମାଜ ସହିତ ଆପଣାର ଦେଣା ପାଉଣା ନିକାଶ କରିପାରେ, ପତିତା ରମଣୀ କିନ୍ତୁ ଚିରକାଳ ସକାଶେ ସମାଜ ଦୃଷ୍ଟିରେ ଦେଉଳିଆ-। ପୁରୁଷର ପତନ କଥା ଶୁଣିଲେ ସମାଜ କହେ, ‘ବଡ଼ ଦୁଃଖର କଥା,’ ନାରୀର ପତନ ଦେଖିଲେ ଡାକପକାଏ ‘ତାକୁ ପଥର ପକାଇ ମାର ।’ ପୁରୁଷ ବିରୁଦ୍ଧରେ ଅଭିଯୋଗ ନ ଆସିଲେ ବିଚାର କରିବା ସକାଶେ ତାକୁ ଧରିବାର ବ୍ୟବସ୍ଥା ପର୍ଯ୍ୟନ୍ତ ସମାଜ ଶାସନରେ ନାହିଁ, କିନ୍ତୁ ନାରୀର ନାମଗନ୍ଧ ନାକରେ ବାଜିଲାକ୍ଷଣି ଯୁଦ୍ଧର ଘୋଡ଼ାପରି ତା ବିରୁଦ୍ଧରେ ଦଉଡ଼େ ଶତସହସ୍ର ଭାବରେ ନିର୍ଯ୍ୟାତନ କରିବାକୁ । ପୁରୁଷକୁ ବିଚାର କଲାବେଳେ ତାର କାର୍ଯ୍ୟ ଅନୁମୋଦନ କରିବାକୁ ସମାଜ ଯେ ଅସମ୍ମତ ତାହା ଟିକିଏ ମୁଣ୍ଡହଲାଇ ପ୍ରକାଶ କରେ । ପୁରୁଷ ବିରୁଦ୍ଧରେ ସମାଜ ଏତିକିଦୂର ଅଗ୍ରସର ହୁଏ । ତା’ପରେ କିନ୍ତୁ ତାକୁ ଘରକୁ ଅଭ୍ୟର୍ଥନା କରି ନେବାକୁ ଆପତ୍ତି ନ ଥାଏ, ନିଜ ଝିଅମାନଙ୍କ ସହିତ ବିଭା ଦେବାକୁ ପର୍ଯ୍ୟନ୍ତ କୁଣ୍ଠିତ ହୁଏ ନାହିଁ, କହେ ‘ପିତ୍ତଳଗରା ମାଜିଦେଲେ ସଫା ହୋଇଯିବ ।’ ପାପର କର୍ତ୍ତାପ୍ରତି ସମାଜର ଏ ବିଚାର, କିନ୍ତୁ କର୍ମପ୍ରତି ଅନ୍ୟ ବିଚାର । ପୁରୁଷର ବାସନା-ବହ୍ନିରେ ଆହୂତି ଦେବାପାଇଁ ନାରୀ ତାର ଜୀବନ ଢାଳିଦିଏ; ଦୋଷ ହୁଏ କେବଳ ଇନ୍ଧନର, ଯେ ଆହୂତି ଯୋଗାଇଲା ତାହାର, ବହ୍ନିର ନୁହେଁ । ସମାଜ ନାରୀପାଇଁ ତା’ ଅଭିଧାନରେ ‘ପତିତା’ ଶବ୍ଦ ସଯତ୍ନରେ ରଖିଦେଇଛି, କିନ୍ତୁ ସେ ଅଭିଧାନ ଗୋଟାକଯାକ ଘାଣ୍ଟିଲେ ଏହି ଶବ୍ଦର ପୁଂଲିଙ୍ଗର ସେ ଅର୍ଥ ମିଳିବ ନାହିଁ । ତାର ସମସ୍ତ ମାଙ୍ଗଳିକ କାର୍ଯ୍ୟ, ସମସ୍ତ ଆଚାର ଅନୁଷ୍ଠାନର ତ୍ରିସୀମାରୁ ପତିତା ରମଣୀକି କୁକୁର ଲଗାଇ ତଡ଼ିଲାପରି ତଡ଼ିଛି । ଯେତେବେଳେ ଧର୍ମର ଦ୍ୱାହି ଦେଇ ଧର୍ମନାମରେ ଧର୍ମଧ୍ୱଜୀମାନେ ସମାଜର ‘ବିଚାର ମଣ୍ଡଳୀ’ରେ ସୁଖାସୀନ ହୋଇ ଗଭୀର ଅଭିନିବେଶ ଓ ତଦନୁରୂପ ହୃଦୟହୀନତା ସହିତ ପତିତା ରମଣୀର ଘଟଣାରେ ବ୍ୟବହାରାଜୀବ ପରି ଫଉଜଦାରୀ ଓ ଦେବାନୀ ଦଣ୍ଡବିଧିର ଆଇନ ପ୍ରୟୋଗ କରୁଥାନ୍ତି, ସେତେବେଳେ, ହେ ପ୍ରଭୁ, ତୁମର ବିଚାର ମନେ ପଡ଼ିଯାଏ, ମନେ ପଡ଼ିଯାଏ ବ୍ୟଭିଚାରରେ ଧୃତା ସେହି ସ୍ତ୍ରୀଲୋକର ଲଜ୍ଜାବନତ ବଦନ, ତାକୁ ଘେରି ରହିଥିବା ଧର୍ମଧ୍ୱଜୀଙ୍କର ବ୍ୟଙ୍ଗବିଦ୍ରୂପର କ୍ରୂର ସ୍ମିତହାସ୍ୟ, ଆଉ ନାରୀର ଅପମାନରେ ପୁରୁଷଜାତିର ଯେଉଁ ଅପମାନ ତାହାରି ଲଜ୍ଜାରେ ତୁମର ଆନତ ମୁଖମଣ୍ଡଳ । ଜଗତର ପ୍ରହାରରେ ଜର୍ଜ୍ଜରିତ ରକ୍ତାକ୍ତ ଯେ ପ୍ରାଣ, ସେହି ପୀଡ଼ିତ ପ୍ରାଣରେ ମଣ୍ଡଳୀ କାହୁଁ ସାନ୍ତ୍ୱନା ଓ ଉପଶମ ଆଣିବ, କାହୁଁ ତାର କ୍ଷତକୁ ତୈଳଦେଇ ବାନ୍ଧି ବାହାରର ଆକ୍ରମଣରୁ, ବାହାରର ସଂଘର୍ଷରୁ ଢାଙ୍କି ରକ୍ଷା କରିବ, ନା ରୋଗ ଶଯ୍ୟାରୁ ସେ ପ୍ରାଣକୁ ‘ବିଚାର ମଣ୍ଡଳୀ’ର ପ୍ରାଙ୍ଗଣତଳକୁ ଟାଣିଆଣି ବିଚାର କରିବାକୁ ତାର କୈଫିୟତ ତଲବ କରିବ, ତାର ଦଣ୍ଡବିଧାନ କରିବ ?

 

ଯେଉଁ ଅଧ୍ୟାପକ ଓ ଫାରୁଶୀମାନେ ନୀତିର ଏହି ଶ୍ରେଷ୍ଠ ନିୟମର ଲଙ୍ଘନ ଦେଖି ନିତାନ୍ତ ଅସହିଷ୍ଣୁତା ସହିତ ଯିରୂଶାଲମ ମନ୍ଦିରର ପବିତ୍ର ପ୍ରାଙ୍ଗଣରେ ପ୍ରବେଶ କରି ପ୍ରଭୁଙ୍କୁ ତାଙ୍କର ଶାସ୍ତ୍ରାଲୋଚନା ଓ ଶିକ୍ଷାଦାନରେ ବାଧା ଦେଇଥିଲେ, ସେମାନେ ବାସ୍ତବିକ ଆଜିକାଲିକା ସମାଜର କ୍ଷୁଦ୍ରାବୟବ ପ୍ରତିରୂପ । ବ୍ୟବସ୍ଥା ଲଙ୍ଘନ କରା ହୋଇଅଛି, ସେଥିପାଇଁ ସେମାନଙ୍କ ମନରେ ଯେଉଁ ପବିତ୍ର କ୍ରୋଧ ଜାତ ହୋଇଅଛି ତାର ଆଉ ସୀମା ନାହିଁ । ତାକୁ ପ୍ରକାଶ କରିବାକୁ ଯାଇ ସେଥିରେ ସେ ନାରୀର ଲଜ୍ଜା ଅପମାନ ବାହାରକୁ ବାହାରି ପଡ଼ୁ ଅବା ପ୍ରଭୁଙ୍କର ଶିକ୍ଷାଦାନରେ ବ୍ୟାଘାତ ଘଟୁ ତହିଁପ୍ରତି ଭ୍ରୂକ୍ଷେପ କରିବାକୁ ସେମାନଙ୍କର ସମୟ ନାହିଁ । ବ୍ୟବସ୍ଥା ପ୍ରତିପାଦନ ଆଗେ ନ ହୋଇ ସୁସମାଚାର ପ୍ରଚାର ଆଗେ ହେବ ? ବ୍ୟବସ୍ଥା ବା ଆଇନ ଆଡ଼କୁ ନଜର ଏତେ ବେଶୀ ଯେ ଭଦ୍ରତା ଭବ୍ୟତା ଆଡ଼କୁ ଦୃଷ୍ଟି ନାହିଁ । ସେମାନେ ଯେ ବ୍ୟବସ୍ଥାର ପକ୍ଷନେଇ ଏହି ସ୍ତ୍ରୀଲୋକ ବିରୁଦ୍ଧରେ ଉଠିଛନ୍ତି ଏହି ଜ୍ଞାନରେ ସେମାନେ ଏପରି ଗ୍ରସ୍ତିତ ହୋଇଛନ୍ତି, ସେମାନେ ଯେ ଭଦ୍ରତାର ଅତି ସାଧାରଣ ନିୟମମାନଙ୍କର ବିରୁଦ୍ଧାଚରଣ କରୁଛନ୍ତି ତାହା ଜାଣିପାରୁ ନାହାନ୍ତି ।

 

ଏହି ସ୍ତ୍ରୀଲୋକ ଓ ତାହାର ପାପପ୍ରତି ସେମାନଙ୍କ ମନର ଭାବ ଏହିପରି, କିନ୍ତୁ ଖ୍ରୀଷ୍ଟଙ୍କ ପାଖକୁ ତାକୁ ଆଣିବାରେ ସେମାନଙ୍କ ମନର ଭାବ ଅନ୍ୟପ୍ରକାର । ସେମାନଙ୍କର ସମସ୍ତ କପଟ ଧର୍ମାଚରଣ ଓ ପୌରହିତ୍ୟ ଅତ୍ୟାଚାର ବିରୁଦ୍ଧରେ ପ୍ରଭୁ ଯେଉଁ ଜ୍ୱାଳାମୟୀ ତିରସ୍କାରବାଣୀ ବ୍ୟବହାର କରିଥିଲେ ତାହାର ଦାହ ସେମାନଙ୍କର ମନରୁ ଲିଭି ନାହିଁ । ବର୍ତ୍ତମାନ ପ୍ରତିଶୋଧ ନେବାର ସମୟ ଆସିଛି, ତାଙ୍କରି କଥାରେ ତାଙ୍କୁ ଧରିବାର ସୁଯୋଗ ମିଳିଛି । ଉଦାହରଣ ଦେଇ ରୂପକ କଥାରେ ପ୍ରଚାର କରିବା ସହଜ । ସେଥିରେ ପ୍ରଚାରକକୁ ଧରିବା କଷ୍ଟକର । କାରଣ, ରୂପକର ବହୁବିଧ ଅର୍ଥ ହୋଇପାରେ । କିନ୍ତୁ, ବ୍ୟଭିଚାର, ପରଦାର ଅତି ଜଘନ୍ୟ ଜିନିଷ । ଏହାର ବିଚାର, ଏ ସମାସ୍ୟାର ମୀମାଂସା ରୂପକ କଥାରେ ହୁଏ ନାହିଁ । ଆପଣାକୁ ପାପୀର ବନ୍ଧୁ ବୋଲି ମୁହଁରେ ପରିଚୟ ଦେବା ସହଜ, କିନ୍ତୁ ଦେଖାଯାଉ ମୋଶାର ବ୍ୟବସ୍ଥା ସମ୍ମୁଖରେ ଏ ଆସ୍ଫାଳନ କେତେକ୍ଷଣ ଛିଡ଼ାହୁଏ ।

 

ସେମାନେ ଲଜ୍ଜା ଓ ଅପମାନରେ ନମ୍ରମୁଖୀ ସେ ସ୍ତ୍ରୀଲୋକକୁ ନିତାନ୍ତ ଅନାସ୍ଥା ଓ ଉଦାସୀନତା ସହିତ ନେଇ ଆସି ଯେଉଁଠି ପ୍ରଭୁ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି, ମନ୍ଦିର ଅଗଣାରେ ସେହି ଲୋକମାନଙ୍କ ମଝିରେ ଛିଡ଼ା କରିଦେଇ ତାଚ୍ଛିଲ୍ୟ ଭାବରେ କହିଲେ, ‘ରାବ୍ବି, ଏହି ସ୍ତ୍ରୀଲୋକଟା ବ୍ୟଭିଚାର କରୁ କରୁ ଧରାପଡ଼ିଛି । ବ୍ୟବସ୍ଥାରେ ମୋଶା ଏପରି ଲୋକକୁ ପଥର ଫୋପାଡ଼ି ମାରିବାକୁ ଆମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି, କିନ୍ତୁ ଆପଣ କଣ କହନ୍ତି ?’ ପ୍ରଶ୍ନଟି ପୂର୍ବରୁ ଅତ୍ୟନ୍ତ ଚିନ୍ତା ଏବଂ ସତର୍କତାର ସହିତ ପ୍ରସ୍ତୁତ କରା ହୋଇଅଛି । ସେମାନେ ତାଙ୍କୁ ‘ରାବ୍ବି’ ବୋଲି ସମ୍ବୋଧନ କରୁଅଛନ୍ତି, ଇଚ୍ଛା ରୂପକ କଥା କୁହାଇବାକୁ ନୁହେଁ, ବ୍ୟବସ୍ଥାର ଅର୍ଥଭେଦ କରିବାକୁ ତାଙ୍କୁ ବାଧ୍ୟ କରିବା । ଦେଖାଉଛନ୍ତି ସେମାନେ ଯେପରି ମହାସମସ୍ୟାରେ ପଡ଼ିଛନ୍ତି । ଶୁଷ୍କ ବ୍ୟବସ୍ଥା ଏବଂ ତାଙ୍କ ଶିକ୍ଷା ମଧ୍ୟରେ ଯେଉଁ ବିରୁଦ୍ଧତା ଅଛି ତାହାର ସୂଚନାଟି କେବଳ କରିଦେଉଛନ୍ତି । ଏମନ୍ତ କି ଧର୍ମାଧିକରଣରେ ବିଚାରପ୍ରାର୍ଥୀ ହୋଇ ଅଭିଯୁକ୍ତର ଓକିଲାତି କରିବାର ଅଭିନୟ ମଧ୍ୟ କରୁଛନ୍ତି । କିନ୍ତୁ କଣ ହେବ, ଅତିବୁଦ୍ଧିରେ କାର୍ଯ୍ୟ କରିବାକୁ ଯାଇ ନିଜ ନିର୍ବୁଦ୍ଧିତାରେ ନିଜେ ଧରାପଡ଼ିଛନ୍ତି । ଯଦି ସ୍ତ୍ରୀଲୋକ ବ୍ୟଭିଚାରରେ ଧରାପଡ଼ିଛି, ତାର ସେ କାର୍ଯ୍ୟର ସହଯୋଗୀ କାହିଁ-? ଯଦି ବ୍ୟବସ୍ଥାପାଳନ ପାଇଁ ଉଦ୍ଯୋଗ ଏତେ ବେଶୀ, ତେବେ ପୁରୁଷର ଦୋଷ ଦର୍ଶାଇବାକୁ କାହିଁକି ଭୁଲିଛନ୍ତି ? ଯଦି ସ୍ତ୍ରୀଲୋକ ପ୍ରତି ପ୍ରସ୍ତର ନିକ୍ଷେପ କରିବାକୁ ଇତସ୍ତତଃ, ତେବେ ତାକୁ ଏ ଜନତାର ହୃଦୟହୀନ କ୍ରୂର ଦୃଷ୍ଟିତଳେ କାହିଁକି ରଖାହୋଇଛି ? ବାସ୍ତବିକ ଯେଉଁମାନଙ୍କର ଧର୍ମ ଶାସ୍ତ୍ରର ବିଧି ବ୍ୟବସ୍ଥା, ନିଷେଧ ନିଦେଶ ମଧ୍ୟରେ ଆବଦ୍ଧ, ସେମାନେ କେବଳ ଅକ୍ଷରମାଳାର ପୂଜା କରନ୍ତି । ଏହିପରି ଧର୍ମଧ୍ୱଜୀଙ୍କର ଧର୍ମର ଦାଉ ବେଶୀକରି ସହିବାକୁ ହୁଏ ଦୁର୍ବଳମାନଙ୍କୁ ।

 

ଯୀଶୁ ମୁଣ୍ଡ ନୁଆଁଇ ଅଙ୍ଗୁଳି ଦେଇ ଭୂମିରେ ଲେଖିବାକୁ ଲାଗିଲେ । ଏପରି ଅନେକ ମୁହଁ ଅଛି ଯାହା ଦେଖିଲାକ୍ଷଣି ଲୋକ ସ୍ୱତଃ ମୁହଁ ଫେରାଇନିଏ । ଆତ୍ମମ୍ଭରିର ଔଦ୍ଧତ୍ୟ, ନିଷ୍ଠୁରତାର ନିର୍ମମ ଦୃଷ୍ଟି, ଅନାବଶ୍ୟକ ଅହଂକାରର ଅତିମାତ୍ର ସଂକୋଚହୀନତା, ବିଜୟର ଯେଉଁ ବିକଟହାସ୍ୟ ପ୍ରତିହିଂସାପ୍ରିୟ ପ୍ରକୃତିର ମୁଖରେ ଫୁଟି ଉଠେ, ତାହା ଆଡ଼କୁ ଯଦି ଦୁର୍ଭାଗ୍ୟବଶତଃ କାହାରି ଦୃଷ୍ଟି ଥରେ ପଡ଼ିଯାଏ, ସେହି ଥରକ ତା’ପକ୍ଷରେ ଯଥେଷ୍ଟ, ଆଉ ଥରେ ଫେରି ଚାହିଁବାର ଇଚ୍ଛା ନ ଥାଏ । ସେହିପରି, ଅନେକ ମୁହଁ ଅଛି ଯାହା ଲଜ୍ଜାରେ ଏପରି ମଉଳି ପଡ଼ିଥାଏ, ଅନେକ ଚକ୍ଷୁ ଅଛି ତାହା ଆଡ଼କୁ ଲୋକେ ଯେମନ୍ତ ଦୟାକରି ନ ଅନାନ୍ତି ଏହି ନିବେଦନ ଏପରି କରୁଣ ହୋଇ ଉଠିଥାଏ ଯେ ସେ ସବୁର ସମ୍ମୁଖୀନ ହେଲେ ମୁଣ୍ଡ ଆପଣାମନକୁ ନଇଁପଡ଼େ । ଅଧ୍ୟାପକ ଓ ଫାରୁଶୀଙ୍କ ଆଡ଼ୁ ପ୍ରଭୁ ଘୃଣାରେ ମୁହଁ ଫେରାଇ ନେଲେ, କିନ୍ତୁ ସେ ନାରୀର ଚକ୍ଷୁରେ ମିନତିପୂର୍ଣ୍ଣ କାତରତା ଦେଖି ସହାନୁଭୂତିରେ ତାଙ୍କ ହୃଦୟ ସହିତ ଆଖି ମଧ୍ୟ ନଇଁପଡ଼ିଲା ।

 

ସେ ଅଙ୍ଗୁଳି ଦେଇ ମାଟିରେ ଲେଖିବାକୁ ଲାଗିଲେ । ଏପରି ଅନେକ ପ୍ରସଙ୍ଗ ଅଛି ଯାହା ଆଲୋଚନା କଲେ କି ତତ୍‌ସଂକ୍ରାନ୍ତ ଯୁକ୍ତିତର୍କରେ ନିଯୁକ୍ତ ହେଲେ ଲୋକ ନିଜ ଅଭଦ୍ରତା ଓ ମାର୍ଜ୍ଜିତରୁଚିର ଅଭାବର ପରିଚୟ ଦିଏ । ଏପରି ଅନେକ ପାପ ଅଛି ଯାହାର ନଥି ଧୂଳି ବାଲିରେ ଲେଖି ରଖିବାକୁ ହୁଏ, ଯେପରି ଅନୁତାପର ବନ୍ୟା ଆସି ସ୍ମୃତିରୁ ତାର ଚିହ୍ନ ପର୍ଯ୍ୟନ୍ତ ଲୋପ କରିଦେବ । ଏହି ଅଧ୍ୟାପକ ଓ ଫାରୁଶୀମାନେ ମନ୍ଦିରକୁ ବ୍ୟବସାୟ ବାଣିଜ୍ୟର ସ୍ଥାନ କରି ସାରିଥିଲେ, ବିବାହବନ୍ଧନ ଛିନ୍ନ କରିବା ଓ ଛାଡ଼ପତ୍ର ଦେବାପାଇଁ କଣ ଏହାକୁ ଅଦାଲତରେ ପରିଣତ କରିବାକୁ ପ୍ରଭୁ ସେମାନଙ୍କୁ ସାହାଯ୍ୟ କରିଥାନ୍ତେ ? ଏ ପ୍ରାର୍ଥନାର ଗୃହ, ଯେଉଁଠାକୁ ପାପୀ ଅନୁତାପୀ ଆସି ପାପକ୍ଷମା ଓ ପ୍ରାଣରେ ଶାନ୍ତି ଲାଭ କରିବ, ଦୋଷୀର ଦଣ୍ଡବିଧାନ କରିବାର ସ୍ଥାନ ଏ ନୁହେଁ ।

 

ବିଜୟ ଲାଭର ସମ୍ଭାବନା ଏହି ଅଧ୍ୟାପକମାନଙ୍କୁ ଏପରି ନିଶ୍ଚିନ୍ତ କରିଛି ଯେ, ଏହି ଅଯୌକ୍ତିକତାରୁ ରକ୍ଷାପାଇ ଯେପରି ଅପଦସ୍ଥ ନ ହୋଇ ଭଲରେ ଫେରିଯାନ୍ତି, ସେ ସୁଯୋଗ ପ୍ରଭୁ ଦୟାବହି ଦେଲେ ସୁଦ୍ଧା ସେମାନେ ଗ୍ରହଣ କରୁ ନାହାନ୍ତି । ପ୍ରଭୁଙ୍କୁ ନିରୁତ୍ତର ଦେଖି ସେ ନୀରବତାକୁ ସେମାନେ ପରାଜୟର ସଂକୋଚ, ତାଙ୍କର ମସ୍ତକ ଅବନତ କରିବାକୁ ଉଦ୍‌ବିଗ୍ନତା ଲୁଚାଇବାର ଉପାୟ ମନେ କରୁଛନ୍ତି । ପ୍ରାଙ୍ଗଣର ଚାରିଆଡ଼ୁ ‘ଉତ୍ତର ଦିଅ, ଉତ୍ତର ଦିଅ’ ଶବ୍ଦ ଅଧୈର୍ଯ୍ୟ ଭାବରେ ଉଠିଲା । ପ୍ରଭୁ ଅତି ଧୀରେ ଉଠିଲେ । ସେହି ସ୍ତ୍ରୀଲୋକ ବିରୁଦ୍ଧରେ ଅଭିଯୋଗକାରୀ ଶାସ୍ତ୍ରାଧ୍ୟାପକମାନଙ୍କୁ ପ୍ରଶାନ୍ତ ଗାମ୍ଭୀର୍ଯ୍ୟ ସହିତ ଅନାଇଲେ । ଯେଉଁ ଦୃଷ୍ଟିରେ ଉଦବେଗର ଚଞ୍ଚଳତା ଦେଖିବେ ବୋଲି ଆଶା କରିଥିଲେ ସେଥିରେ ଏପ୍ରକାର ମର୍ମଭେଦୀ ସ୍ଥିରତା ଦେଖି ସେମାନଙ୍କର ଚକ୍ଷୁ ଅବନତ ହୋଇଗଲା । କି ଏକ ଅପରିସୀମ ନିସ୍ତବ୍ଧତା ମନ୍ଦିର ପ୍ରାଙ୍ଗଣକୁ ଓହ୍ଲାଇ ଆସିଲା । ସେହି ନିସ୍ତବ୍ଧତା ମଧ୍ୟରେ ଅତିଧୀରେ ପ୍ରଭୁ ଉତ୍ତର ଦେଲେ, ‘ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ ସେ ପ୍ରଥମେ ଏହାକୁ ପଥର ପକାଇ ମାରୁ ।’ ତା’ପରେ ମୁଣ୍ଡପୋତି ପ୍ରଭୁ ପୁନର୍ବାର ମାଟିରେ ଲେଖିଲେ ।

 

ଆସନ୍ନ ଉତ୍ତରର ଆଶଙ୍କା ତ ସେମାନଙ୍କୁ ନୀରବ କରିଥିଲା, ତାଙ୍କର ଉତ୍ତର ବର୍ତ୍ତମାନ ସେମାନଙ୍କୁ ବିହ୍ୱଳ କରିଦେଲା । ସ୍ତ୍ରୀଲୋକର ବିଚାର ଦେଖିବାକୁ ଆସିଥିଲେ, କିନ୍ତୁ ଶୁଣିଲେ ନିଜର ଦଣ୍ଡାଜ୍ଞା । ମୋଶାର ବାକ୍ୟ ସେମାନେ ଉଦ୍ଧୃତ କରିଥିଲେ, କିନ୍ତୁ ତା ପରିବର୍ତ୍ତେ ଶୁଣିଲେ ଈଶ୍ୱରଙ୍କର ରବ । ଏ କୌଣସି ‘ରାବ୍ବି’ର ମତ ନୁହେଁ ଯେ ଏ ସମ୍ୱନ୍ଧରେ ପ୍ରଶ୍ନ ଉଠିପାରେ, ଆଲୋଚନା ହୋଇପାରେ । ଏହା ସେମାନଙ୍କର ବିବେକର ବିଚାରବାଣୀ । ଏ ବିଚାର ଉପରେ ଅପିଲ ନାହିଁ । ହଠାତ୍‌ ମନ୍ଦିର ପ୍ରାଙ୍ଗଣ ପ୍ରେତାତ୍ମରେ ପୂର୍ଣ୍ଣ ହୋଇଗଲା, ଏ ବାଣୀ ସେମାନଙ୍କୁ ଅତୀତରୁ ଡାକି ଆଣିଲା । ଯେଉଁ ପାପ ସବୁ ମୃତ ଓ ବହୁଦିନରୁ ବିସ୍ମୃତ ଗର୍ଭରେ ପ୍ରୋତ୍ଥିତ ହୋଇଥିଲା ସେ ସବୁର ପ୍ରେତାତ୍ମା, ଏବଂ ଯୌବନର ଆଦ୍ୟ ଦିନରେ ଯେଉଁମାନେ ପାପପଥରେ ସହପଥିକ ହୋଇଥିଲେ ସେମାନଙ୍କର ପ୍ରେତାତ୍ମାଙ୍କୁ ଆଜି କଳ୍ପନା ସମୟର ପ୍ରତିଲୋମ ସ୍ରୋତରେ ବହି ଆଣିଲା । ମୃତ ଅତୀତର ଏ ଜୀବନ୍ତ ନଗ୍ନମୂର୍ତ୍ତି ସେମାନଙ୍କୁ ଏପରି ବିହ୍ୱଳ କରିଛି ଯେ ବର୍ତ୍ତମାନର ନାରୀ, ରାବ୍ବି, ଉପସ୍ଥିତ ଜନସଂଘ ଯେପରି ଯାଦୁକରର ମାୟାଦଣ୍ଡ ସ୍ପର୍ଶରେ ସେମାନଙ୍କ ଦୃଷ୍ଟିରୁ ଉଭେଇ ଯାଇଛନ୍ତି-। ଆତ୍ମଚିନ୍ତାର ମହାଭୀତି ସେମାନଙ୍କୁ ଗ୍ରାସ କରିଛି । ସେଥିପାଇଁ ଗୋଟି ଗୋଟି କରି ସମସ୍ତେ ଶଙ୍କିତ ପଦରେ ବିଚାରସ୍ଥାନରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।

 

ପ୍ରଭୁଙ୍କର ଉତ୍ତରରେ କୌଣସି ବିଦ୍ରୂପ ଲୁକ୍କାୟିତ ନାହିଁ, ସେମାନଙ୍କ କପଟତା ପାଇଁ କୌଣସି ତିରସ୍କାର ନାହିଁ, ସେମାନଙ୍କର କାପୁରୁଷତାର କୌଣସି ଉଲ୍ଲେଖ ନାହିଁ । ସେ ସ୍ତ୍ରୀଲୋକ ପ୍ରତି ସେମାନେ ଯେ ସମସ୍ତ ବ୍ୟବହାର କିବା ତାଙ୍କ ନିଜ ପ୍ରତି ଯେ ଭାବ ଦେଖାଇଛନ୍ତି, ପ୍ରଭୁ ସେସବୁ ସମ୍ୱନ୍ଧରେ କିଛି କହୁ ନାହାନ୍ତି । ସେମାନଙ୍କର ମୂକ ବିବେକକୁ ବାଙ୍ମୟ କରି ସେ ନୀରବ ହୋଇଛନ୍ତି, ସେମାନଙ୍କୁ ସେମାନଙ୍କ ନିଜ ବିଚାରର ସମ୍ମୁଖୀନ କରିଛନ୍ତି । କଥା କହି ପୁଣି ସେମାନଙ୍କ ଆଡ଼କୁ ଅନାଇବା ଦ୍ୱାରା କଥାର ଶକ୍ତିକୁ ବ୍ୟର୍ଥ କରିବାକୁ ସେ ଚାହିଁ ନାହାନ୍ତି । ସେ ପୁନର୍ବାର ମସ୍ତକ ଅବନତ କରି ଅଙ୍ଗୁଳି ଦେଇ ଭୂମିରେ ରେଖାପାତ କରୁଛନ୍ତି, ମୁହୂର୍ତ୍ତ ଗଣୁଛନ୍ତି । ସ୍ମୃତି ଯେମନ୍ତ ସେମାନଙ୍କୁ ନିଜ ନିଜ ଅତୀତର ଗୋପନ କଥା ଶୁଣାଏ ତହିଁ ନିମିତ୍ତ ସେ ନୀରବ ହୋଇଛନ୍ତି । କାରଣ କେତେବେଳେ କଥା କହିବାକୁ ହୁଏ, କେତେବେଳେ ବା କହିବାରୁ ବିରତ ହେବାକୁ ହୁଏ, କେତେବେଳେ ଅନାଇବାକୁ ହୁଏ, କେତେବେଳେ ଆଖି ନେଉଟାଇ ନେବାକୁ ହୁଏ, ପ୍ରଭୁ ଜାଣନ୍ତି ।

 

ଅଭିଯୋଗକାରୀର ଶେଷ ପାଦବିକ୍ଷେପର ପ୍ରତିଧ୍ୱନି ନୀରବ ହୋଇଛି, ମନ୍ଦିର ପ୍ରାଙ୍ଗଣରେ ନୀରବତା ରାଜତ୍ୱ କରୁଛି । ଯୀଶୁ ଏକା, ମନ୍ଦିର ପ୍ରାଙ୍ଗଣ ମଧ୍ୟସ୍ଥଳରେ ଛିଡ଼ା ହୋଇଥିବା ନାରୀ ମଧ୍ୟ ଏକା । କି ଭାବରାଶିର ତୁମୁଳତରଙ୍ଗ ସେ ନାରୀର ବକ୍ଷସ୍ଥଳ ଆଲୋଡ଼ିତ କରୁଛି ତା ସେ ଜାଣେ । ତାକୁ ଦୋଷ ଦେବା ଲୋକେ ଚାଲି ଯାଇଛନ୍ତି, କିନ୍ତୁ ଦୋଷ ତାର ରହିଛି । ତାକୁ ଯେଉଁମାନେ ଧରି ଆଣିଥିଲେ ସେମାନେ ନାହାନ୍ତି, କିନ୍ତୁ ବନ୍ଦିତ୍ୱ ତାର ଘୁଞ୍ଚି ନାହିଁ । ସେ ତାର ବିବେକର ବନ୍ଦୀ । ‘ଯୁରୀ’ ଅଯୋଗ୍ୟ ହେବାରୁ ବିଦାୟ ପାଇଛନ୍ତି, କିନ୍ତୁ ବିଚାରାସନରେ ବିଚାରକର୍ତ୍ତା ସମାସୀନ । ସେ ଯଦି ଟିକିଏ ତାଙ୍କ ମୁଖ ଦେଖିପାରନ୍ତା, ତାହାହେଲେ ତା ଭାଗ୍ୟରେ କଣ ଅଛି ବୁଝିପାରନ୍ତା । ପ୍ରଭୁଙ୍କର ମସ୍ତକ କିନ୍ତୁ ସେପର୍ଯ୍ୟନ୍ତ ଭୂମି ଆଡ଼କୁ ଅବନତ । ସେ ଯଦି ଥରେ କଥା କହନ୍ତେ, କେଜାଣି ତାଙ୍କ ସ୍ୱରରୁ ତାଙ୍କ ମନର ଭାବ ବୁଝିପାରନ୍ତା । ପ୍ରଭୁ କିନ୍ତୁ ନୀରବରେ ମାଟିରେ ଲେଖୁଛନ୍ତି ।

 

ଅବଶେଷରେ ଲେଖା ବନ୍ଦ ହେଲା, ମସ୍ତକ ଉଠାଇ ପ୍ରଭୁ ଉଠିଲେ । ଲଜ୍ଜାରେ ବିହ୍ୱଳ ହୋଇ ନାରୀର ଚକ୍ଷୁ ଅବନତ ହେଲା । ତାହାର ଉତ୍କର୍ଣ୍ଣ ପ୍ରାଣ ତାଙ୍କର ସ୍ୱରରେ କୌଣସି କର୍କଶ ତିରସ୍କାର ଶୁଣୁ ନାହିଁ । ଏ ବିଚାରକର ଆଜ୍ଞା ନୁହେଁ, ବନ୍ଧୁର ପ୍ରଶ୍ନ । ‘ହେ ନାରୀ, ସେମାନେ କାହାନ୍ତି-? କେହି କି ତୁମ୍ଭକୁ ଦୋଷୀ କରିନାହିଁ ?’ ଯେଉଁ ସମ୍ୱୋଧନରେ ସେ ତାକୁ ସମ୍ୱୋଧନ କରୁଛନ୍ତି ସେ ଅତି ମର୍ଯ୍ୟାଦାର ଅଭିନନ୍ଦନ । ତାକୁ ‘ନାରୀ’ ସମ୍ୱୋଧନ କରି ତାର ଆତ୍ମମର୍ଯ୍ୟାଦାଜ୍ଞାନ ଜନ୍ମାଉଛନ୍ତି, ନାରୀର ମହିମାମୟୀ ମର୍ଯ୍ୟାଦାକୁ ତା ଅନ୍ତରେ ପ୍ରବୁଦ୍ଧ କରୁଛନ୍ତି । ସେ ଯେ ଅନ୍ୟର ଭାର୍ଯ୍ୟା ତାହାରି ଗୌରବ ତାକୁ ସ୍ମରଣ କରାଇ ଦେଉଛନ୍ତି । ପ୍ରଭୁ ଯେ ଅଭିଯୋଗକାରୀଙ୍କର ପ୍ରତ୍ୟାବର୍ତ୍ତନ କଥା ଜାଣି ନାହାନ୍ତି ବୋଲି ତାକୁ ଏ ପ୍ରଶ୍ନ କରୁଛନ୍ତି ତାହା ନୁହେଁ, କିନ୍ତୁ ଯେ ମହାଉଦ୍ଧାର ତା ଭାଗ୍ୟରେ ଘଟିଛି ତାକୁ ଯେପରି ହୃଦୟଙ୍ଗମ କରିପାରିବ, ସେଥିପାଇଁ ଏ ପ୍ରଶ୍ନ ପଚାରୁଛନ୍ତି । ଏ ପ୍ରଶ୍ନ ଯେ ବିସ୍ମୟ ପ୍ରକାଶ କରୁଛି ତାହା ସେ ସ୍ତ୍ରୀଲୋକର ପାପଭାର ଲଘୁ କରିବାକୁ ନୁହେଁ, ପାପର ଭୟାନକତା କମାଇବାକୁ ନୁହେଁ, ମାତ୍ର ତାର ନିଷ୍କୃତି ଲାଭରେ ସେ ଯେମନ୍ତ କୃତଜ୍ଞତା ଓ ବିସ୍ମୟ ଅନୁଭବ କରେ । ଆପଣା ବିବେକର ଦରବାର ସମ୍ମୁଖରେ ଛିଡ଼ା ହୋଇ ସେ ଯେତେବେଳେ ନିଜର ଦୋଷ ସ୍ୱୀକାର କରିଛି, ଅଥଚ ଏପର୍ଯ୍ୟନ୍ତ ଦଣ୍ଡଦାତାର ହସ୍ତ ତା ଉପରେ ପଡ଼ିନାହିଁ, ଏ ମୁକ୍ତି କଣ ଅନ୍ୟର ନିର୍ଦୋଷତାର ଅଭାବରୁ ?

 

ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରୁ ତାର ହୃଦୟ ମଧ୍ୟରେ ଚିନ୍ତାର କେତେ ସ୍ରୋତ ପ୍ରବାହିତ ହୋଇ ନ ଥିବ ? ଲୋକସାଧାରଣଙ୍କ ଚକ୍ଷୁତଳେ ଥାଇ ଅପମାନର ଏ ଆୟୋଜନ ଦେଖି କଣ କ୍ରୋଧରେ ତାର ହୃଦୟ ଜଳି ନ ଥିବ ? ଅସହନୀୟ ଆତ୍ମ ନିର୍ବେଦରେ କଣ ତାର ପ୍ରାଣ ଭାଙ୍ଗିପଡ଼ି ନ ଥିବ ? ଅଧ୍ୟାପକ ଫାରୁଶୀମାନଙ୍କର ଅଭିଯୋଗ ଆକ୍ରମଣର ଆଘାତ ପାଇ ସୁଦ୍ଧା ସେ ନିଜ ନିର୍ଦ୍ଦୋଷତା ପ୍ରଖ୍ୟାପନ କି ଦୋଷସ୍ୱୀକାରର ଚେଷ୍ଟା କରି ନାହିଁ । ତିକ୍ତତାରେ ତାର ପ୍ରାଣ ଜମାଟ ବାନ୍ଧି ଯାଇଛି, ସେଥିପାଇଁ ଏ ଜଡ଼ତା, ପ୍ରସ୍ତର ପରି ଏ ନୀରବତା । ତା ସହିତ ବିଶ୍ୱାସଘାତକତା କରି ଯେ ପୁରୁଷ ତାକୁ ପରିତ୍ୟାଗ କରିଛି, ତାର ଦୋଷ ସେ ଦେଖାଇ ନିଜର ଦାୟିତ୍ୱ କମାଇବାକୁ ଚେଷ୍ଟା କରି ନାହିଁ । ପ୍ରଭୁଙ୍କର ମୃଦୁବଚନ ତା ପ୍ରାଣରେ ମୃଦୁତା ଆଣିଦେଲା, ତାର ହୃଦୟର କାଠିନ୍ୟ ଦ୍ରବ କରିଦେଲା । ତାର ଓଷ୍ଠଦ୍ୱୟ ଉପରେ ନିଷ୍ଠୁରତାର ବଜ୍ରମୁଷ୍ଠି ମୁଦ୍ରାଙ୍କ ଦେଇଥିଲା, କିନ୍ତୁ ପ୍ରଭୁଙ୍କର କରୁଣା ସ୍ପର୍ଶରେ ଓଷ୍ଠ ତାର ବନ୍ଧନମୁକ୍ତ ହେଲା, ଜିହ୍ୱାର ଜଡ଼ତା ଘୁଞ୍ଚିଗଲା । ସେ କହିଲା ‘କେହି ନାହିଁ, ପ୍ରଭୋ’ । ତାର ଅଭିଯୋଗକାରୀ ତା ସମ୍ମୁଖରେ ତାଙ୍କୁ ‘ରାବ୍ବି’ ବୋଲି ଡାକିଛନ୍ତି, ପ୍ରଭୁ କିନ୍ତୁ ତାର ‘ପ୍ରଭୁ’ ଅଟନ୍ତି । ସେ ଅପେକ୍ଷା କରି ରହିଲା । କଣ କେଉଁ ଦଣ୍ଡ ସେ ଦେବେ, ଶୁଣିବାକୁ ? ନା, ନା, ତାଙ୍କର ଆଦେଶ ପାଇବାକୁ । ଆଜିଠୁଁ ଯେ ସେ ତାଙ୍କର କ୍ରୀତଦାସୀ, ପ୍ରଭୁ ତାର ‘ପ୍ରଭୁ’, ମାଲିକ । ସେ ପ୍ରଭୁଙ୍କର ଅସୀମ ଦୟାରେ ବନ୍ଦୀ ହୋଇଛି, ଈଶ୍ୱରଙ୍କର ଅପରିମେୟ ଅନୁକମ୍ପାରେ କିଣା ହୋଇଛି ।

 

ପ୍ରଭୁ ତାର ମର୍ମକଥା ବୁଝିଛନ୍ତି । ତାର କାତର ଭିକ୍ଷାରେ ପ୍ରଣିଧାନ କରିଛନ୍ତି । ଅନୁତାପର ପ୍ରସ୍ତରବୃଷ୍ଟି ତା ଉପରେ ପଡ଼ି ତା ହୃଦୟକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଛି । ଦୟାମୟ ବ୍ୟଥିତର ହୃଦୟବ୍ୟଥା ବୁଝି ଉତ୍ତର ଦେଉଛନ୍ତି, ‘‘ଆମ୍ଭେ ମଧ୍ୟ ତୁମ୍ଭଙ୍କୁ ଦୋଷ ଦେଉ ନାହୁଁ । ଯାଅ, ଆଉ ପାପ ନ କର ।’’

Image

 

Unknown

ଧର୍ମରେ ରକ୍ଷଣଶୀଳତା

 

ଯୋହନଙ୍କର ଶିଷ୍ୟମାନେ ତାହାଙ୍କ (ଯୀଶୁଙ୍କ) ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୁଶୀମାନେ ଅନେକଥର ଉପବାସ କରିଥାଉଁ, ମାତ୍ର ତୁମ୍ଭର ଶିଷ୍ୟମାନେ ଉପବାସ କରନ୍ତି ନାହିଁ, ଏହାର କାରଣ କଣ ? ଯୀଶୁ ସେମାନଙ୍କୁ କହିଲେ, ବର ସଙ୍ଗେ ଥାଉ ଥାଉ କି ବରଯାତ୍ରୀ ଉପବାସ କରି ପାରନ୍ତି ? ଯେତେବେଳେ ବର ସେମାନଙ୍କ ନିକଟରୁ ଅନ୍ତର ହେବେ, ସେତେବେଳେ ସେମାନେ ଉପବାସ କରିବେ । ପୁରାତନ ବସ୍ତ୍ରରେ କେହି ନୂତନ ବସ୍ତ୍ରର ତାଳି ଦିଏ ନାହିଁ, ଯେହେତୁ ସେହି ତାଳିରେ ପୁରାତନ ବସ୍ତ୍ର ଛିଣ୍ଡିଯାଏ, ଓ ସେହି ଛିଦ୍ର ଅଧିକ ମନ୍ଦ ଦିଶେ । ପୁରୁଣା କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ରଖେ ନାହିଁ, ଯେହେତୁ ତାହା କଲେ କୁମ୍ପା ଫାଟିଯାଇ ଦ୍ରାକ୍ଷାରସ ଗଳିପଡ଼େ, ପୁଣି କୁମ୍ପା ନଷ୍ଟ ହୁଏ । ନୂଆ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖିଲେ ଉଭୟର ରକ୍ଷା ହୁଏ ।

 

ଅତୀତ ପ୍ରତି ଭକ୍ତି, ବର୍ତ୍ତମାନ ପ୍ରତି ସମ୍ମାନ ଓ ଭବିଷ୍ୟତ ପ୍ରତି ସହାନୁଭୂତି, ଏହାହିଁ ପ୍ରତ୍ୟେକର ଥିବା ଉଚିତ । ଆମ୍ଭେମାନେ ଅତୀତର ଉତ୍ତରାଧିକାରୀ, ବର୍ତ୍ତମାନର ଉପଭୋଗକାରୀ ଏବଂ ଭବିଷ୍ୟତର ଓ୍ୟାରସ୍‌ । ଜାତିର ଯାହାସବୁ ସ୍ଥାୟୀ ଉପାର୍ଜ୍ଜନ ତାହା କିପରି ଯୁଗାନୁକ୍ରମେ ସେହି ଜାତିର ଉତ୍ତରାଧିକାରୀମାନଙ୍କ ନିକଟରେ ଉପସ୍ଥିତ ହୁଏ ତାହା ଦେଖାଇ ବିବର୍ତ୍ତନର ମହାନିୟମ ଅତୀତ ନିକଟରେ ଆମ୍ଭମାନଙ୍କର ଋଣର ଦୃଶ୍ୟ ସ୍ପଷ୍ଟତର କରିଦିଏ । ପରିବେଷ୍ଟନର ଗୁରୁତ୍ୱ ଏବଂ ପ୍ରଭାବ ଦେଖାଇ ଏହା ବର୍ତ୍ତମାନ ସହିତ ଆମ୍ଭମାନଙ୍କର ସମ୍ୱନ୍ଧ ଘନିଷ୍ଠତର କରିଦିଏ । ସମସ୍ତ ପ୍ରକୃତିର ଗତି ଯେ କେବଳ ଉନ୍ନତ ଏବଂ ଆହୁରି-ଅଧିକ-ପରିପୂର୍ଣ୍ଣ ଜୀବନ ଲାଭ କରିବାର ଚେଷ୍ଟା, ଏବଂ ଯେଉଁଠାରେ ଗୋଟିଏ ଯୁଗର ଲୋକେ ଅକୃତକାର୍ଯ୍ୟ ହୁଅନ୍ତି ସେଠାରେ ସେମାନେ ଯେ କିପରି ପଶ୍ଚାଦ୍‌ବର୍ତ୍ତୀ ଯୁଗର ଲୋକଙ୍କ ନିମନ୍ତେ କୃତକାର୍ଯ୍ୟ ହେବାପାଇଁ ବାଟ ପ୍ରସ୍ତୁତ କରି ଯାଆନ୍ତି ତାହା ଦେଖାଇ ଏହି ବିବର୍ତ୍ତନର ନିୟମ ଭବିଷ୍ୟତ ସହିତ ମଧ୍ୟ ଆମ୍ଭମାନଙ୍କ ସମ୍ୱନ୍ଧ ନିକଟରେ କରିଦିଏ । ଆମ୍ଭେମାନେ ଯଦି ଉତ୍ତରାଧିକାର ଅବହେଳା କରୁ ତାହାହେଲେ ଆମ୍ଭମାନଙ୍କ ଉପଭୋଗ ନିମନ୍ତେ ଏହା ଆମ୍ଭମାନଙ୍କୁ ଯେ ସମସ୍ତ ସୁବିଧା ଯୋଗାଇ ଦିଏ ତାହାର ସଦ୍‌ବ୍ୟବହାର ଯେ କରିବୁଁ ସେ ସମ୍ଭାବନା ଖୁବ୍‌ ଅଳ୍ପ । ପୂର୍ବପୁରୁଷଙ୍କ ଯତ୍ନସଞ୍ଚିତ ସମ୍ପତ୍ତି ପ୍ରତି ଯେବେ ଆମ୍ଭମାନଙ୍କ ଆସ୍ଥା ନ ଥାଏ, ସେ ସମ୍ପତ୍ତି ଆମ୍ଭମାନଙ୍କ ଅଧିକାରକୁ ଆସିଲେ ତାକୁ ବଢ଼ାଇବାକୁ ଯେ ଚେଷ୍ଟା କରିବୁଁ ତାହା ଦୂରାଶାମାତ୍ର, ପୁଣି ତାହା ହସ୍ତାନ୍ତରିତ ହୋଇ ଆମ୍ଭମାନଙ୍କ ଭାବୀବଂଶଧରଙ୍କ ହାତକୁ ଆସି ଆହୁରି ବେଶୀ ପରିମାଣରେ ବଢ଼ିବ ବୋଲି ଆଶା କରିବାର ଅଧିକାର ମଧ୍ୟ ଆମ୍ଭମାନଙ୍କର ନାହିଁ । ଠିକ୍‌ ସେହିପରି, ଯଦି ଆମ୍ଭେମାନେ ଅତୀତ ପ୍ରତି ଏତେ ଅନୁରକ୍ତ ଯେ ବର୍ତ୍ତମାନର ପରିବର୍ତ୍ତିତ ଅବସ୍ଥା ପ୍ରତି ଏବଂ ଏହି ପରିବର୍ତ୍ତନୋନ୍ମୁଖ ବର୍ତ୍ତମାନ ଭବିଷ୍ୟତର ଯେଉଁ ପରିବର୍ତ୍ତନର ସୂଚନା ଦେଉଅଛି ତାହା ପ୍ରତି ଏକାବେଳେକେ ଉଦାସୀନ ହୋଇପଡ଼ୁ, ତାହାହେଲେ ଯେଉଁ ଦାୟଭାଗ ଆମ୍ଭମାନଙ୍କ ତତ୍ତ୍ୱାବଧାନରେ ସମର୍ପିତ ତହିଁପ୍ରତି ବିଶ୍ୱସ୍ତ ହେଉ ନାହୁଁ ।

 

ବାସ୍ତବିକ ଅତୀତର ଉତ୍ତରାଧିକାର ମହତ, ବର୍ତ୍ତମାନର ସୁଯୋଗ ଅନନ୍ୟଲଭ୍ୟ ଏବଂ ଭବିଷ୍ୟତ ଭାବନାର ପ୍ରରୋଚନା ପବିତ୍ର । ସମୟର ଏହି ତ୍ରିବିଧ ସାହାଯ୍ୟ ମଧ୍ୟରୁ ଯେ କୌଣସିଟିକୁ ଯେ ପରିମାଣରେ ଉପେକ୍ଷା କରିବୁଁ ସେହି ପରିମାଣରେ ନିଜର ସର୍ବାଙ୍ଗୀନ ଉନ୍ନତି କରିବାକୁ ଅସମର୍ଥ ହେବୁଁ । ଅତୀତରେ ଏତେ ମୁଗ୍ଧ ହୋଇପାରୁଁ ଯେ ବର୍ତ୍ତମାନର ଦାବୀ ଏବଂ ଭବିଷ୍ୟତକୁ ଆମ୍ଭମାନଙ୍କର ଯାହା ଦେୟ ତାହାପ୍ରତି ଉଦାସୀନ ହୋଇପାରୁଁ । ବର୍ତ୍ତମାନରେ ଏତେ ଗ୍ରସ୍ତିତ ହୋଇପାରୁଁ ଯେ ଅତୀତକୁ ଭୁଲିଯାଉ, ଭବିଷ୍ୟତକୁ ଗ୍ରାହ୍ୟ କରୁନା । ଅତୀତର ଆକର୍ଷଣ ଏତେ ଅଧିକ ହୋଇପାରେ ଯେ ଆମ୍ଭମାନଙ୍କୁ ଅଗ୍ରସର ହେବାକୁ ଦିଏ ନାହିଁ, ଆମ୍ଭେମାନେ କେବଳ ବାରମ୍ୱାର ପଛକୁ ଅନାଉଁ । ବର୍ତ୍ତମାନର ଉନ୍ମାଦନା ଏତେ ଅଧିକ ହୋଇପାରେ ଯେ ପୂର୍ବପଶ୍ଚାତ୍‌ ବିବେଚନା କରୁନା, କେବଳ ଉତ୍ସୃଙ୍ଖଳ ଘୋଡ଼ାପରି ଉନ୍ମତ୍ତ ଭାବରେ ଦୌଡ଼ୁ, ସମ୍ମୁଖରେ ବିପଦ ଥାଉ କି ବିନାଶ ଥାଉ । ଭବିଷ୍ୟତର ଆହ୍ୱାନ ଆମ୍ଭମାନଙ୍କୁ ଏପରି ଅଧୈର୍ଯ୍ୟ କରିପାରେ ଯେ ଗନ୍ତବ୍ୟର ପ୍ରଶସ୍ତ ରାଜପ୍ରଶସ୍ତି ଛାଡ଼ିଦେଇ, କତି ହେବ ବୋଲି କୁଟୀଳ କୁପଥରେ ଦୌଡ଼ୁ, ଅମଡ଼ା ଅବାଟ କିଛି ମାନୁନା । ବିବେଚକ, ସେହି ଯେ ଭୂତଭବିଷ୍ୟତ ବର୍ତ୍ତମାନର ସମସ୍ତ ଦାବୀ ଗ୍ରହଣ କରେ ଏବଂ ଯାହାର ଯେ ଦାବୀ ପୂରଣ କରିବା ଉଚିତ, ସାମଞ୍ଜସ୍ୟ ରଖି ତାହା କରେ ।

 

ଧର୍ମକ୍ଷେତ୍ରରେ ଅତୀତର ପ୍ରଭାବ ସବୁଠାରୁ ବେଶୀ । ଧର୍ମର ପ୍ରସଙ୍ଗ ଏଡ଼େ ପବିତ୍ର ଯେ ଏଠି ଅନେକ ସମୟରେ ଭକ୍ତିପୂଜାରେ ପର୍ଯ୍ୟବସିତ ହୁଏ, ରୀତିନୀତି ଏପ୍ରକାର ରହସ୍ୟମୟ କ୍ରିୟାକଳାପରେ ପରିଣତ ହୁଏ ଯେ ସେ ବିଷୟରେ ପ୍ରଶ୍ନ କଲେ ଅବା ସେଥିରେ କୌଣସି ପରିବର୍ତ୍ତନ ଘଟାଇବାର ଚେଷ୍ଟା କଲେ ଲୋକ ଧର୍ମଭ୍ରଷ୍ଟ ବୋଲି ବିବେଚିତ ହୁଏ; ହୁଏତ ଏହି ସବୁ ଲୋକମତ ବା ଲୋକାଚାର ଅନେକ ଦିନରୁ ସେମାନଙ୍କର ଅନୁପ୍ରାଣନା ହରାଇ ଅଛନ୍ତି, କେବଳ ଅନ୍ଧବିଶ୍ୱାସର ବିଷୟୀଭୂତ ହୋଇଥିବାରୁ ସତ୍ୟ ନିର୍ଦ୍ଧରଣ ଏବଂ ମୀମାଂସା ସମୟରେ ମନକଷ୍ଟ ଏବଂ ମତିଭ୍ରମର କାରଣ ହେଉଛନ୍ତି । ଏହିପରି, ଅତୀତର ମହାପୁରୁଷମାନଙ୍କଠାରେ ଦେବତ୍ୱ ଅର୍ପିତ ହେଉଛି, ଏବଂ ଅତୀତ ପ୍ରତି ମନୁଷ୍ୟର ଯେଉଁ ଭକ୍ତି ଅନ୍ତର୍ନିହିତ ତାହା ବହୁବିଧ ଦେବପୂଜାରେ ଏବଂ ସାଧୁସନ୍ଥ ଅର୍ଚ୍ଚନାରେ ଅବମାନିତ ହେଉଅଛି । ସେଥିପାଇଁ ଯେଉଁ ସ୍ଥାନରେ ଏହି ମହାତ୍ମାମାନେ ଜନ୍ମିଥିଲେ ସେ ସ୍ଥାନକୁ ଏବଂ ଯେ ସମସ୍ତ ପଦାର୍ଥ ସେମାନେ ବ୍ୟବହାର କରିଥିଲେ ସେ ସବୁକୁ ମଧ୍ୟ ପୂଜା କରିବାକୁ ବେଶୀ ସମୟ ଲାଗୁନାହିଁ । ଏ ଆଡ଼େ ଅତୀତର ମହାପୁରୁଷଙ୍କର କବର ତୀର୍ଥଯାତ୍ରୀଙ୍କର କୋଳାହଳରେ ମୁଖରିତ, ଅଥଚ ବର୍ତ୍ତମାନର ମହାତ୍ମାଙ୍କର ଉଦ୍‌ବୋଧନ ଯେ ମନ୍ଦିରରେ ଶୁଭୁଛି ତାହା ଜନଶୂନ୍ୟ । କିନ୍ତୁ ଆମ୍ଭେମାନେ ଅତୀତର ଏପ୍ରକାର ବିବେଚନାଶୂନ୍ୟ ପୂଜା କରିବାକୁ ଅସ୍ୱୀକାର କରୁଛୁଁ ବୋଲି ତା ପ୍ରତି ଭକ୍ତି ଯେ ଦେଖାଇବୁ ନାହିଁ ତାହା ନୁହେଁ । କାରଣ ଏପ୍ରକାର ଅବିବେଚନାମୂଳକ ପୂଜା ଦୁର୍ବଳତାର ଲକ୍ଷଣ ହେଲେ ସୁଦ୍ଧା ଅଭକ୍ତି ଦୂରାତ୍ମାର ଚିହ୍ନ । ସମୟ ଆସେ ଯେତେବେଳେ ପୁରାତନର ଉଚ୍ଛେଦ ଦରକାର ହୁଏ, କିନ୍ତୁ ପୁରାତନର ଅପବ୍ୟବହାର ଯେ ତାର ଅବମାନନା ।

 

ଯୋହନଙ୍କର ଶିଷ୍ୟମାନେ ଏପ୍ରକାର ଏକ ଧର୍ମସଂସ୍କାରରେ ଯୋଗ ଦେଇଥିଲେ ଯାହାର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ଉଚ୍ଚତର ଜୀବନର ଅଭିଜ୍ଞତା ଆଡ଼କୁ ନେଇ ଯିବାକୁ, ଏପ୍ରକାର ଏକ ନେତାର ପରିଚାଳନା ଭିତରକୁ ସେମାନେ ଆସିଥିଲେ ଯେ ତାଙ୍କଠାରୁ ଜଣେ ଶ୍ରେଷ୍ଠତର ନେତା ଆସୁଛନ୍ତି ବୋଲି କହିଥିଲେ । ସେମାନେ ନୂତନର ଆହ୍ୱାନରେ ବାହାରି ଆସିଥିଲେ, କିନ୍ତୁ ନୂତନର ପରିବର୍ତ୍ତିତ ଅବସ୍ଥା ସହିତ ଆପଣାର ସମ୍ୱନ୍ଧ ସମ୍ପୂର୍ଣ୍ଣରୂପେ ସ୍ଥାପନ ନ କରୁଣୁ ନୂତନ ପୁରାତନରେ ପରିଣତ ହେଲା, ଯୀଶୁଙ୍କର କାର୍ଯ୍ୟ ଆରମ୍ଭ ହେଲା, ସେମାନଙ୍କର ନେତା ଯୋହନ ବନ୍ଦିଶାଳାରେ ନିକ୍ଷିପ୍ତ ହେଲେ । ସେମାନେ ନିଜେ ଚିନ୍ତା କରିବା ଅପେକ୍ଷା ଚିନ୍ତାକାରୀର ବେଶୀ ଅନୁଗମନ କରିଥିଲେ, ସଂସ୍କାର ଅପେକ୍ଷା ଧର୍ମସଂସ୍କାରକ ସହିତ ବେଶୀ ଯୋଗ ଦେଇଥିଲେ । ସଂସ୍କାରର ଜୁଆର ଆସି ତୁଠରୁ ସେମାନଙ୍କୁ ଅନେକଦୂର ଭସାଇ ନେଇଥିଲା, ଯେତେବେଳେ ଭଟ୍ଟା ପଡ଼ିଲା ଦେଖିଲେ ଶୁଖିଲାରେ ପଡ଼ିଛନ୍ତି । ନୂତନର ଢେଉ ଏପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲା, ପୁରାତନର ଢେଉ ବହୁଦିନରୁ ଶୁଖିଲାରେ ପକାଇ ଫେରି ଯାଇଥିଲା । ପୁରୁଣା ତୁଠ ଆଡ଼କୁ ଦୀନନୟନରେ ଚାହୁଁଥିଲେ, ଆସନ୍ନ ଢେଉର ସମ୍ଭାବନା ସେମାନଙ୍କ ମନରେ ଭୀତି ଜନ୍ମାଉ ଥିଲା । ଏହି ନୂତନ ଶିକ୍ଷାରେ ଏପ୍ରକାର ଅନେକ ବିଷୟ ଥିଲା ଯାହା ଗ୍ରହଣ କରିବାକୁ ଯୋହନ ସେମାନଙ୍କୁ ପ୍ରସ୍ତୁତ କରି ନ ଥିଲେ, ପୁରାତନ ସହିତ ସେମାନଙ୍କର ଏପ୍ରକାର ଅନେକ ସମ୍ୱନ୍ଧ ଥିଲା ଯାହା ଛିନ୍ନ କରିବାକୁ ଯୋହନ ଚେଷ୍ଟା କରି ନ ଥିଲେ । ଯୋହନ * ‘ବାପ୍ତାଇଜକ’ ବନ୍ଦିଶାଳାରେ, ମୁକ୍ତିର ସମ୍ଭାବନା ଖୁବ୍‌ କମ୍‌ । ତାଙ୍କ ଜୀବନାବସାନର ବହୁଦିନ ପୂର୍ବରୁ ତାଙ୍କ ସଂସ୍କାର କାର୍ଯ୍ୟର ଅବସାନ ହୋଇଥିଲା । ସେହି ହେତୁରୁ

 

* John the Baptist

 

ତାଙ୍କର ଶିଷ୍ୟମାନେ ପୁରାତନକୁ ଫେରି ଯିବାକୁ ଇଚ୍ଛୁକ ହୋଇଥିଲେ, ତଥାପି ନୂତନର ଆକର୍ଷଣ ମଧ୍ୟ ଅନୁଭବ କରୁଥିଲେ । ପୁରାତନ ସହିତ ସେମାନଙ୍କର ଯେ ସଖ୍ୟ ଅଛି ତାହା ଜାଣିଥିଲେ, ତଥାପି ନୂତନର ବନ୍ଧୁତ୍ୱର ପ୍ରଲୋଭନ ମଧ୍ୟ ଏଡ଼ିପାରୁ ନ ଥିଲେ । ଉପବାସର ପ୍ରଶ୍ନ ଯେତେବେଳେ ଉଠିଲା ସେମାନେ ଫାରୁଶୀମାନଙ୍କ ସହିତ ଯୋଗ ଦେଲେ, କିନ୍ତୁ ପ୍ରଶ୍ନ ସମାଧାନ ନିମିତ୍ତ ଖ୍ରୀଷ୍ଟଙ୍କର ନିର୍ଜ୍ଜନ ସାକ୍ଷାତର ଅନ୍ୱେଷଣ କରିଥିଲେ । ପୁରାତନର ସମ୍ୱନ୍ଧ ସବୁ ସେମାନଙ୍କୁ ଗୋଟାଏ ଆଡ଼କୁ ଆକର୍ଷଣ କରୁଥିଲା, କିନ୍ତୁ ଯୋହନଙ୍କର ଅନୁଗମନ କରିଥିବାରୁ ନେତାର ବ୍ୟକ୍ତିଗତ ପ୍ରଭାବ ମଧ୍ୟ ସେମାନେ ଅନୁଭବ କରିଥିଲେ, ସେଥିପାଇଁ ଏହି ନୂତନ ନେତା ଯୀଶୁଙ୍କ ଆଡ଼କୁ ମଧ୍ୟ ଆକୃଷ୍ଟ ହେଲେ ।

 

ଅନେକ ସମୟରେ ସାଧାରଣ କାର୍ଯ୍ୟର ପରିଣାମ ଅସାଧାରଣ ହୋଇଉଠେ, ସାମାନ୍ୟ ଘଟଣା ଉପଲକ୍ଷରେ ସତ୍ୟ ଲୋକଙ୍କର କର୍ତ୍ତବ୍ୟାକର୍ତ୍ତବ୍ୟ ବିଷୟରେ ସୁମହତ୍‌ ମୀମାଂସା ଏବଂ ସୁଦୃଢ଼ ସଂକଳ୍ପ ପ୍ରଦାନ କରେ । ଗୋଟିଏ ସାଧାରଣ ଉପବାସ ପର୍ବପାଳନ ଏହି ଲୋକମାନଙ୍କୁ ଘଟଣା ସମୂହର ଗତି କେଉଁ ଆଡ଼କୁ ଏବଂ ତହିଁ ସଙ୍ଗେ ସଙ୍ଗେ ସେମାନେ କେଉଁ ଆଡ଼କୁ ଯାଉଛନ୍ତି ତାହା ଦେଖାଇ ଦେଲା, ଏବଂ ଯେ ସିଦ୍ଧାନ୍ତରେ ଉପନୀତ ହେବାକୁ ସେମାନେ ପରାଙ୍ମୁଖ ହେଉଥିଲେ ତାହା ଯେ ଅବଶ୍ୟ କର୍ତ୍ତବ୍ୟ ତାହାର ଆବଶ୍ୟକତା ମଧ୍ୟ ସେମାନଙ୍କୁ ଜଣାଇ ଦେଲା । ସେମାନେ ଦେଖିପାରିଲେ ସେମାନେ ନୂତନ ଅପେକ୍ଷା ପୁରାତନ ଆଡ଼କୁ ବେଶୀ ଆକୃଷ୍ଟ । ଏହି ଉପବାସ ନେଇ ଯେଉଁ ସମସ୍ୟା ସେମାନଙ୍କର ସମ୍ମୁଖୀନ ହୋଇଥିଲା ତାହା କେବଳ ଗୋଟାଏ ପୁରାତନ ବିଧିପାଳନ ନେଇ ନୁହେଁ, ତାହା କେବଳ କୌଣସି ପୁରାତନ ଗତାନୁଗତିକ ଅଭ୍ୟାସର ସମାଦର ନେଇ ନୁହେଁ, କିନ୍ତୁ ଏହି ସମସ୍ୟା ସମସ୍ତ ପୁରାତନ ପ୍ରତି ସେମାନଙ୍କ ହୃଦୟର ଯେଉଁ ଭାବ ତାହା ନେଇ । ସେଥିପାଇଁ ଯେଉଁ ସମାଧାନ ପାଇଁ ସେମାନେ ପ୍ରୟାସୀ ଥିଲେ ତାହା କେବଳ ସନ୍ଦେହଭଞ୍ଜନ ନୁହେଁ, ମାତ୍ର ସେମାନଙ୍କର ଭବିଷ୍ୟତ୍‌ ଜୀବନର ଗତିପଥ ନିର୍ଦ୍ଦେଶ । ଯଦିବା ଏକଥା ସତ୍ୟ ଯେ ସେମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଅପେକ୍ଷା ଫାରୁଶୀମାନଙ୍କ ସହିତ ବେଶୀ ସହାନୁଭୂତି ରଖିଥିଲେ, ତଥାପି ସେମାନଙ୍କ ସମସ୍ୟାର ସମାଧାନ ନିମିତ୍ତ ଫାରୁଶୀ ‘ରାବ୍ବି’ମାନଙ୍କୁ ଛାଡ଼ି ଯୀଶୁଙ୍କ ନିକଟକୁ ଯାଇଥିଲେ । ସେମାନେ ଫାରୁଶୀମାନଙ୍କ ସହିତ ଉପବାସ ପାଳନ କରୁଥିଲେ, କିନ୍ତୁ ଯୀଶୁଙ୍କ ଶିଷ୍ୟମାନଙ୍କ ଭୋଜ ଆଡ଼କୁ ସତୃଷ୍ଣ ନୟନରେ ଚାହୁଁଥିଲେ । ହୁଏତ ଉପବାସ ପାଳନ କରି ଏକପ୍ରକାର ସାତ୍ୱିକ ଶାନ୍ତି, ଭୋଗ କରୁଥିଲେ, କିନ୍ତୁ ଏହା ସେହି ଭୋଜି ଯାହା କେବଳ ସେମାନଙ୍କ ହୃଦୟର କ୍ଷୁଧା ପରିତୃପ୍ତ କରିପାରେ । ଯୀଶୁଙ୍କ ଶିଷ୍ୟମାନଙ୍କର ଉପବାସ ଲଙ୍ଘନର କାରଣ ସେମାନଙ୍କ ନିକଟରେ ଯେପରି ଅସ୍ପଷ୍ଟ ରହସ୍ୟମୟ, ସେମାନଙ୍କ ନିଜ ଉପବାସ ପାଳନର କାରଣ ମଧ୍ୟ ସେହିପରି ଅସ୍ପଷ୍ଟ ଓ ରହସ୍ୟମୟ । ସେଥିପାଇଁ ସେମାନେ ଯେତେବେଳେ ଯୀଶୁଙ୍କୁ ପ୍ରଶ୍ନ କରୁଛନ୍ତି ସେତେବେଳେ କେବଳ ଯୀଶୁଙ୍କ ଶିଷ୍ୟଙ୍କର କଥା ପଚାରୁ ନାହାନ୍ତି । ନିଜ ବିଷୟରେ ମଧ୍ୟ ଜିଜ୍ଞାସା କରୁଛନ୍ତି–‘‘ଆମ୍ଭେମାନେ ଓ ଫାରୁଶୀମାନେ କାହିଁକି ଉପବାସ କରୁଛୁଁ, କିନ୍ତୁ ଆପଣଙ୍କର ଶିଷ୍ୟମାନେ କାହିଁକି କରୁ ନାହାନ୍ତି ?’’

 

ଏହି ପ୍ରଶ୍ନ ସେହି ବିରକ୍ତି ପ୍ରକାଶ କରୁଛି ଯାହା ନୂତନର ଉପସ୍ଥିତିରେ ମନରେ ସ୍ୱତଃ ଜାତ ହୁଏ । ବରଂ ପୁରାତନକୁ ନିଜର ବିଦ୍ୟମାନତାର ସଫେଇ ଦେବା ଅପେକ୍ଷା ନୂତନକୁ ତାର ଆଗମନ ସକାଶେ କୈଫିୟତ ଦେବାକୁ ହୁଏ । ଏହା ସେହି ଭୋଜ ଯାହା ନୂତନ ଦେବାକୁ ପ୍ରତିଶ୍ରୁତ ହୁଏ, ଯେଉଁ ସକାଶୁଁ ସର୍ବପ୍ରଥମେ ପୁରାତନର ପ୍ରତିଷ୍ଠିତ ଉପବାସ ଆଡ଼କୁ ଆମ୍ଭମାନଙ୍କର ମନୋଯୋଗ ଆକର୍ଷଣ କରେ । ଏହା ସେହି ନୂଆ ତାଳି ଯାହା ପୁରୁଣା ଲୁଗା ପ୍ରତି ଆମ୍ଭମାନଙ୍କର ବିରକ୍ତି ଜନ୍ମାଇ ଦିଏ । ଏହା ସେହି ନୂଆ ଦ୍ରାକ୍ଷାରସ ଯାହା ପୁରୁଣା କୁମ୍ପାର ପର୍ଯ୍ୟାପ୍ତିର ଅଭାବ ଜଣାଇ ଦିଏ । ପୁରାତନ ପ୍ରଥା ଅର୍ଥ ବିରହିତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଚଳିପାରେ, କିନ୍ତୁ ଯେଉଁ ମୁହୂର୍ତ୍ତରେ ତାର ଅର୍ଥ ସମ୍ୱନ୍ଧରେ ପ୍ରଶ୍ନ ଉଠେ ସେହି ମୁହୂର୍ତ୍ତ ତାର ଜୀବନ ଘଟିକାର ଶେଷ ମୁହୂର୍ତ୍ତ ।

 

ପ୍ରଭୁ ଉତ୍ତର ଦେବାବେଳେ ପୁରାତନ ଉପରେ ଦୋଷାରୋପ କରିବା ଅପେକ୍ଷା ବରଂ ନୂତନର ଔଚିତ୍ୟ ପ୍ରତିପାଦନ କରୁଛନ୍ତି । ସେ ପୁରାତନର ଦୋଷ ଦେଖାଇବା ଅପେକ୍ଷା ପରିବର୍ତ୍ତିତ ପାରିପାର୍ଶ୍ୱିକ ଅବସ୍ଥା ନୂତନର ଯେଉଁ ପ୍ରୟୋଜନୀୟତା ଦେଖାଉ ଅଛି ତାହା ଆଡ଼କୁ ମନୋଯୋଗ ଆକର୍ଷଣ କରୁଛନ୍ତି । ଯୋହନ ଯେଉଁ ସ୍ୱର୍ଗରାଜ୍ୟର ବିଷୟ ଘୋଷଣା କରିଥିଲେ ତାହାର ଆଗମନରେ ଧର୍ମର ଧାରଣା ପରିବର୍ତ୍ତିତ ହୋଇଅଛି । ଏ ଧର୍ମ ଶରୀରର କୃଚ୍ଛ୍ର ସାଧନ ନୁହେଁ, ଶରୀରର ନିର୍ଯ୍ୟାତନ ନୁହେଁ । ଏହା ଆଧ୍ୟାତ୍ମିକ ଜୀବନ । କନ୍ୟା ମରିଯାଇଛି ଭାବି ଯେଉଁମାନେ କ୍ରନ୍ଦନ ଓ ବିଳାପ କରିବାକୁ ଆସିଥିଲେ ସେମାନେ ରହିଗଲେ ବିବାହ ଭୋଜର ଆନନ୍ଦଗାନରେ ଯୋଗ ଦେବାକୁ । ଯିହୁଦୀଙ୍କର ଧର୍ମଭାବ ମରିଯାଇ ନ ଥିଲା, କେବଳ ଗାଢ଼ନିଦ୍ରାରେ ଅଭିଭୂତ ଥିଲା । ସିୟୋନର କନ୍ୟା ବରର ମୃତସଞ୍ଜିବନୀ ବାଣୀ ‘‘ତାଲିଥା କୁମି–ହେ କନ୍ୟା ଉଠ’’ ଶୁଣିଲା । ତାର ଜ୍ୟୋଃତିହୀନ ମ୍ଳାନମୁଖରେ ନବଜୀବନର ବିଦ୍ୟୁବ୍ବୁତି ପ୍ରସରିଲା । ଉପବାସ କି ଏଠି ସମ୍ଭବ ? ବାସର ଗୃହରେ କି ବରଯାତ୍ରୀ ଉପବାସ କରିପାରନ୍ତି ? ଯୋହନଙ୍କ ଶିଷ୍ୟମାନଙ୍କ ମନରେ ଯେପରି ଆଘାତ ନ ଲାଗେ, ସେମାନଙ୍କ ଗୁରୁପ୍ରତି ସେମାନଙ୍କର ପ୍ରଗାଢ଼ ଭକ୍ତି ବୁଝିପାରି, ଯେଉଁ ଉପମା ଦେଇ ଯୋହନ ପ୍ରଭୁଙ୍କ ସହିତ ଆପଣାକୁ ଉପମିତ କରିଥିଲେ, ପ୍ରଭୁ ଅତି ସନ୍ତର୍ପଣରେ କେବଳ ସେହି ଅଗ୍ରଗାମୀ ସଂବାଦବାହୀ ଓ ପଶ୍ଚାଦ୍‌ବର୍ତ୍ତୀ ରାଜାଙ୍କ ଉପମା ନେଇ, କାହିଁକି ତାଙ୍କ ଶିଷ୍ୟମାନଙ୍କର ଉପବାସ ପ୍ରୟୋଜନ ନାହିଁ, ସେହି କଥା ସେମାନଙ୍କୁ କହିଥିଲେ । ଯୋହନ କରାଗାରରେ ପଡ଼ିଥିବାରୁ ସେମାନଙ୍କ ଅବସ୍ଥାର ଯେ ପରିବର୍ତ୍ତନ ହୋଇଛି ସେ କଥା ସେ ସ୍ୱୀକାର କରୁଛନ୍ତି ଏବଂ ଏହିପ୍ରକାର ଅବସ୍ଥାର ପରିବର୍ତ୍ତନ ଘଟିଲେ ତାଙ୍କ ନିଜ ଶିଷ୍ୟମାନଙ୍କ ଉପବାସ କରିବାର ସମୟ ଯେ ଆସିବ ତାହା ମଧ୍ୟ ସ୍ୱୀକାର କରୁଛନ୍ତି ।

 

ପ୍ରଭୁ କୌଣସି ଶୂନ୍ୟଗର୍ଭ କାଳ୍ପନିକ ସୂତ୍ର ବା ନିୟମର ବିଚାରରେ ପ୍ରବୃତ୍ତ ନ ହୋଇ, ଯେଉଁସବୁ ବିଷୟ ବାସ୍ତବିକ ସତ୍ୟ ଏବଂ ଯାହା ସକାଶୁଁ ପୁରାତନର ଅନ୍ତର୍ଦ୍ଧାନ ଓ ନୂତନର ଅଭ୍ୟୁତ୍ଥାନ ହୋଇଥାଏ, ସେହି ମୂଳ କଥାଟି କହୁଛନ୍ତି । ମନୁଷ୍ୟର ମନର ଭାବ ଅନୁସାରେ କ୍ରିୟାକାଣ୍ଡ ଆଚାର ଅନୁଷ୍ଠାନ ପ୍ରବର୍ତ୍ତିତ ଏବଂ ପରିବର୍ତ୍ତିତ ହୁଏ; କିନ୍ତୁ ବାହାରର କ୍ରିୟାକାଣ୍ଡ କରି, ଆଚାର ଅନୁଷ୍ଠାନ ପାଳନ କରି ମନ ଭିତରେ ତଦନୁରୂପ ଭାବ କେହି ଆଣିପାରେ ନାହିଁ । ମନ ଭିତରେ ଯଦି ସେ ପ୍ରକାର ଭାବର ପ୍ରେରଣା ନାହିଁ ବାହାରର କ୍ରିୟାକଳାପ ପାଳନ କଲେ ତାହା କେବଳ ଗତାନୁଗତିକ ହୋଇପଡ଼େ, ଅଭ୍ୟାସର ବସ୍ତୁ ହୋଇପଡ଼େ । ମନ ଯେତେବେଳେ ଦୁଃଖରେ ଅଭିଭୂତ, ମନୁଷ୍ୟ ସେତେବେଳେ ଉପବାସ ଇଚ୍ଛା କରେ, କିନ୍ତୁ ଖାଲି ଉପବାସ କଲେ ମନରେ ଯେ ତଦନୁରୂପ ଦୁଃଖ ଉପସ୍ଥିତ ହେବ ଏହାର କୌଣସି ମାନେ ନାହିଁ । ଯେ ଘରେ ମୃତ୍ୟୁ ଘଟିଛି ସେ ଘର ପାଇଁ ଉପବାସ ସ୍ୱାଭାବିକ, କିନ୍ତୁ ଯେଉଁ ଘରକୁ ବର ଆସିଛନ୍ତି ସେ ସ୍ଥାନରେ କେବଳ ଆନନ୍ଦ ଓ ଭୋଜି ଶୋଭାପାଏ ।

 

ଯୋହନଙ୍କ ଶିଷ୍ୟଙ୍କର ବାଧାର ବିଷୟ ବାସ୍ତବିକ କୌଣସି କ୍ରିୟାକାଣ୍ଡ ନେଇ ନ ଥିଲା, ତାହା ଥିଲା ସେମାନଙ୍କ ମନର ଭାବନେଇ । ଯେଉଁ ପୁରାତନ ବସ୍ତ୍ର ସେମାନେ ପିନ୍ଧିବାରେ ଅଭ୍ୟସ୍ତ ଥିଲେ ତାହା ଜୀର୍ଣ୍ଣହୋଇ ଆସୁଥିଲା, ସେଥିରେ ତାଳି ପକାଇବାରୁ କେବଳ ଛିଦ୍ର ବଢ଼ୁଥିଲା । ଉପବାସପାଳନ ନେଇ ଫାରୁଶୀମାନଙ୍କ ସଙ୍ଗରେ ସେମାନେ ଯେ ଏକମତ ଥିଲେ ତାହା କେବଳ ଅନ୍ୟାନ୍ୟ ଗୁରୁତର ବିଷୟରେ ପରସ୍ପର ମଧ୍ୟରେ ଯେଉଁ ଅନୈକ୍ୟ ଥିଲା ତାକୁ ସ୍ପଷ୍ଟକରି ଦେଖାଉଥିଲା । ଯୋହନଙ୍କ ଶିକ୍ଷାଫଳରେ ସେମାନେ ହୃଦୟର ଯେଉଁ ସରଳତା ଲାଭ କରିଥିଲେ ତାହା ଫାରୁଶୀମାନଙ୍କ କପଟ ଧାର୍ମିକତାକୁ ଆହୁରି ଭଲ କରି ସେମାନଙ୍କୁ ଦେଖାଇ ଦେଉଥିଲା । ଫାରୁଶୀମାନଙ୍କର କ୍ରିୟାକାଣ୍ଡମୂଳକ ଧର୍ମର ଧାରଣା ସେମାନଙ୍କୁ ସନ୍ତୁଷ୍ଟ କରିପାରୁ ନ ଥିଲା, କାରଣ ଯୋହନ ସେମାନଙ୍କୁ ଉନ୍ନତତର ଧର୍ମର ଅଭିଜ୍ଞତା ଦେଇଥିଲେ ।

 

ଅତଏବ ସେମାନେ ‘ନ ଯଯୌ ନ ତସ୍ଥୌ’ ଅବସ୍ଥାରେ ପଡ଼ିଥିଲେ । ପୁରାତନକୁ ଫେରିଯାଇ ପାରୁ ନ ଥିଲେ କି ନୂତନକୁ ସମ୍ପୂର୍ଣ୍ଣରୂପେ ଗ୍ରହଣ କରି ପାରୁ ନ ଥିଲେ । ଯୀଶୁ ସେମାନଙ୍କ ମନର ଏହି ଦ୍ୱନ୍ଦ୍ୱଦ୍ୱିଧା ବୁଝି ପାରିଥିଲେ । ସେଥିପାଇଁ ସେମାନଙ୍କ ସହିତ ଅତି କୋମଳ ବ୍ୟବହାର କରିଥିଲେ । ସାଧାରଣତଃ ଅଧିକାଂଶ ଧର୍ମସଂସ୍କାରକ ଅଗ୍ନିସଂକାଶ । ଏମାନେ ସ୍ୱପକ୍ଷ ଓ ବିପକ୍ଷକୁ ବୁଝିପାରନ୍ତି, କିନ୍ତୁ ଯେଉଁମାନେ ମଝିମଝିକିଆ ତାଙ୍କୁ ବୁଝିବାକୁ ଏମାନଙ୍କର ଧୈର୍ଯ୍ୟ ନ ଥାଏ । ପ୍ରଭୁ କିନ୍ତୁ ଯୋହନଙ୍କ ଶିଷ୍ୟମାନଙ୍କର ଏହି ଇତସ୍ତତଃ ଭାବ ଦେଖି ଅଧୈର୍ଯ୍ୟ ହେଉ ନାହାନ୍ତି, ବରଂ ସେମାନଙ୍କ ଏପ୍ରକାର ଅବସ୍ଥାର କାରଣ ସେମାନଙ୍କୁ ବୁଝାଇ ଦେଉଛନ୍ତି । ସେ କହୁଛନ୍ତି ଯେ ପୁରାତନ ଦ୍ରାକ୍ଷାରସ ପାନ କରିବାରେ ଅଭ୍ୟସ୍ତ ସେ ନୂତନ ଦ୍ରାକ୍ଷାରସର ସ୍ୱାଦ ହଠାତ୍‌ ଅନୁଭବ କରିପାରିବ ନାହିଁ, କାରଣ ସେ ମନେକରେ ପୁରାତନ ବେଶୀ ମଧୁର । ଆମ୍ଭମାନଙ୍କର ଯେ ପୁରାତନ ଏବଂ ନୂତନ ଉଭୟ ପ୍ରତି କର୍ତ୍ତବ୍ୟ ଅଛି ଏହି କଥା ସେ ପ୍ରକାରାନ୍ତରେ କହୁଛନ୍ତି । ବର୍ତ୍ତମାନର ଦ୍ରାକ୍ଷାଲତା ଏବଂ ଦ୍ରାକ୍ଷାକ୍ଷେତ୍ର ଏବଂ କୁମ୍ପାରେ ସଞ୍ଚିତ ଅତୀତର ଦ୍ରାକ୍ଷାରସ, ଉଭୟ ଆମ୍ଭେମାନେ ଉତ୍ତରାଧିକାର ସୂତ୍ରରେ ପାଇଛୁଁ । ଆମ୍ଭେମାନେ ପୁରାତନ ଦ୍ରାକ୍ଷାରସ ପାନ କରିପାରୁଁ, କିନ୍ତୁ କ୍ଷେତ୍ରରୁ ବର୍ତ୍ତମାନର ଜାତ ଦ୍ରାକ୍ଷାଫଳ ମଧ୍ୟ ଆମ୍ଭମାନଙ୍କୁ ସଂଗ୍ରହ କରିବାକୁ ହେବ । ଆମ୍ଭେମାନେ ପୁରୁଣା କୁମ୍ପା ଶୂନ୍ୟ କରିପାରୁଁ କିନ୍ତୁ ତା ସ୍ଥାନରେ ଯେଉଁ ନୂଆ କୁମ୍ପାରେ ବର୍ତ୍ତମାନର ଦ୍ରାକ୍ଷାରସ ସଞ୍ଚିତ ହୋଇଅଛି ତାକୁ ରଖିବାକୁ ହେବ । ଯେଉଁ ନୂଆ ଚିନ୍ତା ପୁରାତନ ପ୍ରଣାଳୀର ପର୍ଯ୍ୟାପ୍ତିର ଅଭାବ ଦେଖାଇଦେଉଛି, ତାହା ବର୍ତ୍ତମାନର ଦ୍ରାକ୍ଷାଫଳ ଯାହା ପୁରାତନର କ୍ଷେତ୍ରରୁ ଆହୃତ । ସେଥିପାଇଁ ପୁରାତନ ସତ୍ୟ ନୁହେଁ ମାତ୍ର ତାର ପୁରାତନ ଅଭିବ୍ୟକ୍ତି, ଅର୍ଥାତ୍ ଯେଉଁ ବେଶରେ ସେ ଆପଣାକୁ ପ୍ରକାଶ କରିଥିଲା ସେହି ବେଶର ପରିବର୍ତ୍ତନ କରିବାକୁ ହେବ । ପୁରାତନ ପ୍ରଣାଳୀରେ ଯେଉଁ ସତ୍ୟ ଅଛି ତାକୁ ଫୋପାଡ଼ି ଦେବାକୁ ହେବ ନାହିଁ, କିନ୍ତୁ ସେହି ପ୍ରଣାଳୀକୁ ପରିତ୍ୟାଗ କରିବାକୁ ହେବ ଯାହା ନୂତନ ସତ୍ୟକୁ ସମ୍ପୂର୍ଣ୍ଣରୂପେ ଧାରଣ କରିପାରୁ ନାହିଁ-। ପୁରାତନ ପ୍ରତି ଯଦି ଆମ୍ଭେମାନେ ବିଶ୍ୱସ୍ତ ହେବାକୁ ଚାହୁଁ ତାହାହେଲେ ସେହି ପୁରାତନ ସତ୍ୟକୁ ନୂତନ ଯେଉଁ ବେଶ ଯୋଗାଇଛି ତାହା ତାହାକୁ ପରିଧାନ କରାଇବାକୁ ହେବ । ପୁରାତନର ଦ୍ରାକ୍ଷାକ୍ଷେତ୍ରରୁ ଯେ ଫଳ ସଂଗ୍ରହ କରି ଆମ୍ଭେମାନେ ବର୍ତ୍ତମାନ ତହିଁରୁ ରସ ନିଷ୍କାସିତ କରିଛୁଁ ସେହି ନୂତନ ଅବା ବର୍ତ୍ତମାନର ଦ୍ରାକ୍ଷାରସକୁ ଯେଉଁମାନେ ନୂତନ କୁମ୍ପାରେ ରଖନ୍ତି ଧର୍ମ ସମ୍ବନ୍ଧରେ ସେମାନଙ୍କର ରକ୍ଷଣଶୀଳତା ଯଥାର୍ଥ ।

Image

 

ଧର୍ମ ଓ ବ୍ୟକ୍ତିଗତ ଅନୁଭୂତି

 

ଏ ତ ମୋ ପ୍ରିୟତମଙ୍କ ରବ । ଦେଖ, ସେ ଆସୁଛନ୍ତି ପର୍ବତଗଣ ଉପର ଦେଇ, ଉପପର୍ବତଗଣ ଉପର ଦେଇ ମହାବିକ୍ରମରେ ଆସୁଛନ୍ତି । ମୋହର ପ୍ରିୟ ହରିଣ ଓ ତରୁଣ ମୃଗ ତୁଲ୍ୟ, ଦେଖ, ସେ ଆମ୍ଭମାନଙ୍କ ପ୍ରାଚୀର ପଛରେ ଛିଡ଼ା ହୋଇଛନ୍ତି । ସେ ଝରକା ଭିତର ଦେଇ ଅନାଉ ଅଛନ୍ତି, ସେ ଜାଲିପରଦା ଆରପାଖରୁ କଟାକ୍ଷ କରୁଛନ୍ତି । ମୋର ପ୍ରିୟତମ କଥା କହିଲେ, ମୋତେ କହିଲେ–‘‘ହେ ମୋର ପ୍ରିୟେ, ଉଠ; ହେ ମୋର ସୁନ୍ଦରି, ବାହାରକୁ ଆସ । ଦେଖ, ଶୀତକାଳ ଅତୀତ ହୋଇଅଛି, ବର୍ଷା ଶେଷ ହୋଇଛି, କ୍ଷେତ୍ରରେ ଫୁଲ ଫୁଟିଛି, ପକ୍ଷୀମାନଙ୍କ ଗାନର ସମୟ ହୋଇଅଛି, କପୋତର ରବ ଦେଶରେ ଶୁଭିଲାଣି, କିମ୍ବୁର ଗଛର ଫଳ ରସ ଧରିଲାଣି, ଦ୍ରାକ୍ଷାଲତା ମୁକୁଳିତ ହୋଇଅଛି ସୁଗନ୍ଧ ବିସ୍ତାର କରୁଛି । ହେ ମୋର ପ୍ରିୟେ, ଉଠ; ହେ ମୋର ସୁନ୍ଦରି, ଆସ । ହେ ମୋର କପୋତି, ତୁମେ ଶୈଳର ଫାଟରେ, ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ରହିଛ । ମୋତେ ତୁମର ରୂପ ଦେଖିବାକୁ ଦିଅ, ତୁମର ସ୍ୱର ଶୁଣିବାକୁ ଦିଅ ।’’

 

ସେ ଦ୍ୱାରରେ ଆଘାତ କରି କହିଲେ–‘‘ଦୁଆର ଖୋଲି ଦିଅ, ହେ ମୋର ପ୍ରିୟେ, ମୋର କପୋତି, ମୋର ଶୁଦ୍ଧମତେ । କାରଣ ମୋର ମସ୍ତକ ଶିଶିରରେ, ମୋର କେଶପାଶ ରାତ୍ରିର ଜଳବିନ୍ଦୁରେ ପୂର୍ଣ୍ଣ ।’’ ମୁଁ ନିଜର ଅଙ୍ଗରଖା ଖୋଲି ଦେଇଛି, କେମିତି ପୁଣି ପିନ୍ଧିବି ? ପାଦ ଧୋଇଛି, କେମିତି ପୁଣି ମଳିନ କରିବି ? ମୋର ପ୍ରିୟ ଦୁଆରର ଛିଦ୍ର ଦେଇ ହାତ ବଢ଼ାଇଲେ । ତାଙ୍କ ପାଇଁ ପ୍ରାଣ ମୋର ଉଚ୍ଚାଟ ହେଲା । ମୁଁ ମୋର ପ୍ରିୟଙ୍କ ସକାଶେ ଦୁଆର ଖୋଲିବାକୁ ଉଠିଲି-। ଅର୍ଗଳର ବେଣ୍ଟ ଉପରେ ଗନ୍ଧରସରେ ମୋର ହାତ ତିନ୍ତିଲା, ମୋର ଅଙ୍ଗୁଳି ଦ୍ରବ ଗନ୍ଧରସରେ ସିକ୍ତ ହେଲା । ମୁଁ ମୋର ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; କିନ୍ତୁ ପ୍ରିୟତମ ମୋର ଫେରି ଯାଇଥିଲେ, ଚାଲି ଯାଇଥିଲେ ।

 

‘‘ଦେଖ, ମୁଁ ଦ୍ୱାରରେ ଛିଡ଼ା ହୋଇ ଆଘାତ କରୁଅଛି । ଯେ କେହି ମୋର ଆଘାତ ଶୁଣି ଦ୍ୱାର ଫିଟାଇବ, ମୁଁ ଭିତରେ ପ୍ରବେଶ କରିବି ଓ ତାହା ସହିତ ଭୋଜନପାନ କରିବି ।’’

 

କହିବା ଅପେକ୍ଷା ଅବଶ୍ୟ କରିବାଟା ବଡ଼, କିନ୍ତୁ ‘କହିବା’ ଏବଂ ‘କରିବା’ ଏ ଉଭୟ ଅପେକ୍ଷା ହେବାଟା ଆହୁରି ବଡ଼ । ପାଇବା ଅପେକ୍ଷା ଦେବା କୌଣସିକ୍ରମେ ବଡ଼ ହୋଇପାରେ ନା, କାରଣ ଅନ୍ୟକୁ ଦେବାର ପରିମାଣ ନିଜେ ଯାହା ପାଇଛୁଁ ତାହାର ପରିମାଣଠାରୁ କୌଣସିକ୍ରମେ ବେଶୀ ହୋଇପାରେ ନାହିଁ । ସେହିପରି, କାର୍ଯ୍ୟ କରିବା ବା କଥା କହିବା ନିଜେ ହେବାଠାରୁ ବଡ଼ ନୁହେଁ ।

 

ଧର୍ମ ସର୍ବାଦୌ ବ୍ୟକ୍ତିଗତ ଅଭିଜ୍ଞତା । ଧର୍ମର ପ୍ରକୃତ ଅର୍ଥ ପତିପାଦିତ ହୁଏ ନାହିଁ କେବଳ କେତେଗୁଡ଼ିଏ ଧର୍ମକାର୍ଯ୍ୟ କରିବା ଦ୍ୱାରା । ଧର୍ମର ପ୍ରକୃତ ସାର୍ଥକତା ଧାର୍ମିକ ହେବାରେ । ଖ୍ରୀଷ୍ଟଧର୍ମର ସତ୍ୟତା ପ୍ରତିପାଦିତ ହୁଏ ବ୍ୟକ୍ତିଗତ ଅନୁଭୂତିରେ । ଖ୍ରୀଷ୍ଟଧର୍ମର ସତ୍ୟତାର ପ୍ରମାଣ ନୁହେଁ ଖ୍ରୀଷ୍ଟୀୟ ଜଗତରେ ମାନବ ସେବାରେ ଯେଉଁ କୃତିତ୍ୱ ରହିଛି । ବିଦ୍ୟାଶିକ୍ଷା ବିସ୍ତାର କରିବା, ରାଷ୍ଟ୍ରଶାସନତନ୍ତ୍ରରେ ଦୟାମାୟା ପ୍ରଭୃତି ମାନବିକତାର ସଂସ୍ପର୍ଶ ରଖିବା, ଦୀନହୀନ ଆତୁର ଅନାଥମାନଙ୍କର ଦୁଃଖ ମୋଚନ କରିବା, ରୋଗୀର ପରିଚର୍ଯ୍ୟା କରିବା ପ୍ରଭୃତି ଯେତେ ଲୋକହିତକର ସଦନୁଷ୍ଠାନ ବର୍ତ୍ତମାନ ଜଗତରେ ଅଛି ସେ ସବୁର ମୂଳରେ ଖ୍ରୀଷ୍ଟଧର୍ମର ପ୍ରେରଣା ଯେ ରହିଛି ସେ କଥା ଇତିହାସ ଶତମୁଖରେ ପ୍ରଚାର କରିଛି । କିନ୍ତୁ ସେ ସବୁ କାର୍ଯ୍ୟ ଧର୍ମର ସତ୍ୟତା ପ୍ରମାଣ କରିବା ବିଷୟରେ ତେଡ଼େ ନିର୍ଭରଶୀଳ ଅସ୍ତ୍ର ନୁହଁନ୍ତି । ବର୍ତ୍ତମାନ ଜଗତର ସଭ୍ୟତା ଗତିରୁ କଣ ବୁଝିପାରୁ ନାହଁ ଯାହା ଥିଲା ଧର୍ମର ଫଳ ତାକୁ ଆଜି ଜଗତ ମୂଳ ବୋଲି ଧରିଲାଣି ? ମାନବ-ପ୍ରୀତିର ଜନନୀ ହେଉଛି ଈଶ୍ୱର-ପ୍ରେମ । କିନ୍ତୁ ଆଜି ଜଗତ ଈଶ୍ୱରଙ୍କୁ ଅସ୍ୱୀକାର କରିବାକୁ ବସିଲାଣି, ମାନବକୁ ବା ମାନବିକତାକୁ ଈଶ୍ୱର ବୋଲି ଗ୍ରହଣ କଲାଣି । ମାନବସେବା ଆଜି ମାନବିକତାର ପୂଜାରେ ପର୍ଯ୍ୟବସିତ । ରୁଷିୟାରେ ଯଦି କିଛି ଆଜି ଧର୍ମ ଥାଏ ତାହା ହେଉଛି ଏହି ଭଳି ମାନବିକତାର ଗୌରବ ବା ପୂଜା । ସେଥିରୁ ଈଶ୍ୱରଙ୍କର ନାମ ଗନ୍ଧ ବର୍ଜିତ ହୋଇଛି । କିନ୍ତୁ ତଥାପି ଲୋକହିତକର କାର୍ଯ୍ୟ ସେଠି କିଛି କମ୍ ହେଉ ନାହିଁ ଅତଏବ, ଲୋକହିତ ବ୍ରତରେ ଯେଉଁସବୁ କାର୍ଯ୍ୟ କରାଯାଏ କେବଳ ତାହାଦ୍ୱାରା ଧର୍ମର ବିଶେଷତ୍ୱ ପ୍ରମାଣିତ ହେବ ନାହିଁ । ଧର୍ମର ଏହି ଯେଉଁ ସାଧାରଣ ଅର୍ଥ ଉତ୍ତମ କାର୍ଯ୍ୟ କରିବା ତାହା ମଧ୍ୟ ଧର୍ମର ପ୍ରକୃତ ପରିଚୟ ନୁହେଁ । ମଣ୍ଡଳୀର ଦଳବଦ୍ଧ ସଦନୁଷ୍ଠାନମାନଙ୍କରେ ଯୋଗ ଦେବା ମଧ୍ୟ ଧର୍ମର ଉଦ୍ଦେଶ୍ୟ ନୁହେଁ । ରବିବାର ନିୟମିତରୂପେ ଉପାସନାକୁ ଯିବା ଏବଂ ତଦ୍‌ସମ୍ପର୍କୀୟ ଯାବତୀୟ କାର୍ଯ୍ୟରେ ଯୋଗ ଦେବା, ମଣ୍ଡଳୀର ଚେଷ୍ଟାରେ ଯେଉଁସବୁ ଲୋକହିତକର କାର୍ଯ୍ୟ ହେଉଥାଏ ତହିଁ ସହିତ ସମ୍ପର୍କ ରଖିବାର ଅର୍ଥ ଧର୍ମ ନୁହେଁ । ଯେପରି ପୂର୍ବରେ କୁହା ହୋଇଛି, ଏ ସବୁ ଧର୍ମର ଫଳ ହୋଇପାରେ । ଅସଲ ମୂଳ ନୁହେଁ । ମୂଳ ହେଉଛି ନିଜର ବ୍ୟକ୍ତିଗତ ଜୀବନର ଅନୁଭୂତି, ଜୀବନ ମଧ୍ୟରେ ଗୋଟାଏ ଆମୂଳଚୂଳ ପରିବର୍ତ୍ତନ ଅନୁଭବ କରିବା, ଅବା ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବା ।

 

ଧର୍ମର ଅର୍ଥ ହେଉଛି ପ୍ରଭୁଙ୍କ ସହିତ ବ୍ୟକ୍ତିଗତ ସମ୍ବନ୍ଧ ସ୍ଥାପନ କରିବା, ନିଜ ଭିତରେ ତାହାଙ୍କୁ ଗ୍ରହଣ କରିବା । ଶଲୋମନଙ୍କର ଗୀତରୁ ଯେଉଁ ଅଂଶଟି ଉଦ୍ଧୃତ ହୋଇଅଛି ସେଥିରେ ଏହି ସତ୍ୟ ଅର୍ଥାତ୍ ଏହି ବ୍ୟକ୍ତିଗତ ସମ୍ପର୍କ ବର୍ଣ୍ଣିତ ହୋଇଅଛି ରୂପକ କଥାରେ । ପ୍ରଭୁଙ୍କ ସହିତ ଭକ୍ତର ମିଳନ ବର ଓ କନ୍ୟାର ମିଳନ ସହିତ ତୁଳନା କରାହୋଇଅଛି । କନ୍ୟାର ବର ସହିତ ମିଳିତ ହେବା ବିଷୟରେ ଯେ ସମସ୍ତ ଅବସ୍ଥା ଏବଂ ଅନୁଭୂତି ରୂପକ ଭାବରେ ବର୍ଣ୍ଣିତ ହୋଇଅଛି ସେହି ସବୁ ଅବସ୍ଥା ଭକ୍ତର ପ୍ରଭୁଙ୍କ ସହିତ ମିଳିତ ହେବାରେ କଣ ଅନୁଭୂତିର ବିଷୟ ନୁହେଁ ?

 

ଶୋଷ ଯାଏ ପାଣି କତିକୁ । କିନ୍ତୁ ଏ ନିୟମ ଏଠି ଓଲଟି ଯାଇଛି । ପାଣି ଆସିଛନ୍ତି ଛାତିଫଟା ଶୋଷ କତିକୁ, ଖାଦ୍ୟ ଆସିଛନ୍ତି କ୍ଷୁଧା ନିକଟକୁ । ସେ କହୁଛନ୍ତି ମୁଁ ଊର୍ଦ୍ଧ୍ୱରୁ ଆଗତ ସେହି ରୋଟି ଯାହା ଖାଇଲେ ତୁମେ ବଞ୍ଚିବ । ଏଠାକାର ପାଣି ପିଇଲେ ତୁମେ ପୁଣି ତୃଷାର୍ତ୍ତ ହେବ, କିନ୍ତୁ ମୁଁ ସେହି ଜଳ ଯାହା ପାନ କଲେ ତୁମ ଅନ୍ତରେ ଅନନ୍ତଜୀବନର ଉତ୍ସ ଫିଟିଯିବ; ସେ ଉତ୍ସ ଶୁଖିବ ନାହିଁ । ମୋର ପ୍ରେମିକ ମୋର ସୁପ୍ତ ପାତିବ୍ରତ୍ୟ ଜାଗ୍ରତ କରିବାପାଇଁ ନଦୀ ସମୁଦ୍ର ବଣଜଙ୍ଗଲ ପାହାଡ଼ପର୍ବତର ବାଧା ଅତିକ୍ରମ କରି ଆସନ୍ତି ମୋ ଦୁଆରକୁ । ଆସିବା ବିଷୟରେ ଦିନରାତିର ତଫାତ୍ ରଖନ୍ତି ନାହିଁ । ବରଂ ରାତି ଯେତେବେଳେ ଗଭୀର, ପୁରବାସୀ ସବୁ ସୁପ୍ତ, ସେତିକିବେଳେ ତାଙ୍କର ଅଭିସାର ହୁଏ ଦୀନହୀନ ନଗଣ୍ୟ ଯେ ମୁଁ ମୋ ଆଡ଼କୁ ଯେତେବେଳେ ଭୀତ ଶଙ୍କିତ ହୋଇ ନଗର ଶେଷ ସୀମାରେ ମୁଁ ପଡ଼ିଥାଏ ମୋର କୁଟୀର ବନ୍ଦ କରି । ଏହାହିଁ ହେଉଛି ତାଙ୍କ ପ୍ରେମର ରୀତି । ଏ ବିଦ୍ରୋହୀ ଚିତ୍ତ ଆଡ଼କୁ ତାଙ୍କର ଆଗମନ ହେଉଛି ଦିନଦିନ ଧରି, ମାସ ମାସ, ବରଷ ବରଷ ଧରି ସେହି ଅନାଦିକାଳରୁ ଏ ଯାବତ୍, ଏମନ୍ତ କି ମୋ ଜନ୍ମର ବହୁପୂର୍ବରୁ ମୋ ଉପରେ ସେ ଲକ୍ଷ୍ୟ ରଖିଛନ୍ତି, ତାଙ୍କ ନୟନର ମଣି କରିଛନ୍ତି । ଭକ୍ତ କେବେ ପରିଶ୍ରମ କରି ତାଙ୍କୁ ଖୋଜି ଆଣେ ନାହିଁ । ସେ ନିଜେ ଅଯାଚିତ ଭାବରେ ଆସି ଦେଖା ଦିଅନ୍ତି । ଭକ୍ତର ହୃଦୟକୁଟୀରରେ, ଆଉ କହନ୍ତି, ଦେଖ, ମୁଁ ଛିଡ଼ା ହୋଇ ଦ୍ୱାରରେ ଆଘାତ କରୁଛି, ଦ୍ୱାର ଫିଟାଅ, ମୋତେ ଭିତରେ ଗ୍ରହଣ କର, ତୁମ ସହିତ ମୋତେ ଭୋଜନପାନ କରିବାକୁ ଦିଅ ।

 

କିନ୍ତୁ କନ୍ୟାର ଭାଗ୍ୟ କେଡ଼େ ମନ୍ଦ । ପ୍ରେମିକ ତାର ଆସି ଛିଡ଼ା ହୋଇଛନ୍ତି ଦ୍ୱାର ପାଖରେ । ଦ୍ୱାରରେ ଆଘାତ କରି ଆକୁଳ ଭାଷାରେ ଡାକୁଛନ୍ତି ଦ୍ୱାର ଫିଟାଇବାକୁ । ଗବାକ୍ଷ ଭିତରେ ହାତ ଗଳାଇ କହୁଛନ୍ତି, ହେ ମୋର ପ୍ରିୟେ, ନିଦ ଭାଙ୍ଗ, ଉଠ, ଦ୍ୱାର ଫିଟାଅ, ଏହି ଦେଖ ଖିଡ଼ିକି ଭିତରେ ମୋର ହାତ, ମୁଁ ଆସିଛି, ଆଉ କେହି ନୁହେଁ । ଉଠ, ଦ୍ୱାର ଫିଟାଅ । କିନ୍ତୁ ଭାଗ୍ୟ ତାର ଏପରି ମନ୍ଦ ଯେ କନ୍ୟା ଯଦିବା ତାଙ୍କର ଡାକ ଶୁଣୁଛି, ସେ ତଥାପି ଶୋଇ ରହିଛି । ତାଙ୍କର ଆଗମନ ପାଇଁ, ତାଙ୍କର ଅଭ୍ୟର୍ଥନା ପାଇଁ ସେ ଆପଣାକୁ କେତେ ସଜାଇଛି; କେତେ ଗନ୍ଧଦ୍ରବ୍ୟରେ ଶରୀର ପଖାଳିଛି; ଗୋଡ଼ ଧୋଇଛି ଯତ୍ନକରି । ଭାବୁଛି, ପୁଣି କେମିତି ଶେଯରୁ ତଳକୁ ଓହ୍ଲାଇବି ? ଗୋଡ଼ ମଇଳା ହେବ । ବାସ୍ତବିକ ଅନେକ ସମୟରେ ଏହାହିଁ ଭକ୍ତଜୀବନର ଅନୁଭୂତି । ଉପାସନାର ଉପକରଣ ଆହରଣରେ ସେ ଏତେ ବ୍ୟସ୍ତ ଯେ ଅନେକ ସମୟରେ ଉପାସ୍ୟ ଦେବତାଙ୍କୁ ଭୁଲି ଯାଏ । ନାନାଦି ସଦ୍‌ଗୁଣ ଅର୍ଜନ କରିବାରେ, ନାନା ସତ୍‌କାର୍ଯ୍ୟ ମଧ୍ୟରେ ସେ ଆପଣାକୁ ଏପରି ହଜାଇଦିଏ, ଏପରି ବ୍ୟତିବ୍ୟସ୍ତ ହୋଇ ଉଠେ ଯେ ପାଞ୍ଚମିନିଟ୍‍ ସମୟ ପାଏ ନାହିଁ ପ୍ରଭୁଙ୍କ ପାଦତଳେ ବସି ନିରୋଳାରେ ତାଙ୍କର କଥା ଶୁଣିବାକୁ, ଯଦିବା ପ୍ରଭୁ ତା’ ଘରେ ଉପସ୍ଥିତ ।

 

ମନୁଷ୍ୟ ଜୀବନର କାର୍ଯ୍ୟକଳାପରେ ମଧ୍ୟ ସମୟର ଜୁଆର ଭଟ୍ଟା ଅଛି, ଅନୁକୂଳ ପ୍ରତିକୂଳ ସମୟ ଅଛି । ସୁଯୋଗ ଉପସ୍ଥିତ ହେଲେ ଯଦି ଠିକ୍ ସେହି ସମୟରେ ତାହା ଗ୍ରହଣ କରା ନ ଯାଏ, ତାହାହେଲେ ସେ ସୁଯୋଗ ଚାଲିଯାଏ । ବାଲ୍ୟାବସ୍ଥାରେ ସୁଲଭ ସମୟରେ ଯଦି ମନୁଷ୍ୟ ବିଦ୍ୟାଭ୍ୟାସ ନ କରେ ତାହାହେଲେ ତାହାର ଆଉ ବିଦ୍ୟା ଅଭ୍ୟାସ କରିବା ଦୁରୂହ ହୋଇପଡ଼େ । ଜୀବନରେ ଧର୍ମର ସାଧନା ମଧ୍ୟ ଠିକ୍ ସେହିପରି । ତାଙ୍କର ଆତ୍ମା ନିରନ୍ତର ଆମ୍ଭମାନଙ୍କ ନିକଟରେ କାକୁତି ମିନତି କରନ୍ତି ନାହିଁ, ସଦାବେଳେ ଆମ୍ଭମାନଙ୍କୁ ସାଧ୍ୟସାଧନା କରନ୍ତି ନାହିଁ । ଯଦିବା ସେ ଅତି ଆଗ୍ରହରେ ସମୟ ଅସମୟ ଜ୍ଞାନ ନ କରି ଆସି ମୋ ଦୁଆରରେ ଆଘାତ କରନ୍ତି, ଆଉ ମୋତେ ଡାକନ୍ତି ଦୁଆର ଫିଟାଇବାକୁ, ମୁଁ ଯଦି ସେହି ସମୟରେ ଦ୍ୱାର ନ ଫିଟାଏ, ସେ ଚାଲିଯାନ୍ତି ବଡ଼ ଦୁଃଖିତ ହୋଇ, ବଡ଼ ବ୍ୟଥିତ ହୋଇ । ଅବଶ୍ୟ ପ୍ରଭୁଙ୍କର ଆଗମନ ହେଉଛି ଏ ବିଦ୍ରୋହୀଚିତ୍ତ ନିକଟକୁ ପ୍ରତି ନିୟତ । ଆଜି ମଧ୍ୟ ମୋ ସକାଶେ ଶୁଭ ସମୟ, ଆଜି ମଧ୍ୟ ମୋର ପରିତ୍ରାଣର ଦିବସ ହୋଇପାରେ । ତଥାପି ଏ ଜୀବନରେ ଏପରି ବିଶେଷ ସମୟ ଆସି ଉପସ୍ଥିତ ହୁଏ, ଯେଉଁ ସମୟ କି ତାଙ୍କର ଉପସ୍ଥିତି ଅନୁଭବ କରିବା ପକ୍ଷରେ ଅନୁକୂଳ । ବରର ଆଗମନ ହୁଏ ରାତି ଯେତେବେଳେ ଗଭୀର । ଯେତେବେଳେ ଚାରିଆଡ଼ୁ ଜୀବନ ଉପରକୁ ଅମାବାସ୍ୟାର ଗଭୀର ଅନ୍ଧକାର ମାଡ଼ି ଆସେ, ଦୁଃଖ ଶୋକ ବିରହ ବେଦନା ମୋର ଦିକ୍‌ଚକ୍ରବାଳ ଆଚ୍ଛନ୍ନ କରିପକାଏ, ସେତିକିବେଳେ ମୋର ଜାଣିରଖିବା ଦରକାର ମୋର ଜୀବନବଲ୍ଲଭ ମୋର ଦୁଆରକୁ ଆସିଛନ୍ତି ହାତରେ ଅମୃତର ଭାଣ୍ଡ ଧରି ମୋତେ ଅଭୟ ଦେବାକୁ । ହାୟ, ମୁଁ ଯଦି କେବଳ ଦୁଆର ଫିଟାଇ ଦିଅନ୍ତି !

 

ମୁଁ ଦୁଆର ଫିଟାଏ ନାହିଁ କାହିଁକି ? ଜଗତର ପ୍ରହାରରେ ଜର୍ଜ୍ଜରିତ ଭୀତଶଙ୍କିତ ଚିତ୍ତ ମୋର ସାହସ ହରାଇଛି । ମୁଁ ଭୁଲିଯାଇଛି ମୋର ପ୍ରେମିକ ଯଦିବା ମୋ ପାଖକୁ ଉପଯାଚକ ପରି ଆସନ୍ତି ତଥାପି ସେ ବିଶ୍ୱବ୍ରହ୍ମାଣ୍ଡର ଅଧିପତି । ମୋର ନିଜର ଦୀନତାବୋଧ ମୋତେ ଏପରି ଗ୍ରାସ କରିଛି, ଏପରି ଅବସନ୍ନ କରିଛି ଯେ ବିଛଣାରୁ ଉଠି ଦ୍ୱାର ଫିଟାଇବାକୁ ମୋର ଉତ୍ସାହ ନାହିଁ । ମୋର ଆଳସ୍ୟ ମୋତେ ସ୍ୱାର୍ଥପର ଏବଂ ଆତ୍ମମ୍ଭରୀ କରିଛି, ସେଥିପାଇଁ ବିଛଣାର ମାୟା, ବିଛଣାର ଆଶ୍ରୟ ତ୍ୟାଗ କରିପାରୁ ନାହିଁ । ଭକ୍ତ ପ୍ରଭୁଙ୍କର ପୂର୍ଣ୍ଣ ଉପସ୍ଥିତି ଜୀବନରେ ଅନୁଭବ କରେ ନାହିଁ ଯେତେବେଳ ପର୍ଯ୍ୟନ୍ତ ନା ସେ ସମ୍ପୂର୍ଣ୍ଣରୂପେ ଆପଣାକୁ ତାଙ୍କର ଇଚ୍ଛାଧୀନ ନ କରେ । ଏହି ପୂର୍ଣ୍ଣ ଆତ୍ମୋତ୍ସର୍ଗର ଅଭାବ ତାଙ୍କ ସହିତ ପୂର୍ଣ୍ଣମିଳନ ପଥରେ ବାଧା ।

 

ଯେତେବେଳେ ମୁଁ ଆପଣାକୁ ରିକ୍ତ କରି ମୋର ସମସ୍ତ ଚିତ୍ତ ମନପ୍ରାଣ ତାଙ୍କ ପାଦତଳେ ସମର୍ପି ଦିଏ, ସେତେବେଳେ ଯେ ସେ ଆସି ମୋ ସହିତ ମିଳିତ ହୁଅନ୍ତି, ଏ ମିଳନର ଅର୍ଥ କଣ ? ସେ କହୁଛନ୍ତି ମୋତେ ଭିତରେ ପ୍ରବେଶ କରିବାକୁ ଦିଅ, ତାହାହେଲେ ମୁଁ ତୁମ ସହିତ ଭୋଜନପାନ କରିବି । ଏ ଗୋଟାଏ ଅତି ବିସ୍ମୟକର ସତ୍ୟ ଯେ ଖାଇବା ପିଇବାକୁ ପ୍ରଭୁ ଗୋଟାଏ ତୁଚ୍ଛ ବିଷୟ ବୋଲି ଧରି ନାହାନ୍ତି, ବହୁ ଆଧ୍ୟାତ୍ମିକ ଅଭିଜ୍ଞତା ସହିତ ଏହାର ନିଗୂଢ଼ ସମ୍ବନ୍ଧ ସ୍ଥାପନ କରିଛନ୍ତି । ଯୀଶୁଙ୍କର ଐଶୀଶକ୍ତି ପ୍ରଥମ କରି ଖାଇବା ପିଇବା ଭିତର ଦେଇ ପ୍ରକାଶିତ ହୋଇଥିଲା-। ଶିଷ୍ୟମାନଙ୍କଠାରୁ ବିଦାୟ ନେଇଥିଲେ କ୍ରୂଶୀୟ ମୃତ୍ୟୁ ଭୋଗର ପୂର୍ବରାତ୍ରିରେ ସେମାନଙ୍କ ସହିତ ଖାଇପିଇ, ଯାହାର ସ୍ମୃତିକୁ ଏପର୍ଯ୍ୟନ୍ତ ଖ୍ରୀଷ୍ଟମଣ୍ଡଳୀ ଜଗତର ସର୍ବତ୍ର ପୂଜା କରୁଅଛି । ତାଙ୍କର ପୁନରୁତ୍ଥାନ ଉତ୍ତାରେ ସେ ଶିଷ୍ୟମାନଙ୍କର ସନ୍ଦେହ ମୋଚନ କରିଥିଲେ ସେମାନଙ୍କ ସହିତ ଭୋଜନପାନ କରିବା ବେଳେ ଆପଣାକୁ ପ୍ରକାଶ କରି । ବାସ୍ତବିକ ଏକଥା କେତେ ସତ୍ୟ ଯେ ଖାଇବା ପିଇବା ପ୍ରଭୃତି ଜୀବନର ଅତି ସାଧାରଣ କାର୍ଯ୍ୟକଳାପରେ ସୁଦ୍ଧା ସେ ନିଜକୁ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତି, ଯଦି ଆମ୍ଭେମାନେ କେବଳ ହୃଦୟକବାଟ ଫିଟାଇ ତାଙ୍କୁ ଭିତରେ ପ୍ରବେଶ କରିବାର ସୁଯୋଗ ଦେଉଁ । ତାଙ୍କ ସହିତ ମିଳିତ ହେଲେ ଏ ଜୀବନ ସାର୍ଥକ ହୁଏ, ଜୀବନର ଛୋଟ ବଡ଼ ସମସ୍ତ କାର୍ଯ୍ୟ ଅର୍ଥପୂର୍ଣ୍ଣ ହୁଏ, ତାଙ୍କ ଉପସ୍ଥିତିର ସାର୍ଥକତା ହୃଦୟଙ୍ଗମ କରାଏ । ସାଧାରଣ ଭିତରେ ଆମ୍ଭେମାନେ ଅସାଧାରଣର ଅନୁଭୂତି ପାଉଁ ଯେତେବେଳେ ଜୀବନ ମଧ୍ୟରେ ତାଙ୍କୁ ପ୍ରବେଶ କରିବାକୁ ସୁଯୋଗ ଦେଉଁ ।

Image

 

ଧର୍ମର ବ୍ୟବହାରିକ ମୂଲ୍ୟ

 

ସେ କହିବାକୁ ଲାଗିଲେ, ଏହି କାଳର ଲୋକମାନେ ଦୁଷ୍ଟ, ଏମାନେ ଚିହ୍ନ ଖୋଜନ୍ତି, କିନ୍ତୁ ଯୂନୁସର ଚିହ୍ନ ଛଡ଼ା ଆଉ କୌଣସି ଚିହ୍ନ ଏମାନଙ୍କୁ ଦିଆ ଯିବ ନାହିଁ । କାରଣ ଯୂନୁସ ଯେପରି ନୀନିବୀୟମାନଙ୍କ ନିକଟରେ ଚିହ୍ନ ସ୍ୱରୂପ ହୋଇଥିଲେ, ସେହିପରି ମନୁଷ୍ୟପୁତ୍ର ଏହି ଲୋକମାନଙ୍କ ନିକଟରେ ହେବେ । ବିଚାର ସମୟରେ ଦକ୍ଷିଣ ଦେଶର ରାଣୀ ଏହି କାଳର ଲୋକମାନଙ୍କ ବିରୁଦ୍ଧରେ ଉଠି ଏମାନଙ୍କୁ ଦୋଷୀ କରିବ । କାରଣ ଶରୋମନର ଜ୍ଞାନର କଥା ଶୁଣିବା ପାଇଁ ସେ ପୃଥିବୀର ପ୍ରାନ୍ତରୁ ଆସିଥିଲା, ଆଉ ଦେଖ ଶରୋମନଠାରୁ ମହାନ୍ ଏକ ବ୍ୟକ୍ତି ଏଠି ଅଛନ୍ତି ।

 

‘‘ଚକ୍ଷୁ ଶରୀରର ପ୍ରଦୀପ; ଅତଏବ ତୁମ୍ଭର ଚକ୍ଷୁ ଯେବେ ସରଳ ହୁଏ (ଏକ ହୁଏ, ତେବେ ତୁମର ସମସ୍ତ ଶରୀର ଦୀପ୍ତିମୟ ହେବ । କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ମନ୍ଦ ହୁଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ । ଅତଏବ ତୁମ୍ଭର ଅନ୍ତରର ଦୀପ୍ତି ଯେବେ ଅନ୍ଧକାର ହୁଏ, ସେ ଅନ୍ଧକାର କେତେ ବଡ଼ ! କେହି ଦୁଇ କର୍ତ୍ତାର ଦାସତ୍ଵ କରିପାରିବ ନାହିଁ, କାହିଁକି ନା ସେ ହୁଏତ ଜଣକୁ ଦ୍ୱେଷ କରିବ, ଆଉ ଜଣକୁ ଶ୍ରଦ୍ଧା କରିବ; ଜଣକ ପ୍ରତି ଅନୁରକ୍ତ ହେବ, ଆର ଜଣକୁ ତୁଚ୍ଛ କରିବ । ତୁମ୍ଭେମାନେ ଈଶ୍ୱର ଏବଂ ଧନ ଉଭୟର ଦାସତ୍ଵ କରିପାର ନାହିଁ । ଏଥିପାଇଁ ମୁଁ ତୁମ୍ଭମାନଙ୍କୁ କହୁଅଛି ‘କଣ ଭୋଜନ କରିବ, କଣ ପାନ କରିବ’ କହି ନିଜ ଜୀବନ ବିଷୟରେ ବ୍ୟସ୍ତ ହୁଅ ନାହିଁ, କିଅବା ‘କଣ ପିନ୍ଧିବି’ କହି ଶରୀର ବିଷୟରେ ବ୍ୟସ୍ତ ହୁଅ ନାହିଁ । ଭକ୍ଷ୍ୟଠାରୁ ପ୍ରାଣ ଓ ବସ୍ତ୍ରଠାରୁ ଶରୀର କଣ ବଡ଼ ବିଷୟ ନୁହେଁ ? ଆକାଶର ପକ୍ଷୀମାନଙ୍କୁ ଦେଖ ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କି ଗୋଲାଘରେ ସଞ୍ଚୟ କରନ୍ତି ନାହିଁ, ତଥାପି ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି । ତୁମ୍ଭେମାନେ କଣ ସେମାନଙ୍କଠାରୁ ଅଧିକ ଶ୍ରେଷ୍ଠ ନୁହଁ ?’’

 

‘‘ପ୍ରଥମେ ଧାର୍ମିକତା ଓ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଚିନ୍ତିତ ହୁଅ, ତାହାହେଲେ ଅନ୍ୟ ସବୁ ବିଷୟ ପାଇବ ।’’

 

କାହିଁକି ଲୋକ ଧର୍ମର ଆଶ୍ରୟ ଗ୍ରହଣ କରିବ ? ବ୍ୟବହାରରେ ଲାଗିବା ଭଳି ଧର୍ମର କଣ ଏପରି କିଛି ଉପଯୋଗୀତା ବା ଉପାଦେୟତା ଅଛି ? ସାଧାରଣତଃ ଦେଖିବାକୁ ଗଲେ, କି ସମାଜ କି ବ୍ୟକ୍ତିବିଶେଷ ଧର୍ମକୁ ଯେପରି ଭାବରେ ଗ୍ରହଣ କରନ୍ତି ବା ବ୍ୟବହାର କରନ୍ତି ସେଥିରେ ଏହି ଜଡ଼ବାଦର ଯୁଗରେ ଯଦି କେହି ଧର୍ମର ଆବଶ୍ୟକତା ଏକାବେଳେକେ ଅସ୍ୱୀକାର କରେ ସେଥିପାଇଁ ତାକୁ ହଠାତ୍ ଦୋଷ ଦେଇ ହେବ ନାହିଁ । ଧର୍ମ ଆମ୍ଭମାନଙ୍କ ପକ୍ଷରେ ଗୋଟାଏ ଭୂଷଣ ବା ଗହଣା, ସୌଖୀନ୍‌ର ଜିନିଷ । କେବଳ ବାହାରକୁ ବାହାରିଲେ ପିନ୍ଧିକରି ବାହାରୁ, ଘର ଭିତରେ ପଶିଲେ କାଢ଼ି ରଖି ଦେଉଁ । ଧର୍ମ କେବଳ ରବିବାରର ବିଷୟ, ସୋମ ମଙ୍ଗଳ ପ୍ରଭୃତି ଅନ୍ୟାନ୍ୟ ବାରରେ ଭୁଲି ଯିବାର କଥା । ଧର୍ମ ଆମ୍ଭମାନଙ୍କ ପକ୍ଷରେ କେବଳ ଗୋଟାଏ ଅଭ୍ୟାସର ସଂସ୍କାର-। ପିଲାଦିନରୁ ଏ ସମ୍ବନ୍ଧରେ ଶୁଣି ଆସିଅଛୁଁ, ଏହା ଭିତରେ ବଢ଼ି ଆସିଛୁଁ, କିଛି କିଛି ଧର୍ମ ସଂକ୍ରାନ୍ତ କାର୍ଯ୍ୟ କରି ଆସିଛୁଁ, ଅଭ୍ୟାସଗତ ହୋଇପଡ଼ିଛି, ନ କଲେ ବା ଧର୍ମ ସପକ୍ଷରେ ପଦେ ଅଧେ ନ କହିଲେ ମନଟା ବଡ଼ ଅସ୍ୱସ୍ତି ବୋଧ କରେ । ଜଗତରେ ନିଜ ଅସ୍ତିତ୍ୱ ସମ୍ବନ୍ଧରେ ଏହାହିଁ ଯଦି ଧର୍ମର କୈଫିୟତ ହୁଏ ତାହାହେଲେ ଏ ଅନ୍ଧତା ଏବଂ ଅଜ୍ଞାନତାର ମୋହକୁ ଜ୍ଞାନବିଜ୍ଞାନ ଯେତେ ଶୀଘ୍ର ପୃଥିବୀ ପୃଷ୍ଠରୁ ବିତାଡ଼ିତ କରେ ତେତେ ଶୀଘ୍ର ମନୁଷ୍ୟ ପକ୍ଷରେ ମଙ୍ଗଳଜନକ, କାରଣ ତେତେ ଶୀଘ୍ର ମନୁଷ୍ୟ ଜୀବନ ଗୋଟାଏ ଦୁର୍ବହ ଭାର ବହିବାର ଅଭିଶାପରୁ ମୁକ୍ତି ପାଇବ-। ଯେବେ ମୋର ଜୀବନଯାତ୍ରା ନିର୍ବାହ କରିବା ପାଇଁ ଧର୍ମ ଅତି ଆବଶ୍ୟକ ବିଷୟ ନ ହୁଏ, ଯାହା ନ ପାଇଲେ ଜୀବନ ଅପୂର୍ଣ୍ଣ ରହିବ, ତେବେ ଏପ୍ରକାର ବିଷୟ ନ ଥିଲେ ମୋର ବିଶେଷ କିଛି କ୍ଷତି ହେବ ନାହିଁ । କାରଣ ଏହାହିଁ ପ୍ରମାଣିତ ହେବ ଯେ ମୋର ଜୀବନ ଧାରଣ ନିମନ୍ତେ ମୋ ନିକଟରେ ଧର୍ମର କୌଣସି ବ୍ୟବହାରିକ ମୂଲ୍ୟ ନାହିଁ । ମୁଁ ଯେତେବେଳେ ବଜାରକୁ ଯାଏ ସଉଦା କିଣିବାକୁ, ଆଉ କୌଣସି ଜିନିଷ ମୂଲାଏ, ଦୋକାନୀ ଯଦି ଠିକ୍ ଦର ଦେଇଥାଏ, ଅନେକ ସମୟରେ ମୋତେ ଇତସ୍ତତଃ କରିବାର ଦେଖିଲେ ଯଚେଇ କରି ଦେଖିବାକୁ ପରାମର୍ଶ ଦିଏ । ଯେତେବେଳେ ମୋତେ ଅହରହ କୁହାହେଉଛି ଧର୍ମ ଏ ଦୁନିଆରେ ଏପ୍ରକାର ସଉଦା ଯାହାକୁ କିଣିବା ପାଇଁ ଏ ସଂସାରରେ ମୋର ଯାହା କିଛି ଅଛି ସେ ସବୁକୁ ଜଳାଞ୍ଜଳି ଦେବାକୁ ଯେପରି ମୁଁ ପ୍ରସ୍ତୁତ ହୁଏ, ସେତେବେଳେ ଏ ମହାର୍ଘ ଜିନିଷ ମୋର ବ୍ୟବହାର ପକ୍ଷରେ କେତେଦୂର ଆବଶ୍ୟକ ତାହା ଯଚେଇ ଦେଖିବାର ମୋର ଯେଉଁ ଇଚ୍ଛା ତାହା ସ୍ୱାଭାବିକ । ବର୍ତ୍ତମାନ ପ୍ରଶ୍ନ ହେଉଛି, ଧର୍ମ ପକ୍ଷରେ ଏହି ଯେଉଁ ଦାବୀ ତାହା କେତେଦୂର ଗ୍ରହଣୀୟ, ଅର୍ଥାତ୍, କଣ ସତ୍ୟ ସତ୍ୟ ମୋର ପ୍ରତିଦିନର ଜୀବନଯାତ୍ରା ନିର୍ବାହ କରିବା ପକ୍ଷରେ ଧର୍ମ ଅତୀବ ବ୍ୟବହାର୍ଯ୍ୟ ଓ ଆବଶ୍ୟକୀୟ ବିଷୟ ?

 

ଜୀବନ ପକ୍ଷରେ ଧର୍ମର ଆବଶ୍ୟକତା ଯେ ସର୍ବାପେକ୍ଷା ବଡ଼ ତାହା ପ୍ରମାଣିତ ହେବ, ଯେବେ ପ୍ରମାଣ କରାଯାଇ ପାରେ ଯେ ଯାହା ଜୀବନର ସର୍ବାପେକ୍ଷା ବଡ଼ ଅଭାବ, ତାହା ତଦ୍ଦ୍ୱାରା ପୂର୍ଣ୍ଣ ହୁଏ । ଏ କଥା ଅବିସମ୍ବାଦିତ ସତ୍ୟ ଯେ ଧନ ମାନ ଜ୍ଞାନ ପ୍ରଭୃତି ବିଷୟବସ୍ତୁର ପ୍ରାଚୁର୍ଯ୍ୟରେ ଜୀବନର ସମସ୍ତ ଅଭାବ ପୂର୍ଣ୍ଣ ହୁଏ ନାହିଁ । ରୁଟିରେ କେବଳ ମନୁଷ୍ୟ ବଞ୍ଚିବ ନାହିଁ । ବିଷୟବସ୍ତୁର ପ୍ରାଚୁର୍ଯ୍ୟ ଥାଇ ସୁଦ୍ଧା ମନୁଷ୍ୟ ଅଭାବଗ୍ରସ୍ତ, ଅନ୍ନକ୍ଳିଷ୍ଟ, ଜୀବନ ବ୍ୟସ୍ତ, ବିଶୃଙ୍ଖଳ ଏବଂ କ୍ଷିପ୍ତ । ବର୍ତ୍ତମାନ ଯୁଗର ଜ୍ଞାନବିଜ୍ଞାନ ଶିଳ୍ପ ବାଣିଜ୍ୟର ଉନ୍ନତି ଏବଂ ଆସବାବ ପତ୍ରର ଯଥେଷ୍ଟତା ସତ୍ତ୍ୱେ ମନୁଷ୍ୟ ଅନାହାରରେ କ୍ଷିପ୍ତ ହୋଇଉଠିଛି । ଯେତେବେଳେ କଳକବ୍‌ଜା ଉଦ୍ଭାବନ କରିବାକୁ ଆରମ୍ଭ କଲା, ମନୁଷ୍ୟ ମନେକଲା ଦିହରେ ଆରାମ ପାଇବ, ଏବଂ ବିଜ୍ଞାନବଳରେ ଅସାଧ୍ୟ ମଧ୍ୟ ସାଧନ କଲା, କିନ୍ତୁ କଳକବ୍‌ଜା ଶେଷକୁ ଏପରି ତାର ସ୍ଥାନ ଅଧିକାର କରିବାକୁ ବସିଲା ଯେ ମନୁଷ୍ୟ ଆରାମ ପାଇବ କଣ ଦୁର୍ଭିକ୍ଷରେ ମଲା । ଏହିହେତୁରୁ ବେକାର ସମସ୍ୟା ଗୁରୁତର ଆକାର ଧାରଣ କରିଛି । ଏ କଥା ନିଃସନ୍ଦେହରେ କୁହାଯାଇ ପାରେ ଯେ ଅତୀତର ଯେ କୌଣସି ଯୁଗ ଅପେକ୍ଷା ପୃଥିବୀରେ ସୁନାର ପରିମାଣ ବର୍ତ୍ତମାନ ଶତଗୁଣ ଅଧିକ; ତଥାପି ଅନ୍ତର୍ଜାତୀୟ ଅର୍ଥନୀତି କ୍ଷେତ୍ରରେ ସୁନା କମିବାର ଭୟ ସମୟ ସମୟରେ ଆତଙ୍କ ସୃଷ୍ଟି କରୁଛି । ଜମିରୁ ଉତ୍ପନ୍ନ ଶସ୍ୟର ପରିମାଣ ଯେ କମିଛି ତାହା ନୁହେଁ, କିନ୍ତୁ ଫସଲର ଦାମ୍‍ ଏପରି କମିଛି ଯେ ଚାଷୀକୁଳ ଉଚ୍ଛନ୍ନ ହେବାକୁ ବସିଲାଣି । କାହିଁ, ବିଷୟବସ୍ତୁର ପ୍ରାଚୁର୍ଯ୍ୟ ତ ରହିଛି, ତଥାପି ଜୀବନର ଅଭାବ ଯାଉ ନାହିଁ, ଜୀବନ ବ୍ୟସ୍ତସମସ୍ତ ହୋଇଯାଉଛି ।

 

ବାସ୍ତବିକ ମନୁଷ୍ୟ ଜୀବନ ଯେଉଁ ବାଦ୍ୟଯନ୍ତ୍ର ତାହା ଆଜି ବେସୁରା ବାଜୁଛି । ଏହି ବାଦ୍ୟଯନ୍ତ୍ର ଯେଉଁସବୁ ତାରରେ ଖଞ୍ଜା ତାହା ଶାରୀରିକ ହେଉ, ମାନସିକ ହେଉ ଅବା ଆଧ୍ୟାତ୍ମିକ ହେଉ, ସେ ସବୁ ଅତି ସୂକ୍ଷ୍ମ ଏବଂ କୋମଳ । ଜୀବନର ଏହି ତାର ସବୁ ଯେପରି ଭାବରେ ବନ୍ଧା ହୋଇଛି ଦୋଷ ରହିଛି ସେଇଠି । ସେଥିପାଇଁ କୋମଳ ହେଉ ଅବା କଠିନ ହେଉ ବାହାରର ଯେ କୌଣସିପ୍ରକାର ଆଘାତ ଜୀବନ ଉପରେ ପଡ଼ିଲେ ତହିଁରୁ ସୁମଧୁର ସ୍ୱର ବାହାରିବା ପରିବର୍ତ୍ତେ ଚିତ୍କାର ବାହାରୁଛି । ଦୋଷ କାହାର ? ଜୀବନର ଅଧିକାରୀ ଯେ ମୁଁ, ଦୋଷ ମୋହର । ଜୀବନର ଯେଉଁ ତାରଟିକୁ ଯେପରି ଭାବରେ ବାନ୍ଧିଲେ ଜୀବନରେ ସାମଞ୍ଜସ୍ୟ ଓ ଶୃଙ୍ଖଳା ରହିବ, ଜୀବନ ସଙ୍ଗୀତମୟ ହେବ, ତାର ସ୍ୱରଲହରୀ ଅକ୍ଷୁଣ୍ଣ ରହିବ, ମୁଁ ତାକୁ ସେପରି ବାନ୍ଧୁ ନାହିଁ ।

 

ସଂକ୍ଷେପରେ ଏତିକି କହିଲେ ଯଥେଷ୍ଟ ହେବ, ମୁଁ ମୂଲ୍ୟ ନିରୂପଣ କରିବାକୁ ଶିଖି ନାହିଁ-। ଜୀବନରେ ଯାହାକୁ ଯେଉଁଠି ରଖିଲେ ଜୀବନର ଶୃଙ୍ଖଳା ରହିବ ତାକୁ ମୁଁ ସେଠି ରଖୁ ନାହିଁ-। ଧନ ମାନ ଜ୍ଞାନ ପ୍ରଭୃତିର ସ୍ଥାନ ଜୀବନରେ ଯେଉଁଠି ମୁଁ ସେଠି ନ ରଖି ସେମାନଙ୍କୁ ଆହୁରି ଉପରେ ରଖୁଛି ବୋଲି ଜୀବନ ଅଶାନ୍ତିକର ହେଉଛି । ଘୋଡ଼ା ପଛରେ ଗାଡ଼ିକୁ ନ ରଖି ଗାଡ଼ି ପଛରେ ଘୋଡ଼ାକୁ ବାନ୍ଧୁଛି, ଆଉ ନାଲିଶ କରୁଛି ଗାଡ଼ି କାହିଁକି ଅଗ୍ରସର ହେଉ ନାହିଁ । ଏ ଜୀବନର ପ୍ରଭୁ ଏକ । ମୁଁ କିନ୍ତୁ ଅନେକଙ୍କର ପ୍ରଭୁତ୍ୱ ସ୍ୱୀକାର କରିବାକୁ ଯାଇ କାହାରି ଦାସତ୍ୱ ପୂର୍ଣ୍ଣରୂପେ ସ୍ୱୀକାର କରୁ ନାହିଁ । ଶାସ୍ତ୍ର କହୁଛି ଧନ ଈଶ୍ୱର ଦୁଇ ପ୍ରଭୁଙ୍କର ସେବା କରିପାରିବ ନାହିଁ-। ମୁଁ କିନ୍ତୁ ଏ ଅସାଧ୍ୟ ସାଧନରେ ମାତିଛି । ଚକ୍ଷୁ ଶରୀରର ପ୍ରଦୀପ । ଚକ୍ଷୁ ଯଦି ଏକ ବା ଏକାଗ୍ର ହୁଏ ତେବେ ସମସ୍ତ ଶରୀର ଆଲୋକିତ ହେବ । ଏ ସତ୍ୟ ଯେ କେବଳ ଶାରୀରିକ ତାହା ନୁହେଁ । ଏହା ଗୋଟିଏ ଆଧ୍ୟାତ୍ମିକ ସତ୍ୟ । ମୋର ଶାରୀରିକ ଚକ୍ଷୁ ଦୁଇଟି ଯେବେ ଏକ ନ ହୁଅନ୍ତି, ଅର୍ଥାତ୍ କୌଣସି ଏକ ପ୍ରେରଣାର ବଶୀଭୂତ ନ ହୁଅନ୍ତି, ତାହାହେଲେ ଏ ସଂସାରରେ ମୋର ଦେଖିବା କାର୍ଯ୍ୟ ମହାବିଡ଼ମ୍ବନାମୟ ହେବ । ମୋର ଅନ୍ତରର ଚକ୍ଷୁ ସବୁକୁ ଦେଖିବା ବିଷୟରେ ଏକର ବଶ୍ୟତା ସ୍ୱୀକାର କରାଇବାକୁ ମୁଁ ରାଜି ନୁହେଁ, ସେଥିପାଇଁ ଦେଖୁଛି ବଡ଼କୁ ସାନ ଏବଂ ସାନକୁ ବଡ଼ । ମୋର ଜୀବନକୁ ପୂର୍ଣ୍ଣତା ପ୍ରଦାନ କରିବାକୁ ଯେଉଁସବୁ ବିଷୟ ଦିଆହୋଇଅଛି ସେ ସବୁର ଯଥାଯୋଗ୍ୟ ମୂଲ୍ୟ ନିରୂପଣ କରି ସେମାନଙ୍କୁ ସ୍ୱ ସ୍ୱ ସ୍ଥାନରେ ରଖିପାରୁ ନାହିଁ । ପ୍ରଭୁ କହୁଛନ୍ତି କଣ ଖାଇବ କଣ ପିନ୍ଧିବ ବୋଲି ଏତେ ବ୍ୟସ୍ତ କାହିଁକି ହେଉଛ ? ଖାଦ୍ୟ ଅପେକ୍ଷା କଣ ଜୀବନ ବଡ଼ ନୁହେଁ, ବସ୍ତ୍ର ଅପେକ୍ଷା କଣ ଶରୀର ବଡ଼ ନୁହେଁ ? ସଞ୍ଜେ ଫୁଟି ସକାଳେ ଚୁଲିକୁ ଯାଏ ଯେଉଁ ଘାସଫୁଲ ତାକୁ ଏଡ଼େ ସୁନ୍ଦର ଲୁଗା କିଏ ପିନ୍ଧେଇଛନ୍ତି ? ଜଗତରେ ଏପରି କୌଣସି ରାଜାକୁ ଦେଖିଛ କି ଯାହାର ପୋଷାକ ଫୁଲର ପୋଷାକଠାରୁ ଅଧିକ ସୁନ୍ଦର ? ପ୍ରଥମେ ଧାର୍ମିକତା ଓ ସ୍ୱର୍ଗରାଜ୍ୟ ବିଷୟରେ ଚିନ୍ତିତ ହୁଅ ତାହାହେଲେ ବାକୀ ସବୁ ବିଷୟ ଆପଣା ଛାଁ ତୁମ କତିକୁ ଆସିବ । ଯଦି ଧର୍ମରାଜ୍ୟ ଜଗତରେ ପ୍ରତିଷ୍ଠିତ କରିବାକୁ ଚାହଁ ତାହାହେଲେ ନିଜେ ଧାର୍ମିକ ହୁଅ । ମୁଁ କିନ୍ତୁ ତାହା ମାନିବାକୁ ନାରାଜ । ମୋର ମୂଲ୍ୟ ନିରୂପଣ ଅନ୍ୟରକମ । ମୁଁ ଭାବୁଛି ଜୀବନ ଅପେକ୍ଷା ଖାଦ୍ୟର ମୂଲ୍ୟ ବେଶୀ, ଶରୀର ଅପେକ୍ଷା ବସ୍ତ୍ରର ମୂଲ୍ୟ ବେଶୀ । ନୀନିବୀର ଲୋକେ ମୂଲ୍ୟ ନିରୂପଣ କରିବାରେ ଭୁଲ କରି ନ ଥିଲେ । ସେମାନେ ଭବିଷ୍ୟତରେ ଦଣ୍ଡାଜ୍ଞା ଆନୟନ କରେ ବର୍ତ୍ତମାନର ଯେଉଁ କ୍ଷଣିକ ସୁଖଭୋଗ ତାକୁ ପରିତ୍ୟାଗ କରିବାକୁ ଦ୍ୱିଧା କରି ନ ଥିଲେ । ଅନାଗତ ଭବିଷ୍ୟତ୍ ସମ୍ବନ୍ଧରେ ଯୂନୁସ ଯାହା କହିଥିଲେ ତାହା ଯେ ସତ୍ୟ ତାର ପ୍ରମାଣ ଚାହିଁ ନ ଥିଲେ କି ଚିହ୍ନ ଖୋଜି ନ ଥିଲେ । ଯୂନୁସଙ୍କର ବାକ୍ୟ ସେମାନଙ୍କ ପକ୍ଷରେ ଯଥେଷ୍ଟ ହେଲା-। ଯାହା ଉତ୍ତମ–ଅନ୍ତତଃ ଆଧ୍ୟାତ୍ମିକ ରାଜ୍ୟରେ–ତାହା ସ୍ୱତଃସିଦ୍ଧ, ତାର ଉତ୍ତମତା ନିର୍ଭର କରେ ନାହିଁ ଅପରର ପ୍ରରୋଚନା ଉପରେ । ଅପରର ପ୍ରରୋଚନା ମୋତେ ଉତ୍ତମର ସନ୍ଧାନ ଦେଇପାରେ କିନ୍ତୁ ତାର ସ୍ୱରୂପ ନିର୍ଣ୍ଣୟ ମୋର ନିଜର ହୃଦବୋଧ ଉପରେ ନିର୍ଭର କରେ । ଉତ୍ତମ ଅଧମ ପ୍ରଭେଦ ନିର୍ଣ୍ଣୟରେ ମୁଁ ଯଦି ଭୁଲ କରେ ନୀନିବୀର ଲୋକେ ଉଠି ମୋତେ ଦୋଷ ଦେବେ-। ଯେହେତୁ ସେ ଭୁଲ ମୋର ଇଚ୍ଛାକୃତ । ଶିବାଦେଶର ରାଣୀ ମଧ୍ୟ ମୋତେ ସେହିପରି ଦୋଷ ଦେବ । କାରଣ, ସେ ଜ୍ଞାନର କଥା ଶୁଣିବା ପାଇଁ ନିଜ ଦେଶ ଛାଡ଼ି ଦୂରଦେଶକୁ ଯାଇଥିଲା-। ଆଉ, ମୁଁ ଯାହାଙ୍କ କଥା ଶୁଣୁ ନାହିଁ, ତଥାପି ମୋର ଜ୍ଞାନୋଦୟ ନିମିତ୍ତ ଯେ ମୋ ପାଖରେ ରହି କଥା କହୁଛନ୍ତି ସେ ସଲୋମନଠୁଁ ବଡ଼ ।

 

ଆଧୁନିକ ଜୀବନର ସବୁଠାରୁ ବଡ଼ ବେଶୀ ଶୋକାବହ ବ୍ୟାପାର ହେଉଛି ଚିତ୍ତର ଅସ୍ଥିରତା, ଅର୍ଥାତ୍ ଦ୍ୱିମନା ହେବା । ମୁଁ ଯେ ପୁଅ ମୁଣ୍ଡରେ ହାତ ଆଉ ତେଲ ଘଡ଼ିରେ ହାତ ଦେଉଥାଏ, ଦୁଇ ନାହାରେ ଗୋଡ଼ ଦେଉଥାଏ, ଲଙ୍ଗଳରେ ହାତ ଦେଇ ପଛକୁ ଅନାଉଥାଏ, ତାହାର କାରଣ କଣ ? କାରଣ ହେଉଛି, ଯେଉଁସବୁ ବିଷୟ ଆସି ମୋ ସମ୍ମୁଖରେ ଆଦର୍ଶରୂପରେ ଛିଡ଼ା ହୁଅନ୍ତି ସେମାନଙ୍କର ମୂଲ୍ୟ ନିରୂପଣ କରିବାକୁ ମୁଁ ଶିଖି ନାହିଁ । ସେଥିପାଇଁ କେତେବେଳେ ଜ୍ଞାନକୁ ମନେ କରେ ଜୀବନର ଶ୍ରେଷ୍ଠ ଆଦର୍ଶ ଆଉ ତାରି ପଛରେ ଗୋଡ଼ାଉ ଥାଏ, କେତେବେଳେ ମାନ ଅବା ଧନ ପ୍ରଭୃତିଙ୍କୁ ଆଦର୍ଶ ଭାବି ସେମାନଙ୍କର ପଶ୍ଚାତ୍‌ଧାବନ କରେ; କିନ୍ତୁ ସମୟାନୁକ୍ରମେ କ୍ଳାନ୍ତ ପ୍ରାଣ ମୋର ବ୍ୟଥିତ ହୋଇ ଉଠେ, କହେ, ଅସାରରୁ ଅସାର, ସମସ୍ତଇ ଅସାର, କେବଳ ବାୟୁର ପଶ୍ଚାତ୍‌ଧାବନ । ଯାହା ଜୀବନର ସର୍ବଶ୍ରେଷ୍ଠ ଆଦର୍ଶ ନୁହେଁ ତା’ର ଅନୁବର୍ତ୍ତୀ ହେଲେ ଜୀବନ ଶୀଘ୍ର ହେଉ ଅବା ବିଳମ୍ବରେ ହେଉ କ୍ଳାନ୍ତ ହେବଇ ହେବ । ଏ ଜୀବନର ନିର୍ମାତା ଜୀବନକୁ ଏପ୍ରକାର ଉପାଦାନ ଦେଇ ଗଢ଼ିଛନ୍ତି ଯେଉଁ ସକାଶୁଁ ଏ ପ୍ରାଣ ଯେପର୍ଯ୍ୟନ୍ତ ତାଙ୍କର ସନ୍ଧାନ ନ ପାଏ, ସେପର୍ଯ୍ୟନ୍ତ ଅନ୍ୟଗୁଡ଼ାକ ପଛରେ ଦଉଡ଼ି କେବଳ କ୍ଳାନ୍ତ ହୁଏ । ସାଧୁ ପାଉଲ କହୁଛନ୍ତି, ମୁଁ ଦଉଡ଼ୁଛି କିନ୍ତୁ ବିନା ଲକ୍ଷ୍ୟରେ ଦଉଡ଼ୁ ନାହିଁ । ଯୁଦ୍ଧ କରୁଛି କିନ୍ତୁ ବାୟୁ ସହିତ ନୁହେଁ । ପ୍ରଭୁଙ୍କ ସମ୍ବନ୍ଧରେ ମୁଁ ଯେଉଁ ଉତ୍କୃଷ୍ଟ ଜ୍ଞାନଲାଭ କରିଛି ତାହା ସକାଶୁଁ ଏ ସଂସାରରେ ମୋର ସମସ୍ତ କୃତିତ୍ୱକୁ ସଢ଼ାକୁଟା ପରି ମନେ କରି ଅତୀତର ସମସ୍ତ ଗୌରବକୁ ପଛରେ ପକାଇ ମୁଁ ଦଉଡ଼ୁଛି । କାହିଁକି ? ଯେପରି ପ୍ରଭୁଙ୍କୁ ପାଇବି ।

Image

 

ଖ୍ରୀଷ୍ଟ ଧର୍ମରେ ଲୋକସେବା*

 

ମାନବ-ସେବାରେ ଲୋକକୁ ପ୍ରବୁଦ୍ଧ କରିବା ନିମନ୍ତେ ଖ୍ରୀଷ୍ଟଧର୍ମ କିପରି ପ୍ରଭାବ ବିସ୍ତାର କରେ ତାହାର ଆଲୋଚନା ଖ୍ରୀଷ୍ଟୀୟ ଧର୍ମନୀତିର କେତେଗୁଡ଼ିଏ ମୂଳଗତ କଥାର ଆଲୋଚନା ଉପରେ ନିର୍ଭର କରେ । ଅତଏବ ମୁଁ ପ୍ରଥମରେ ଖ୍ରୀଷ୍ଟୀୟ ଧର୍ମନୀତିର କୌଣସି କୌଣସି ମୂଳଗତ କଥାର ଆଲୋଚନା କରିବାକୁ ଚେଷ୍ଟା କରିବି ଏବଂ ତହିଁରେ ଦେଖାଇବାକୁ ଚେଷ୍ଟା କରିବି ଖ୍ରୀଷ୍ଟିୟାନ କେଉଁ ଭାବରେ ପ୍ରଣୋଦିତ ହୋଇ ମାନବସେବାରେ ଆପଣାକୁ ଉତ୍ସର୍ଗ କରେ ବା କରିବା ଉଚିତ ।

 

ଖ୍ରୀଷ୍ଟଧର୍ମର ବିଶେଷତ୍ୱ ହେଉଛନ୍ତି ଖ୍ରୀଷ୍ଟ ନିଜେ । ଖ୍ରୀଷ୍ଟଙ୍କୁ ଛାଡ଼ିଲେ ଖ୍ରୀଷ୍ଟଧର୍ମର ପୃଥକ ଅସ୍ତିତ୍ୱ ନାହିଁ, ଅର୍ଥାତ୍ ଖ୍ରୀଷ୍ଟଧର୍ମ ଆଶ୍ରୟ କରି ରହିଛି ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ । ଏକଥା ଶୁଣିଲେ ହୁଏତ ପ୍ରଥମରେ ମନେ ହେବ ଏହା କହିବା ନିରର୍ଥକ ପୁନରୁକ୍ତି ଛଡ଼ା ଆଉ କିଛି ନୁହେଁ, କିନ୍ତୁ ଟିକେ ତଳେଇ କରି ଦେଖିଲେ ଏହାର ଅର୍ଥ ବୁଝା ପଡ଼ିବ । ଖ୍ରୀଷ୍ଟଧର୍ମ କେବଳ ଖ୍ରୀଷ୍ଟଙ୍କର କେତେଗୁଡ଼ିଏ ଶିକ୍ଷାର ସମଷ୍ଟି ନୁହେଁ, ଯଦିବା ଶିକ୍ଷା ସେଥିରେ ଅଛି, ଆଦେଶ ନିଷେଧ ବିଧି ବ୍ୟବସ୍ଥା ଅଳ୍ପ ବହୁତ ପରିମାଣରେ ଅଛି । ଖ୍ରୀଷ୍ଟଧର୍ମର ମୂଳପିଣ୍ଡ ହେଉଛନ୍ତି ଖ୍ରୀଷ୍ଟ ନିଜେ । ସେଥିପାଇଁ ଖ୍ରୀଷ୍ଟିୟାନ କେବଳ ଖ୍ରୀଷ୍ଟଙ୍କର ଶିକ୍ଷା ପାଳନ କରେ ନାହିଁ, ନିଜ ଜୀବନକୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱର ବଶବର୍ତ୍ତୀ କରେ-। ଯୁକ୍ତି ଆଡ଼ୁ ଦେଖିଲେ ଆମ୍ଭେମାନେ ସାଧାରଣତଃ ବୁଝୁ ଯେ ଶିକ୍ଷା ନିରାମୟ ହେବା ନିମିତ୍ତ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ନାହିଁ; ବରଂ ଶିକ୍ଷକ ତାଙ୍କ ପଦର ଉପଯୁକ୍ତ ହୁଅନ୍ତି ଯେତେବେଳେ ପ୍ରମାଣିତ ହୁଏ ତାଙ୍କର ଶିକ୍ଷା ନିରାମୟ ଏବଂ ଯୁକ୍ତିଯୁକ୍ତ । କଥାଟାକୁ ଆଉଟିକେ ସରଳ କରି କହିବାକୁ ଚେଷ୍ଟା କରିବି । ପ୍ରଶ୍ନ ହେଉଛି ଶିକ୍ଷା ବଡ଼ ନା ଶିକ୍ଷକ ବଡ଼ ? ଅର୍ଥାତ୍ ଶିକ୍ଷା ଯୋଗୁଁ ଶିକ୍ଷକ, ନା ଶିକ୍ଷକ ଯୋଗୁଁ ଶିକ୍ଷା ? ବୋଧହୁଏ ଯୁକ୍ତିଯୁକ୍ତ ଉତ୍ତର ହେବ, ଶିକ୍ଷା ଯୋଗୁଁ ଶିକ୍ଷକ । ଛାତ୍ର ନିକଟରେ ଶିକ୍ଷକଙ୍କର ଶ୍ରେଷ୍ଠତ୍ୱ ତାଙ୍କ ଶିକ୍ଷା ଗୁଣରୁ । କି ଧର୍ମଶିକ୍ଷା କି ବିଦ୍ୟାଶିକ୍ଷା ତାହା ଯଦି ସ୍ୱତଃସିଦ୍ଧ ନ ହୁଏ, ଅର୍ଥାତ୍ ତାହା ଯେ ଗ୍ରହଣଯୋଗ୍ୟ ଏ ପ୍ରମାଣର ମୁଦ୍ରାଙ୍କ ଯଦି ସେହି ଶିକ୍ଷା ଭିତରେ ନ ଥାଏ ତେବେ ଶିକ୍ଷକଙ୍କ ଦେହ ଜୋରରେ ସେ ଶିକ୍ଷାର ଔଚିତ୍ୟ ପ୍ରମାଣିତ ହେବ ନାହିଁ ।

 

* ଉତ୍କଳ ସାହିତ୍ୟ ସମାଜରେ ପ୍ରଦତ୍ତ ବକ୍ତୃତା ।

 

ଖ୍ରୀଷ୍ଟିୟାନ ପକ୍ଷରେ କିନ୍ତୁ ଖ୍ରୀଷ୍ଟଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ତାଙ୍କ ଶିକ୍ଷା ଅପେକ୍ଷା ବେଶୀ, ଅର୍ଥାତ୍ ଅନ୍ୟ କଥାରେ କହିବାକୁ ଗଲେ ଏହାହିଁ କହିବାକୁ ହେବ, ଖ୍ରୀଷ୍ଟିୟାନ ପକ୍ଷରେ ଖ୍ରୀଷ୍ଟଙ୍କର ଶିକ୍ଷା ଶିରୋଧାର୍ଯ୍ୟ ତାହା ଖ୍ରୀଷ୍ଟଙ୍କର ଶିକ୍ଷା ବୋଲି । ମୁଁ ପ୍ରଥମରେ କହିଛି ଏ କଥାଟା ଅର୍ଥାତ୍ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଏ ଯେଉଁ ଦାବୀ କରାଯାଉଛି ତାହା ଅଯୌକ୍ତିକ ବୋଲି ମନେ ହେବ । ଏ ଦାବୀ ଖ୍ରୀଷ୍ଟ ନିଜେ କରୁଛନ୍ତି । ଥରେ ସେ ଗୋଟିଏ ପର୍ବତ ଉପରେ ବସି ତାଙ୍କ ଶିଷ୍ୟମାନଙ୍କୁ କେତେଗୁଡ଼ିଏ କଥା କହିଥିଲେ । ସେ ସବୁକୁ Sermon on the Mount କୁହାଯାଏ । ସେଥିରେ ସେ ଆପଣାକୁ ଶିକ୍ଷା ବା ଶାସ୍ତ୍ରଠାରୁ ବଡ଼ ଦେଖାଇଛନ୍ତି । ସେ କହନ୍ତି, ‘‘ତୁମ୍ଭେମାନେ ଶୁଣିଛ (ଶାସ୍ତ୍ରରୁ) ଯେ ତୁମ୍ଭେମାନେ ନରହତ୍ୟା କରିବ ନାହିଁ ଇତ୍ୟାଦି; ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଲୋକ ଅକାରଣରେ ତାର ଭାଇ ପ୍ରତି କ୍ରୋଧପରବଶ ହୁଏ କି ତାକୁ ଅପମାନ କରି କଥା କହେ ସେ ନରହତ୍ୟା ଦୋଷରେ ଦୋଷୀ । ତୁମ୍ଭେମାନେ ଶୁଣିଛ, ପରଦାର କରିବ ନାହିଁ, ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଛି, ଯଦି କେହି କୌଣସି ସ୍ତ୍ରୀଲୋକ ପ୍ରତି କାମ ଭାବରେ ଅନାଏ ସେ ବ୍ୟଭିଚାର କରିବା ଦୋଷରେ ଦୋଷୀ । ତୁମ୍ଭେମାନେ ଶୁଣିଛ, ଦନ୍ତର ପରିଶୋଧରେ ଦନ୍ତ ଏବଂ ଚକ୍ଷୁର ପରିଶୋଧରେ ଚକ୍ଷୁ ଉତ୍ପାଟନ କରିବ; ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଛି, ଯେ ତୁମ୍ଭ ଡାହାଣ ଗାଲରେ ଜାବୁଡ଼ାମାରେ ତାକୁ ବାଁ ଗାଲ ଦେଖାଇଦିଅ, ଯେ ତୁମର ଅଙ୍ଗରଖା ନେବାକୁ ନାଲିଶ କରେ, ତାକୁ ତୁମର ଉତ୍ତରୀୟ ମଧ୍ୟ ନେବାକୁ ଦିଅ ଏବଂ ଯେ ତୁମକୁ ମାଇଲିଏ ଯିବାକୁ ବେଗାରି ଖଟାଏ ତା ସହିତ ଦୁଇ ମାଇଲି ଯାଅ ।’’ ଏହି ‘‘ମୁଁ’’ ଟି ଏଠି ଲକ୍ଷ୍ୟ କରିବାର ବିଷୟ । ଏହି ମୁଁ ଏଠି ସମଗ୍ର ଲିପିବଦ୍ଧ ଧର୍ମଠାରୁ ବଡ଼ । ସେଥିପାଇଁ କୁହାଯାଇଛି, ସେ ଉପଦେଶ ନ ଦେଇ କର୍ତ୍ତା ପରି ଆଦେଶ ଦେଉଥିଲେ । ସେ ଆଉ ଗୋଟିଏ ଜାଗାରେ କହନ୍ତି, ‘ସାବଥ୍‌’ (Sabbath) ଅର୍ଥାତ୍ ଧର୍ମର ଯେତେ ଅନୁଷ୍ଠାନ କ୍ରିୟାକଳାପ ଅଛି ତାହା ପାଳନ କରିବାକୁ ମନୁଷ୍ୟ ଗଢ଼ା ହୋଇନାହିଁ, କିନ୍ତୁ ସାବଥ୍‌ ଗଢ଼ା ହୋଇଛି ମନୁଷ୍ୟ ସକାଶେ ଏବଂ ମୁଁ ହେଉଛି ସାବଥ୍‌ର ପ୍ରଭୁ । ସେ କହିଥିଲେ, ‘ମୁଁ ଜଗତର ଆଲୋକ । ମୁଁ ଊର୍ଦ୍ଧ୍ୱରୁ ଆଗତ ସେହି ରୁଟି ଯାହା ଖାଇଲେ ତୁମ୍ଭେମାନେ ବଞ୍ଚିବ, ମୁଁ ପ୍ରକୃତ ଖାଦ୍ୟ ଏବଂ ପେୟ । ମୁଁ ପୁନରୁତ୍ଥାନ ଏବଂ ଜୀବନ, ମୁଁ ପଥ ସତ୍ୟ ଏବଂ ଜୀବନ, ମୁଁ ସେହି ପ୍ରେମ ଯାହା ଊର୍ଦ୍ଧ୍ୱରୁ ଆସିଛି ।’ ଏଠି କୁହା ଯାଇପାରେ ଯେ ଏ ଦାବୀଗୁଡ଼ିକ ପ୍ରମାଣ-ବିହୀନ । ଉତ୍ତରରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଏ ଦାବୀ ପ୍ରତିପାଦନ ଆଲୋଚନାର ବିଷୟ ନୁହେଁ, କେବଳ ଖ୍ରୀଷ୍ଟଧର୍ମର ଭିତ୍ତିମୂଳର ତତ୍ତ୍ୱ କେତୋଟି ଉଲ୍ଲେଖ କରାହେଉଛି, ଯାହା ସହିତ ଆଜିର ଆଲୋଚ୍ୟ ବିଷୟର ବିଶେଷ ସମ୍ପର୍କ ରହିଅଛି । ମନୁଷ୍ୟ ପକ୍ଷରେ ବ୍ୟକ୍ତିତ୍ୱବିହୀନ ଈଶ୍ୱରଙ୍କର ଧାରଣା ସମ୍ଭବପର କି ନୁହେଁ ଏବଂ ଯଦିବା ଏହି ନିରାଳମ୍ବ ଶୂନ୍ୟ ଧାରଣା ସମ୍ଭବପର ହୁଏ ତାହା ଭକ୍ତର ପ୍ରେମପିପାସା ଚରିତାର୍ଥ କରେ କି ନାହିଁ, ଇତ୍ୟାଦି ବିଷୟର ଆଲୋଚନା ଅବାନ୍ତର ଅଟେ । ଖ୍ରୀଷ୍ଟିୟାନର ବିଶ୍ୱାସ, ସେ ସ୍ୱୟଂ ସତ୍ୟ ହେବାରୁ ଯେତେ ଶିକ୍ଷାଦୀକ୍ଷା ବା ଶାସ୍ତ୍ରବଚନ ତାଙ୍କର ବା ତାଙ୍କ ସମ୍ବନ୍ଧରେ ଅଛି ସେସବୁଠାରୁ ସେ ବଡ଼ । ଯୀଶୁଙ୍କ ଶିକ୍ଷା ଯୀଶୁଙ୍କ ବ୍ୟକ୍ତିତ୍ୱ-ମହତ୍ତ୍ୱରେ ମହୀୟାନ୍ । ଅତଏବ ଖ୍ରୀଷ୍ଟଧର୍ମର ସର୍ବଶ୍ରେଷ୍ଠ ଗୂଢ଼ନୀତି ହେଉଛି ଖ୍ରୀଷ୍ଟଙ୍କୁ ହୃଦୟରେ ଗ୍ରହଣ କରିବା, କେବଳ ତାଙ୍କ ଶିକ୍ଷା ଗ୍ରହଣ କରିବା ନୁହେଁ । କେବଳ ଶିକ୍ଷାକୁ ଗ୍ରହଣ କଲେ ସମୟ ଆସିବ ଯେତେବେଳେ ତାହା ଦୁର୍ବିସହ ଭାର ସ୍ୱରୂପ ହୋଇ ଉଠିବ, କର୍ତ୍ତବ୍ୟଜ୍ଞାନ ଉଦ୍ରେକ କରିବ ଏବଂ କର୍ତ୍ତବ୍ୟ ସମ୍ପାଦନ ସକାଶେ ଶକ୍ତି ନ ଅଣ୍ଟିଲେ କେବଳ ମନସ୍ତାପର କାରଣ ହେବ । ଶିକ୍ଷା ତାର ସାରବତ୍ତା ବା ଜୀବନ ହରାଇଲେ ଲୋକେ ଧର୍ମ ନାମରେ ଉକ୍ତ ଶିକ୍ଷାର ଶୁଷ୍କ ଅକ୍ଷରମାଳାକୁ ପୂଜା କରିବେ । ଏହାକୁ St. Paul କହନ୍ତି Letter killeth but spirit giveth life, ଏହାକୁହିଁ କହନ୍ତି ଶାସ୍ତ୍ରର ଦ୍ୱାହି ଦେଇ ନଜିର ଦେଇ ଶାସ୍ତ୍ରର ଦୌରାତ୍ମ୍ୟ ବଢ଼ାଇବା । ଶାସ୍ତ୍ର ଏବଂ ଶାସ୍ତ୍ରଧ୍ୱଜୀମାନଙ୍କର ଏପରି ଦୌରାତ୍ମ୍ୟର ଉଦାହରଣ ଦେବା ନିଷ୍ପ୍ରୟୋଜନ ।

 

ଅତଏବ ଖ୍ରୀଷ୍ଟ ଭକ୍ତ କେବଳ ଖ୍ରୀଷ୍ଟଙ୍କର ଶିକ୍ଷାକୁ ଗ୍ରହଣ କରେ ନାହିଁ, କିନ୍ତୁ ସମସ୍ତ ଶିକ୍ଷାର ମୂଳଭିତ୍ତି ଯେ ଖ୍ରୀଷ୍ଟ, ଯେ ତା ନିକଟରେ ସତ୍ୟସ୍ୱରୂପ, ପ୍ରେମସ୍ୱରୂପ, ତାହାଙ୍କୁ ହୃଦୟରେ ଗ୍ରହଣ କରେ । ଖ୍ରୀଷ୍ଟଧର୍ମର ଏହି ନିଗୂଢ଼ତତ୍ତ୍ୱକୁ କହନ୍ତି, The Indwelling Christ (ଅନ୍ତବାସୀ ଖ୍ରୀଷ୍ଟ) । ଏକଥା ଯଦି ସତ୍ୟ ହୁଏ ଖ୍ରୀଷ୍ଟିୟାନ ବ୍ୟକ୍ତିବିଶେଷରେ ପୁଣି ମଣ୍ଡଳୀ ଭାବରେ ଖ୍ରୀଷ୍ଟଙ୍କ ଜୀବନରେ ଅନୁପ୍ରାଣିତ ହୁଏ, ତେବେ ଖ୍ରୀଷ୍ଟଙ୍କ ଜୀବନ ଯେଉଁ କର୍ମଧାରାରେ ଆପଣାକୁ ପ୍ରକାଶ କରିଥିଲା, ସେହି କର୍ମଧାରା ସେହି ଖ୍ରୀଷ୍ଟିୟାନର ବ୍ୟକ୍ତିଗତ ଜୀବନରେ ଅବା ସେହି ଖ୍ରୀଷ୍ଟ ମଣ୍ଡଳୀର ଜୀବନରେ ଆପଣାକୁ ପ୍ରକାଶ କରିବ । ଖ୍ରୀଷ୍ଟଙ୍କ ଜୀବନର ଧର୍ମ ଥିଲା ପରୋପକାର, ତ୍ୟାଗ, ପରକୁ କ୍ଷମା ଦେବା ଏବଂ ତାର ଦୁଃଖଭାର ନିଜ କାନ୍ଧ ଉପରକୁ ଆଣିବା । ଏହାକୁ କହନ୍ତି Vicarious Suffering । ରୋଗୀର ରୋଗମୁକ୍ତି କାର୍ଯ୍ୟରେ ନିଜକୁ ନିଯୁକ୍ତ କରିବା, ନାରୀର ଏପରିକି ପତିତାର ଅପମାନ ତ କରିବା ଦୂରର କଥା ବରଂ ତାକୁ ଯଥେଷ୍ଟ ସମ୍ଭ୍ରମ ଓ ସ୍ନେହର ସହିତ ସତ୍‌ପଥକୁ ଆଣିବା, ବିଧବାର ଅଭାବ ମୋଚନ କରିବା ଅଥବା ଅନ୍ନହୀନକୁ ଅନ୍ନ ଦାନ କରିବା ଏକ କଥାରେ କହିବାକୁ ଗଲେ ବିଶ୍ୱମାନବର ସେବାରେ ଆପଣାକୁ ଢାଳିଦେବା, ଏହାହିଁ ଥିଲା ଖ୍ରୀଷ୍ଟଙ୍କ ଜୀବନର କାର୍ଯ୍ୟ ।

 

ଏହି ମାନବସେବାର ଖ୍ରୀଷ୍ଟଙ୍କ ନିକଟରେ କି ମୂଲ୍ୟ ଥିଲା ତାହା ଜଣାପଡ଼ିବ ସେ Judgment Day ଅବା ମାନବାତ୍ମାର ମହାବିଚାରର ଯେଉଁ ଗୋଟିଏ ଛବି ଆଙ୍କିଛନ୍ତି ତାକୁ ଦେଖିଲେ । ‘‘ସେତେବେଳେ ରାଜା ଦକ୍ଷିଣପାର୍ଶ୍ୱରେ ଉପବିଷ୍ଟ, ଲୋକଙ୍କୁ କହିବେ, ହେ ମୋ ପିତାଙ୍କ ଅନୁଗୃହୀତ, ଜଗତ ପତ୍ତନାବଧି ଯେଉଁ ରାଜ୍ୟ ତୁମ୍ଭମାନଙ୍କ ସକାଶେ ପ୍ରସ୍ତୁତ ତାହା ଅଧିକାର କର । କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଖାଇବାକୁ ଦେଇଥିଲ; ମୁଁ ତୃଷିତ ଥିଲି, ମୋତେ ପିଇବାକୁ ଦେଇଥିଲ; ମୁଁ ଅପରିଚିତ ସ୍ୱରୂପେ ଆସିଥିଲି, ତୁମ୍ଭେମାନେ ମୋର ଆତିଥ୍ୟ କରିଥିଲ; ମୁଁ ଉଲଙ୍ଗ ଥିଲି, ମୋତେ ବସ୍ତ୍ର ପିନ୍ଧାଇଥିଲ; ମୁଁ ପୀଡ଼ିତ ଥିଲି, ମୋତେ ସଙ୍ଖୁଳିଥିଲ; ମୁଁ କାରାଗାରରେ ଥିଲି, ମୋର ସନ୍ଧାନ ନେଇଥିଲ । ସେତେବେଳେ ଧାର୍ମିକମାନେ ଉତ୍ତର ଦେବେ, ହେ ପ୍ରଭୁ, ଆମ୍ଭେମାନେ କେବେ କ’ଣ ତୁମ୍ଭଙ୍କୁ କ୍ଷୁଧିତ ଦେଖିଥିଲୁଁ ଯେ ଖାଇବାକୁ ଦେଲୁଁ, କାହିଁ କେବେ ତୃଷିତ ଦେଖିଲୁଁ ଯେ ପିଇବାକୁ ଦେଲୁଁ, ଆପଣଙ୍କୁ ଅଭ୍ୟାଗତ ସ୍ୱରୂପେ ପାଇ ଆପଣଙ୍କର ଆତିଥ୍ୟ କରିଥିଲୁଁ, ଉଲଙ୍ଗ ଦେଖି ବସ୍ତ୍ର ପିନ୍ଧାଇଥିଲୁଁ, ପୀଡ଼ିତ ଦେଖି ପରିଚର୍ଯ୍ୟା କରିଥିଲୁ, କି କାରାଗାରରେ ଆପଣଙ୍କୁ ସଙ୍ଖୁଳିଥିଲୁଁ ? ରାଜା ସେମାନଙ୍କୁ ଉତ୍ତର ଦେବେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି ମୋର ସବୁଠାରୁ କ୍ଷୁଦ୍ରତମ ଭାଇର ପ୍ରତି ଯାହା କରିଅଛ, ମୋ ପ୍ରତି ମଧ୍ୟ ତାହା କରିଅଛ ।’’ ଅତଏବ ଖ୍ରୀଷ୍ଟଧର୍ମରେ ମାନବସେବାର ମୂଲ୍ୟ କଣ ତାହା ଏହାଠାରୁ ଅଧିକ ସ୍ପଷ୍ଟରୂପେ କହିବା ସମ୍ଭବପର ନୁହେଁ ।

 

ଖ୍ରୀଷ୍ଟଙ୍କ କର୍ମଧାରାରେ ଅବଶ୍ୟ ଦୁଇଟି ସ୍ରୋତ ଥିଲା; କିନ୍ତୁ ସେ ଦୁଇଟି ପରସ୍ପର ମଧ୍ୟରେ ଏପରି ଛନ୍ଦାଛନ୍ଦି ଯେ, ଦୁଇଟିକୁ ପୃଥକ୍ କରି ହେବ ନାହିଁ । ଗୋଟିଏ ସ୍ରୋତ ବରାବର ଉଦ୍‌ବୁଦ୍ଧ କରୁଥିଲା ଭଗବତପ୍ରେମ ଏବଂ ଅପରଟି ମାନବପ୍ରୀତି । ପୃଥିବୀରେ ସେ ଯେତେବେଳେ ଅବତୀର୍ଣ୍ଣ ହୋଇଥିଲେ ସେତେବେଳେ ଯେଉଁ ଆଶୀର୍ବଚନ ଉଚ୍ଚାରିତ ହୋଇଥିଲା ତାହା ସୂଚନା ଦେଇଥିଲା ତାଙ୍କ ଜୀବନର କର୍ମଧାରା କେଉଁ ଦିଗରେ ଗତି କରିବ । ‘ସର୍ବୋପରିସ୍ଥ ଈଶ୍ୱରଙ୍କର ମହିମା, ପୃଥିବୀରେ ଶାନ୍ତି ଏବଂ ମନୁଷ୍ୟମାନଙ୍କର ମଙ୍ଗଳ ହେଉ ।’ ଥରେ ଜଣେ ଖ୍ରୀଷ୍ଟଙ୍କୁ ପଚାରିଲା, ଧର୍ମର ସାର କଣ ? ପ୍ରଭୁ ଉତ୍ତର ଦେଲେ, ସମସ୍ତ ହୃଦୟ ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର; ଏବଂ ଦ୍ୱିତୀୟଟି ପ୍ରଥମ ପରି, ଅର୍ଥାତ୍ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର । ଏ ପ୍ରତିବାସୀ କେବଳ ସେ ନୁହଁ ଯେ ତୁମ ଘର କତିରେ ଘର କରି ରହିଛି । ଏହାର ଅର୍ଥ ଏପରି ବ୍ୟାପକ ଯେ ତାହାରି ଫଳରେ ସମସ୍ତ ସଂସାରର ମାନବ ତୁମର ପ୍ରତିବାସୀ ହୁଅନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ପ୍ରଶ୍ନ କରିଥିଲା ସେ ହୁଏତ ପ୍ରତିବାସୀର ଅଭିଧାନ ପ୍ରଦତ୍ତ ସଂକୀର୍ଣ୍ଣ ଅର୍ଥ ଗ୍ରହଣ କରି ମନେ କରିଥିଲା ଈଶ୍ୱରଙ୍କୁ ସର୍ବତୋଭାବେ ପ୍ରେମ କରିବା ତ ଭିତରର କଥା, କାହାରି ନଜରରେ ପଡ଼ିବ ନାହିଁ । ଈଶ୍ୱରଙ୍କୁ ପ୍ରେମ କରୁଛି ବୋଲି କହିଲେ ହେଲା; ଏବଂ ପ୍ରତିବାସୀ ତ ତା ଘର କତିର ଯିହୁଦୀ ଭାଇମାନେ, ସେମାନଙ୍କ ସହିତ ସଖ୍ୟ ରଖିବା ସେତେ ବେଶୀ କଷ୍ଟକର ନୁହେଁ । ଅତଏବ ଧର୍ମର ସାର ଅତି ସହଜରେ ସ୍ୱାର୍ଥକୁ ବଜାଏ ରଖି ହାସଲ ହୋଇଯିବ । ସେଥିପାଇଁ ପ୍ରଭୁ ତାକୁ ‘ଉତ୍ତମ ଶମୀରୋଣୀ’ (The Good Samaritan) ର ଗଳ୍ପ କହି ପ୍ରତିବାସୀର ଅର୍ଥ କିପରି ବ୍ୟାପକ ତାହା ବୁଝାଇ ଦେଇଥିଲେ ।

 

ଅତଏବ ଖ୍ରୀଷ୍ଟଧର୍ମରେ ଈଶ୍ୱର ପ୍ରେମ ଏବଂ ମାନବ-ପ୍ରୀତି ପରସ୍ପରଠାରୁ ଭିନ୍ନ ନୁହନ୍ତି; ବରଂ ମାନବପ୍ରୀତି ଈଶ୍ୱର ପ୍ରେମର ନିଦର୍ଶନ ଏବଂ ପ୍ରମାଣ । ଖ୍ରୀଷ୍ଟ-ପ୍ରେମର ବିଖ୍ୟାତ ପ୍ରଚାରକ ସାଧୁ ଯୋହନ କହୁଛନ୍ତି, ‘‘କିନ୍ତୁ ଯାହାର ସାଂସାରିକ ଜୀବନ ଉପାୟ ଅଛି ସେ ଆପଣା ଭାଇକୁ ଦୀନହୀନ ଦେଖିଲେ ଯଦି ତାହାପ୍ରତି ନିଜର କରୁଣା ରୁଦ୍ଧ କରେ, ତେବେ ଈଶ୍ୱରଙ୍କ ପ୍ରେମ କିପରି ତା’ ଅନ୍ତରେ ରହିପାରିବ ?’’ ଆଉ ଗୋଟିଏ ଜାଗାରେ ସେ କହୁଛନ୍ତି, ‘‘ଯଦି କେହି କୁହେ ମୁଁ ଈଶ୍ୱରଙ୍କୁ ପ୍ରେମ କରେ, କିନ୍ତୁ ଆପଣା ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ; ଯେହେତୁ ଯାହାକୁ ଦେଖୁଅଛି ଆପଣାର ସେହି ଭାଇକୁ ଯେ ପ୍ରେମ ନ କରେ, ଯାହାଙ୍କୁ ଦେଖି ନାହିଁ ସେହି ଈଶ୍ୱରଙ୍କୁ ସେ ପ୍ରେମ କରି ପାରିବ ନାହିଁ ।’’ ଅତଏବ ଭିତରର ଭଗବତ୍‌ପ୍ରେମର ପ୍ରମାଣ ହେଉଛି ବାହାରର ମାନବପ୍ରୀତି ।

 

ଭଗବତ୍‌ପ୍ରେମ ମାନବପ୍ରୀତିର ଅନ୍ତରାୟ ନୁହେଁ, ସହାୟକ; ଯଦିବା ଏଠାରେ (ଗତକାଲିର ବକ୍ତୃତାରେ) * ପ୍ରମାଣ କରିବାକୁ ଚେଷ୍ଟା କରା ହୋଇଛି ଭଗବତପ୍ରେମ ମାନବସେବା ସହିତ କେବଳ ସମ୍ପର୍କବିହୀନ ନୁହେଁ, ବରଂ ମାନବର ପ୍ରକୃଷ୍ଟ ସେବାର ଗତିପଥରେ ଅନ୍ତରାୟ । କେବଳ ପଶୁଭାବ ସମ୍ପନ୍ନ ନରପଶୁର ଚରିତ୍ରର ବିଶେଷତ୍ୱ ହେବା ଉଚିତ ତାର ଅଦମ୍ୟ ସ୍ୱାର୍ଥପରତା, ଯାହାକୁ ସେ ସିଂହ ବାଘ ଭାଲୁ ଅବା କୁକୁର ମାଙ୍କଡ଼ ପ୍ରଭୃତି ତାର ପୂର୍ବପୁରୁଷମାନଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛି । ସ୍ନେହ ଦୟା ପ୍ରୀତି ପ୍ରଭୃତି ଗୁଣସବୁ ଯାହାକି ଉକ୍ତ ପଶୁମାନଙ୍କ ସ୍ୱଭାବରେ ସେମାନଙ୍କ ନିକଟସମ୍ପର୍କର ଜ୍ଞାତି କୁଟୁମ୍ବ ପଶୁମାନଙ୍କ ପ୍ରତି ସମୟ ସମୟରେ ପ୍ରକାଶିତ ହୋଇପଡ଼େ, ତାହା ଯେ ଖୁବ୍ ବେଶୀ ଭୌଗଳିକ ସୀମାକୁ ମାନି ଚଳେ, ଏକଥା ସ୍ୱୀକାର କରିବାକୁ ବୋଧହୁଏ କୌଣସି ଇହସର୍ବସ୍ୱବାଦୀ ଦାର୍ଶନିକ ବା ବୈଜ୍ଞାନିକ ପରାଙ୍ମୁଖ ହେବେ ନାହିଁ । ତାହା ନ ହେଲେ ଆଫ୍ରିକାର ହନୁକୁ ଓଡ଼ିଶାର ପାତି ସହିତ ଚିଡ଼ିୟାଖାନାର ଏକ ପିଞ୍ଜରାରେ ନ ରଖି କୃତ୍ରିମ ଭୌଗଳିକ ସୀମାରେ ଆବଦ୍ଧ କରିବାର ଆବଶ୍ୟକତା ଅନୁଭୂତ ହୋଇ ନ ଥାନ୍ତା । ଏହି ଯେ ଆପାତତଃ ଦୃଶ୍ୟମାନ ସ୍ୱାର୍ଥଶୂନ୍ୟତାର ଈଷତ୍ ସ୍ଫୁରଣ ଉପର୍ଯ୍ୟୁକ୍ତ ଭୌଗଳିକ ନିୟମକୁ ମାନି କଦାଚିତ୍ ପଶୁଚରିତ୍ରରେ ଦେଖାଯାଏ, ତାହାର ପ୍ରଭାବ କୌଣସିକ୍ରମେ, ହୁଏତ ଭୁଲବଶତଃ, ମନୁଷ୍ୟ ମସ୍ତିଷ୍କର କୌଣସି ଗୋଟିଏ ଛୋଟ କୋଠରୀରେ ପଶିଯାଇ ସଞ୍ଚିତ ହୋଇ ରହିଛି ଏବଂ ପୁରୁଷାନୁକ୍ରମିକ-ଉପର୍ଯ୍ୟୁପରି ଅନୁଶୀଳନ ଫଳରେ ବର୍ତ୍ତମାନ ମୁଣ୍ଡ ଟେକି କହୁଛି–ମୁଁ ଐଶରିକ ପ୍ରଭାବ, ମୁଁ ପାଶବିକ ନୁହେଁ । କାଳେ ଈଶ୍ୱରପ୍ରେମୀ ପଶୁ ପର୍ଯ୍ୟନ୍ତ ଦଉଡ଼ି ଯିବେ ଏବଂ କହିବେ ପଶୁଚରିତ୍ରରେ ଏହି ଅଂଶଟି ଈଶ୍ୱର ରୋପିତ, ଏହି ମତଧାରୀ ଦାର୍ଶନିକ କହୁଛନ୍ତି–ଆରେ ନାହିଁ, ଏ ନିଃସ୍ୱାର୍ଥପରତା ବି ପ୍ରକୃତରେ ନିଃସ୍ୱାର୍ଥପରତା ନୁହେଁ, ଏହା ସ୍ୱାର୍ଥପରତାର ଆବରଣ । ମନୁଷ୍ୟ ଯେତେବେଳେ ଜାଣିପାରୁଛି ନିଜର ସ୍ୱାର୍ଥପରତାକୁ ସର୍ବାଂଶରେ ବଜାୟ ରଖିବାକୁ ଯାଇ ଆଉ ଜଣକର ସ୍ୱାର୍ଥପରତାରେ ଠେକି ଯାଉଛି, ତାର ସ୍ୱାର୍ଥପରତା ତାକୁ ବୁଦ୍ଧି ଦେଉଛି ଅଳ୍ପାଂଶରେ ପରିତ୍ୟାଗ କରି ଅଧିକାଂଶରେ ବଜାୟ ରଖିବାକୁ । ଯଦି କହିଲ, ଜଗତରେ କଣ ଏପରି ଜୀବନର ଆବିର୍ଭାବ ହୋଇ ନାହିଁ, ଯେ କେବଳ ଅଳ୍ପାଂଶରେ ନୁହେଁ କି ଅଧିକାଂଶରେ ନୁହେଁ, ମାତ୍ର ସର୍ବାଂଶରେ ସ୍ୱାର୍ଥ ବିସର୍ଜ୍ଜନ କରିଛି ବିଶ୍ୱମାନବର ମଙ୍ଗଳ ପାଇଁ କେବଳ ଶୁଦ୍ଧ ନିଷ୍କାମ ପ୍ରେମରେ ପ୍ରଣୋଦିତ ହୋଇ, ହୁଏତ ଉତ୍ତରରେ ଶୁଣିବ, ଏପରି ହେବାଟା ତାର ପାଗଳାମି, ତାର ଉତ୍ତପ୍ତ ମସ୍ତିଷ୍କର ବିକୃତି । ବର୍ତ୍ତମାନ ଆମେ ଯେ ତର୍କରାଜ୍ୟର ଏହି ବାଟତକ ଓହ୍ଲାଇ ଆସିଲୁଁ, ଏହାର ପ୍ରତି ପାବଚ୍ଛରେ ତତ୍ତ୍ୱାନୁସନ୍ଧିତ୍ସୁ ଈଶ୍ୱରନାସ୍ତିକ ବିଜ୍ଞାନବେତ୍ତାଙ୍କୁ ଏତେ ପ୍ରଶ୍ନ ପଚାରି ପାରେ ଯେ, ତାର ଉତ୍ତର ବୈଜ୍ଞାନିକଙ୍କର ବେତାରେ ମିଳିବ କି ନାହିଁ ସନ୍ଦେହ । ମୋର ବିଶ୍ୱାସ, ଅନେକ ସମୟରେ ଜଗତରେ ଯେପରି ଧର୍ମାନ୍ଧତା ଦେଖାଯାଏ, ଖୋଜି ବସିଲେ ବିଜ୍ଞାନ ବା ଜଡ଼ବାଦମୂଳକ ଦର୍ଶନର ଅନ୍ଧତାର ପରିମାଣ ଯେ ତାଠାରୁ କମ ହେବ, ତାହା ନୁହେଁ ।

 

* ‘ବ୍ରାହ୍ମ ଧର୍ମର ଅତୀତ ଏବଂ ଭବିଷ୍ୟତ୍‌’ ସମ୍ବନ୍ଧରେ ଅଧ୍ୟାପକ ମୋହିନୀ ମୋହନ ସେନାପତିଙ୍କ ବକ୍ତୃତା ।

 

ଖ୍ରୀଷ୍ଟଧର୍ମରେ ଈଶ୍ୱରପ୍ରେମ ମାନବପ୍ରୀତିର ସହାୟକ । ଏହାର କାରଣ ହେଉଛି ପ୍ରଭୁଙ୍କର ସେହି ପ୍ରାର୍ଥନା ଯାହା ସେ ଶିଷ୍ୟମାନଙ୍କୁ ଶିଖାଇଥିଲେ । ‘‘ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ।’’ ସେ କହିଲେ, ସ୍ୱର୍ଗର ଈଶ୍ୱର ବିଶ୍ୱମାନବର ପିତା, ସମସ୍ତ ମାନବ ସେହି ମହାପରିବାରର ସନ୍ତାନ । ଏକ ପରିବାରର ସନ୍ତାନସନ୍ତତି ମଧ୍ୟରେ ପ୍ରୀତି ରହିବା ସ୍ୱାଭାବିକ; କାରଣ ସେହି ପରମ ପିତାଙ୍କ ପ୍ରେମର ସେମାନେ ଦାୟାଦ ।

 

ଧର୍ମର ପ୍ରେରଣାରେ ମନୁଷ୍ୟର ଗତି ସାଧାରଣତଃ ଦୁଇ ବିପରୀତ ଦିଗକୁ ହୋଇଥାଏ–ସନ୍ନ୍ୟାସ ଅଥବା ସମାଜ ଆଡ଼କୁ । ଦୈନ୍ୟ ଦୁର୍ଦ୍ଦଶା, ଜରାବ୍ୟାଧି ଓ ମୃତ୍ୟୁର କରାଳଦୃଶ୍ୟ ଯେଉଁ ପ୍ରାଣ କମ୍ପାସର ଛୁଞ୍ଚିପରି ସୂକ୍ଷ୍ମସଂବେଦନଶୀଳ, ତାକୁ ଏହି ଆଧିବ୍ୟାଧି ଆଳୟ ସଂସାର ପ୍ରତି ବିରକ୍ତ କରେ, ସନ୍ନ୍ୟାସ ଆଡ଼କୁ ଉନ୍ମୁଖ କରେ । ନିର୍ଜ୍ଜନ ଅରଣ୍ୟରେ ଜୀବନର ଜଟିଳ ସମସ୍ୟା ସମୂହର ସମ୍ୟକ୍ ପ୍ରଣିଧାନର ଅବସର ମିଳେ ଏବଂ ତତ୍ତ୍ୱାନୁସନ୍ଧାନରେ ପ୍ରବୃତ୍ତ ହେବାପାଇଁ ଅବକାଶ ମଧ୍ୟ ମିଳେ । ଖ୍ରୀଷ୍ଟଧର୍ମ ତ୍ୟାଗର ଧର୍ମ ହେବାରୁ ସେଥିରେ ସନ୍ନ୍ୟାସ ଅଛି, କିନ୍ତୁ ତାର ଚିରବସତି ଅରଣ୍ୟରେ ନୁହେଁ; ତାର ପରିସମାପ୍ତି ଧ୍ୟାନରେ ନୁହେଁ । ଖ୍ରୀଷ୍ଟଧର୍ମର ସନ୍ନ୍ୟାସ ବା ନିର୍ଜ୍ଜନ ବାସ ସଂସାରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ପାବଚ୍ଛ ମାତ୍ର ଏବଂ ଅଳ୍ପସମୟ ସକାଶେ । ଖ୍ରୀଷ୍ଟ ତାଙ୍କ ଜୀବନର କାର୍ଯ୍ୟାରମ୍ଭ ସମୟରେ ଏକାଦିକ୍ରମେ ଚାଳିଶ ଦିନରୁ ବେଶୀ ଅରଣ୍ୟବାସ କରି ନ ଥିଲେ । ସାଧୁ ପାଉଲ ମଧ୍ୟ ତଦନୁରୂପ କରିଥିଲେ । ଏହି ସାମୟିକ ସନ୍ନ୍ୟାସ ଗ୍ରହଣର ଉଦ୍ଦେଶ୍ୟ ନିଜର ବ୍ୟକ୍ତିଗତ ସିଦ୍ଧି ନୁହେଁ, ମାତ୍ର ମାନବ ସମାଜର ଐହିକ ପାରତ୍ରିକ କଲ୍ୟାଣ ସାଧନର ସମ୍ୟକ୍ ପ୍ରଣିଧାନ । ଆଦିମ ଯୁଗରେ ଯେ ଖ୍ରୀଷ୍ଟସମାଜରେ ନିରୋଳା ସନ୍ନ୍ୟାସର ଚର୍ଚ୍ଚା ହେଉ ନ ଥିଲା, ତାହା ନୁହେଁ, କିନ୍ତୁ ଏପରି ସନ୍ନ୍ୟାସକୁ ଯେଉଁସବୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ପ୍ରଶ୍ରୟ ଦେଇଥିଲେ, ଖ୍ରୀଷ୍ଟଧର୍ମ ସହିତ ସନ୍ନ୍ୟାସ ଅନୁଷ୍ଠାନର ବି ସଦୃଶତା ଦେଖି ଅଳ୍ପସମୟ ମଧ୍ୟରେ ସେଆଡ଼ୁ ଉତ୍ସାହ ଉଠାଇ ନେଲେ । ବର୍ତ୍ତମାନର ରୋମୀୟ ମଣ୍ଡଳୀର ସନ୍ନ୍ୟାସୀମାନେ ଅରଣ୍ୟରେ ରହନ୍ତି ନାହିଁ, ଜନସମାଜର ଲୋକହିତକର କାର୍ଯ୍ୟରେ ଆପଣାକୁ ସମ୍ପୂର୍ଣ୍ଣରୂପେ ନିୟୋଜିତ କରନ୍ତି ।

 

ଖ୍ରୀଷ୍ଟଧର୍ମରେ ଈଶ୍ୱରପ୍ରେମ ଏବଂ ମାନବପ୍ରୀତି ଅବିଚ୍ଛନ୍ନ ସମ୍ବନ୍ଧରେ ସମ୍ବନ୍ଧ । ଭିତରେ ଯାହା ଭଗବତପ୍ରେମ ତାହାରି ଉଚ୍ଛ୍ୱାସ ହେଉଛି ମାନବପ୍ରୀତି । ଭଗବତପ୍ରେମ ହେଉଛି ମାନବ ସେବାରୂପ କର୍ମଧାରାର ଉତ୍ସମୁଖ । କର୍ମର ପ୍ରେରଣା ସ୍ୱତଃ ହୃଦୟରୁ ଉତ୍ସାରିତ ହୁଏ ଯେତେବେଳେ ଭଗବତପ୍ରେମ ହୃଦୟରେ ସ୍ଥାନପାଏ । ଏ ପ୍ରେରଣା ପାଇଁ ତାକୁ ପରିଶ୍ରମ କରିବାକୁ ହେବ ନାହିଁ, ବକ୍ତୃତା ଶୁଣିବାକୁ ହେବ ନାହିଁ । ଏହା ଆପେ ଆପେ ତାକୁ ଲୋକ ସେବାକାର୍ଯ୍ୟରେ ନିଯୁକ୍ତ କରେ-। ଅତଏବ ମାନବସେବା ପାଇଁ ପ୍ରରୋଚନା କେଉଁଠୁ ଆସେ ସେ ବିଷୟରେ ଖ୍ରୀଷ୍ଟଧର୍ମର ନିର୍ଦ୍ଦେଶ ସ୍ପଷ୍ଟ । ପ୍ରଶ୍ନ ହୋଇପାରେ, କଣ କେବଳ କର୍ତ୍ତବ୍ୟଜ୍ଞାନ ଏ ପ୍ରରୋଚନା ଦେଇପାରେ ନାହିଁ-? ମୋର ଏହା କରିବା ଉଚିତ, ଅତଏବ ମୁଁ ଏହା କରିବି–ଏ ଜ୍ଞାନର ଭିତରେ ମଧ୍ୟ ଭଗବତପ୍ରେମର ଅଙ୍ଗୁଳି ସଙ୍କେତ ଅଛି, କିନ୍ତୁ କେବଳ କାର୍ଯ୍ୟର ଔଚିତ୍ୟଜ୍ଞାନ କାର୍ଯ୍ୟ ସମ୍ପାଦନ ପକ୍ଷରେ ପ୍ରଚୁର ନୁହେଁ । ଔଚିତ୍ୟଜ୍ଞାନ କେବଳ ଆରମ୍ଭ ସୂଚନା କରେ । ଏହା କେବଳ ଆରମ୍ଭ, ଅଙ୍କୁରୋଦ୍‌ଗମ; ପତ୍ରପୁଷ୍ପଫଳରେ ବିଭୂଷିତ ହେବାର ପରିଣତି ପାଇଁ ଢେର ପ୍ରତିକୂଳ ଅନୁକୂଳ ଅବସ୍ଥା ଏବଂ ତିଦନରୂପ ଅଭିବ୍ୟକ୍ତିର ଭିତର ଦେଇ ଯିବାକୁ ହେବ । ଏହିସବୁ ଅବସ୍ଥା ବିପର୍ଯ୍ୟୟର ଭିତର ଦେଇ ଗଲାବେଳେ ଯାହା ବୃକ୍ଷକୁ ଉକ୍ତ ଅବସ୍ଥାସମୂହ ସହିତ ସମତା ରକ୍ଷା କରିବାରେ ସମର୍ଥ କରେ ଏବଂ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବାକୁ ଦିଏ ନାହିଁ, ତାହା ହେଉଛି ବୃକ୍ଷର ଭିତରର ରସ ବା ଜୀବନ । ପ୍ରେମ ହେଉଛି ସେହି ରସ ବା ଜୀବନ ଯାହାର ବାହାରର ଅଭିବ୍ୟକ୍ତି ହେଉଛି ସେବା । ପ୍ରେମର ପ୍ରକାଶ ତ୍ୟାଗରେ, ଆପଣାକୁ ଦେବାରେ, ଦୋକାନର କିଣାବିକା ପରି ମାପିଚୁପି ନୁହେଁ, ମାତ୍ର ଅକାତର ଅପ୍ରମେୟ ଆତ୍ମ ଉତ୍ସର୍ଗରେ; ଯେପରି କୁହା ହୋଇଅଛି ଅଙ୍ଗରଖା ପରିତ୍ୟାଗ କରିବା ଭଳି ପ୍ରୟୋଜନୀୟତାରେ, ଉତ୍ତରୀୟ ମଧ୍ୟ ଦେବାରେ, ମାଇଲିଏ ଜାଗାରେ ଦୁଇମାଇଲ ଯିବାରେ ପ୍ରେମ ଓ କର୍ତ୍ତବ୍ୟଜ୍ଞାନ ମଧ୍ୟରେ ଯେଉଁ ପ୍ରଭେଦ ତାହାହିଁ ସୂଚିତ ହୁଏ । ଭଗବତପ୍ରେମ କେବଳ କର୍ତ୍ତବ୍ୟଜ୍ଞାନ ଉଦ୍ରେକ କରେ ନାହିଁ, କର୍ତ୍ତବ୍ୟପ୍ରେମ ମଧ୍ୟ ଆଣିଦିଏ ।

 

ଶୁଣାଯାଏ ତଥାକଥିତ ଖ୍ରୀଷ୍ଟୀୟ ଜଗତ ଅର୍ଥାତ୍ ୟୁରୋପରେ ଏବଂ ବିଶେଷ କରି Soviet ରୁଷିୟାରେ ମାନବସେବା ବା ମାନବପ୍ରୀତି ନିଜର ପୂର୍ଣ୍ଣବିକାଶ ଏବଂ ସିଦ୍ଧି ନିମିତ୍ତ ଈଶ୍ୱରପ୍ରେମର ସଂସର୍ଗ ତ୍ୟାଗ କରିଅଛି, ଈଶ୍ୱରବିଶ୍ୱାସମୂଳକ ଧର୍ମମୂଳରେ କୁଠାରାଘାତ କରି Humanism କୁ ଧର୍ମସ୍ୱରୂପ ଗ୍ରହଣ କରିଅଛି । ରୁଷିୟା କାହିଁକି, Humanism ଜଗତରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ନୂତନ ଧର୍ମରୂପେ ମୁଣ୍ଡ ଉଠାଇ ଅଛି । ଈଶ୍ୱରବିଶ୍ୱାସମୂଳକ ଧର୍ମପ୍ରତି ବୀତିଶ୍ରଦ୍ଧ ହେବାର ଯେ ବିଶେଷ କାରଣ ନାହିଁ ତାହା ନୁହେଁ । ଧର୍ମନାମରେ ଅନେକ ସମୟରେ ଧର୍ମତଳେ ଅପଧର୍ମ ଆଶ୍ରୟ ନିଏ । ଧର୍ମ ଯେତେବେଳେ ସମାଜଗତ ଅନୁଷ୍ଠାନରେ ପରିଣତ ହୁଏ ଏବଂ ପୁରୋହିତର ଶାସନ ତହିଁରେ ପ୍ରତିଷ୍ଠିତ ହୁଏ, ସେତେବେଳେ ପୌରହିତ୍ୟ ଅତ୍ୟାଚାର ଧର୍ମନାମରେ ପ୍ରଚଳିତ ହେବା ବିଚିତ୍ର ନୁହେଁ । ଏହାହିଁ ହେଲା ରୁଷିୟାର ଅଧିକାଂଶଙ୍କର ଧର୍ମ ପ୍ରତି ବିରାଗର କାରଣ । ବିରକ୍ତି ପୁରୋହିତ ଉପରୁ ପୁରୋହିତ ପ୍ରଚାରିତ ଧର୍ମ ଉପରେ ପଡ଼ିବା ବିଚିତ୍ର ନୁହେଁ । ଧର୍ମ ଯେ ଭ୍ରମପ୍ରମାଦପୂର୍ଣ୍ଣ ଏବଂ ବିରକ୍ତିକର ତାହା କଣ ପ୍ରମାଣିତ ହେଲା ଧର୍ମଶିକ୍ଷକ ବିରକ୍ତିକର ହେଲା ବୋଲି ? ଯଦିବା ଖ୍ରୀଷ୍ଟଧର୍ମର ସମାଜଗତ ଅନୁଷ୍ଠାନ ଅଛି, ତଥାପି ଏହା ସର୍ବାଦୌ ବ୍ୟକ୍ତିଗତ ଅଭିଜ୍ଞତା ଉପରେ ପ୍ରତିଷ୍ଠିତ । ଧର୍ମର ଏହି ବ୍ୟକ୍ତିଗତ ପ୍ରୟୋଜନୀୟତା ଅବଶ୍ୟ ଦିନେ ରୁଷିୟାର ଏବଂ ଜଗତର ଅନାନ୍ୟ ସ୍ଥାନରେ ଧର୍ମର ଉଜ୍ଜ୍ୱଳସ୍ୱରୂପ ହୃଦୟଙ୍ଗମ କରାଇବ ଯେଉଁଦିନ ଧର୍ମବିରୁଦ୍ଧରେ ଏହି ପ୍ରତିକ୍ରିୟା ଫଳରେ ଉଦ୍ଭତ ଆନ୍ଦୋଳନର ସମୁଚିତ ସମାଧାନ ହେବ । ଯଦିବା ବର୍ତ୍ତମାନ ସଭ୍ୟତାର ପ୍ରଗତିରୁ ଏହାହିଁ ଜଣାପଡ଼ୁଥାଏ ଯେ ମାନବ ଚିନ୍ତାର କେନ୍ଦ୍ରରେ ଈଶ୍ୱରଙ୍କ ଛାୟା ଅସ୍ପଷ୍ଟ ହେଉଛି ଏବଂ Man ଅବା Humanism ସେ ସ୍ଥାନ ଅଧିକାର କରୁଛି, ଅର୍ଥାତ୍ ମାନବପ୍ରୀତିରେ ଈଶ୍ୱରପ୍ରେମ ପ୍ରତିବିମ୍ବିତ ନ ହୋଇ ମାନବସେବା ମାନବପୂଜାରେ ପରିଣତ ହେଉଛି, ମୁଁ ସାହସନିର୍ଭର କଣ୍ଠରେ ଏହି କଥା କହିବାକୁ ପ୍ରସ୍ତୁତ ଯେ ଧର୍ମ ସମ୍ବନ୍ଧରେ ଅବସ୍ଥା ଯେଡ଼େ ସଙ୍କଟାପନ୍ନ ବୋଲି କୁହାଯାଉଅଛି ବାସ୍ତବିକ ତାହା ତେତେଦୂର ନୁହେଁ । ମଧ୍ୟରାତ୍ରିରେ ଚନ୍ଦ୍ର ଆକାଶର କେନ୍ଦ୍ରରେ ବସିଥିଲେ ମଧ୍ୟ ବୈଜ୍ଞାନିକମାନେ ତ କହନ୍ତି ତାହାର ସେହି ସମୟର ଜ୍ୟୋତିଃ କେବଳ ପ୍ରତିଫଳିତ, ପରୋକ୍ଷରେ ସେହି ଜ୍ୟୋତିଃର ଆକର ସୂର୍ଯ୍ୟରହିଁ ସୂଚନା ଦେଉଥାଏ । ମାନବର ଏହି ଦେବଭୋଗ୍ୟ ପୂଜା, ଅଚିରେ ତା ମଧ୍ୟରେ ପ୍ରତିଷ୍ଠିତ ଦେବତାଙ୍କୁ ପ୍ରକଟିତ କରିବ ।

 

ଖ୍ରୀଷ୍ଟଧର୍ମ ସହିତ ତଥାକଥିତ ଖ୍ରୀଷ୍ଟୀୟ ଜଗତରେ ଥିବା ଦ୍ୱନ୍ଦ୍ୱ କଳହ ଓ ଯୁଦ୍ଧବିଗ୍ରହର କଣ କିଛି ଯୁକ୍ତିଯୁକ୍ତ ସମନ୍ୱୟ ହୋଇପାରେ, ନା ଏହିସବୁ ବିଷୟ ଧର୍ମର ବ୍ୟର୍ଥତା ପ୍ରମାଣ କରେ ? ତଥାକଥିତ ଖ୍ରୀଷ୍ଟୀୟ ଜଗତରେ ଯେ ଯୁଦ୍ଧ ପ୍ରବଳର ଦୁର୍ବଳ ଉପରେ ଯେ ଅତ୍ୟାଚାର, ଧନୀ ନିକଟରେ ଶ୍ରମିକର ଯେ ପଦଦଳନ, କୁହାହୁଏ, ଏସବୁ ସକାଶେ ଧର୍ମ ଦାୟୀ । ଧର୍ମର ସହାୟତାରୁ ଏହା ହେଉଛି; ଅଥଚ ମୁଁ ଯଦି ଏ ସମ୍ପର୍କରେ କାଲି ଦିଆ ହୋଇଥିବା ଯୁକ୍ତିର ଅନୁଗମନ କରିଥାଏ, ସେଥିରୁ ଏପରି କିଛି ବୁଝିଲି ନାହିଁ ଯେ, ଧର୍ମ ଚାଲିଗଲେ ଅର୍ଥାତ୍ ଧର୍ମହିଂସୁକ ବିଜ୍ଞାନର ସତ୍ୟଯୁଗ ଆସିଲାକ୍ଷଣି ଯୁଦ୍ଧ ବିଗ୍ରହ ପ୍ରଭୃତି ଏକାବେଳକେ ବନ୍ଦ ହୋଇଯିବ, ଧନୀ ନିର୍ଦ୍ଧନ ମୂର୍ଖ ପଣ୍ଡିତ ମଧ୍ୟରେ ଥିବା ଭେଦାଭେଦ ଉଠିଯିବ । ବରଂ ସ୍ୱାର୍ଥପରତାକୁ ପାଣ୍ଡିତ୍ୟପୂର୍ଣ୍ଣ ପ୍ରଶୟ ଦିଏ ଯେଉଁ ବିଜ୍ଞାନ, ତା ଅମଳରେ ଯୁଦ୍ଧ ପ୍ରଭୃତି ତ ଆହୁରି ଚେର ମାଡ଼ି ବସିବାର ସୁବର୍ଣ୍ଣ ସୁଯୋଗ ପାଇବେ ବୋଲି ଅନ୍ତତଃ ମୋଟାବୁଦ୍ଧି ତରଫରୁ ଦେଖିଲେ ଜଣାପଡ଼ୁଛି । ଏହାହିଁ ଯଦି ସିଦ୍ଧ ହେଲା ଯେ ଧର୍ମ ଉଠିଗଲେ ମଧ୍ୟ ଯୁଦ୍ଧ ଇତ୍ୟାଦି ରହିବ, ତେବେ ଯୁଦ୍ଧ ରହିଛି ବୋଲି ଯେଉଁ ଦୋଷ ଦିଆଯାଉଅଛି ସେ ଦୋଷର ବୋଝ ଧର୍ମ ଉପରେ ଲଦିବା କେଉଁ ଯୁକ୍ତିଯୁକ୍ତ କଥା ? ପକ୍ଷାନ୍ତରେ ଏହାହିଁ କୁହା ଯାଇପାରେ ଯେ, ମାନବସମାଜ ଯେତେ ଅଧିକ ଈଶ୍ୱରପରାୟଣ ହେବ, ଦ୍ୱନ୍ଦ୍ୱ କଳହ ଯୁଦ୍ଧ ପ୍ରଭୃତି ସେତିକି ପରିମାଣରେ ଦୂରକୁ ଅପସାରିତ ହେବ ।

 

ଏହି ପ୍ରସଙ୍ଗ ସଂକ୍ରାନ୍ତ ଆଉ ଗୋଟିଏ ମାତ୍ର ବିଷୟ କହି ବକ୍ତବ୍ୟ ଶେଷ କରିବି । ତାହା ହେଉଛି ଖ୍ରୀଷ୍ଟ ସମାଜରେ ବହୁପ୍ରକାର ଲୋକହିତକର କାର୍ଯ୍ୟ, ଯାହାର ସଂଖ୍ୟା ତାଲିକା କରି ଶୁଣାଇବା ନିଷ୍ପ୍ରୟୋଜନ । ସ୍ୱଧର୍ମ ଆଡ଼କୁ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ପ୍ରଲୁବ୍ଧ କରିବାପାଇଁ ଖ୍ରୀଷ୍ଟଧର୍ମରେ ଏହି ବହୁପ୍ରକାର ଲୋକହିତକର କାର୍ଯ୍ୟର ଅବତାରଣା ସମ୍ପର୍କରେ ଯେଉଁ ଅଭିଯୋଗ ଶୁଣା ଯାଇଥାଏ, ତାହାର ଉଲ୍ଲେଖ ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ । କୌଣସି କୌଣସି ସ୍ଥାନରେ ଏପରି ଉଦ୍ଦେଶ୍ୟର ବଶବର୍ତ୍ତୀ ହୋଇ କୌଣସି କୌଣସି ଖ୍ରୀଷ୍ଟଧର୍ମ ପ୍ରଚାରକ ଯେ ଲୋକହିତକର କାର୍ଯ୍ୟ କେବେ କରି ନାହାନ୍ତି ଏକଥା କୁହାଯାଇ ପାରେ ନାହିଁ, କିନ୍ତୁ ଖ୍ରୀଷ୍ଟଧର୍ମରେ ଲୋକହିତକର କାର୍ଯ୍ୟ ସକାଶେ ଯେଉଁ ପ୍ରଭାବ ବିଦ୍ୟମାନ, ତାହା ଏପରି ଅନୁନ୍ନତ ଅଭିସନ୍ଧିର ନାମାନ୍ତର ନୁହେଁ–ତାହା ହେଉଛି ନିଷ୍କାମ ମାନବପ୍ରୀତିର ପ୍ରେରଣା ଏବଂ ଅନ୍ତରର ଭଗବତପ୍ରେମର ଅବଶ୍ୟମ୍ଭାବୀ ଫଳ ।

Image

 

ପରାଜୟର ଭୟ

 

ସେ ଆପଣା ଭୃତ୍ୟମାନଙ୍କୁ ଡାକି ସେମାନଙ୍କ ହସ୍ତରେ ଆପଣା ସମ୍ପତ୍ତି ସମର୍ପି ଦେଲେ । ପ୍ରତ୍ୟେକ ଲୋକକୁ, ଯେ ଯେପରି ଯୋଗ୍ୟ, ସେହିପରି କାହାକୁ ପାଞ୍ଚ ତୋଡ଼ା, କାହାକୁ ଦୁଇ ତୋଡ଼ା, କାହାକୁ ଏକ ତୋଡ଼ା ଦେଇ ସେହିକ୍ଷଣି ଯାତ୍ରା କଲେ । ଯେଉଁ ଭୃତ୍ୟ ପାଞ୍ଚ ତୋଡ଼ା ପାଇଥିଲା ସେ ତାହା ନେଇ ବେପାର କରି ଆଉ ପାଞ୍ଚ ତୋଡ଼ା ବୃଦ୍ଧି କଲା । ସେହିପରି ଯେଉଁ ଲୋକ ଦୁଇ ତୋଡ଼ା ପାଇଥିଲା, ସେ ଆଉ ଦୁଇ ତୋଡ଼ା ଲାଭ କଲା । ମାତ୍ର ଯେଉଁ ଲୋକ ଏକ ତୋଡ଼ା ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁର ଟଙ୍କା ପୋତି ରଖିଲା । x x ବହୁତକାଳ ଉତ୍ତାରେ ସେମାନଙ୍କର ପ୍ରଭୁ ଆସି ସେମାନଙ୍କ ସଙ୍ଗରେ ହିସାବ କଲେ । X X X ଅନନ୍ତର ଯେଉଁ ଜଣକ ଏକ ତୋଡ଼ା ପାଇଥିଲା, ସେ ଆସି କହିଲା, ହେ ପ୍ରଭୁ x x ଭୟକରି ମୁଁ ଯାଇ ତୁମର ତୋଡ଼ା ଭୂମିରେ ପୋତି ରଖିଥିଲି; ଦେଖ, ଏହି ତୁମର ଧନ, ନିଅ । ତହୁଁ ତାହାର ପ୍ରଭୁ ଉତ୍ତର ଦେଲେ, ଆରେ ଦୁଷ୍ଟ ଅଳସ ଦାସ ।

 

‘‘ଜଣକର ଦୁଇ ପୁତ୍ର ଥିଲେ । ସେମାନଙ୍କ ମଧ୍ୟରୁ କନିଷ୍ଠ ପୁତ୍ର ପିତାକୁ କହିଲା, ହେ ପିତଃ, ତୁମ୍ଭ ସମ୍ପତ୍ତିର ଯେଉଁ ବାଣ୍ଟ ମୁଁ ପାଇବି, ତାହା ଦିଅ । ତହିଁରେ ସେ ଆପଣା ସମ୍ପତ୍ତି ଭାଗ କରି ଦେଲା । ଅଳ୍ପଦିନ ଉତ୍ତାରୁ ସେହି କନିଷ୍ଠ ପୁତ୍ର ସର୍ବସ୍ୱ ଏକତ୍ର କରି ନେଇ ଦୂରଦେଶକୁ ଯାଇ ଦୁଷ୍ଟ ଆଚରଣରେ ସବୁ ସମ୍ପତ୍ତି ଉଡ଼ାଇ ଦେଲା । ସବୁ ବ୍ୟୟ କଲା ଉତ୍ତାରେ ସେହି ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ ତାହାର ଅଭାବ ଘଟିଲା । X X X ଅବଶେଷରେ ସେ ମନେ ମନେ ଚେତନା ପାଇ କହିଲା, ହାୟ, ମୋ ପିତାଙ୍କ ପାଖରେ କେତେ ମୂଲିଆ ଯଥେଷ୍ଟ ଓ ତହିଁରୁ ଅଧିକ ଆହାର ପାଉଛନ୍ତି, ଆଉ ମୁଁ କ୍ଷୁଧାରେ ମରୁଅଛି । ମୁଁ ଏକ୍ଷଣି ପିତାଙ୍କ ନିକଟକୁ ଯାଇ କହିବି...ତୁମ୍ଭର ପୁତ୍ର ବୋଲି ଖ୍ୟାତ ହେବାର ମୁଁ ଆଉ ଯୋଗ୍ୟ ନୁହେଁ; ତୁମର ଗୋଟିଏ ମୂଲିଆ କରି ମୋତେ ରଖ । ଅନନ୍ତର ସେ ଉଠି ପିତାଙ୍କ ନିକଟକୁ ଗଲା; କିନ୍ତୁ ତାହାର ପିତା ଅତି ଦୂରରୁ ତାହାକୁ ଦେଖି ଦୟା କଲା, ପୁଣି ଧାଇଁ ଯାଇ ତାହାର ଗଳା ଧରି ତାହାକୁ ଚୁମ୍ୱନ କଲା । X X X ତାହାର ପିତା ଆପଣା ଦାସମାନଙ୍କୁ ଆଜ୍ଞା ଦେଲା, ସର୍ବୋତ୍ତମ ବସ୍ତ୍ର ଆଣି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦ୍ରିକା ଦିଅ, ଏହାର ପାଦରେ ପାଦୁକା ଦିଅ । X X ତାହାର ଜ୍ୟେଷ୍ଠ ପୁତ୍ର X X ଆସୁ ଆସୁ ଗୃହ କଳିରେ ଉପସ୍ଥିତ ହୋଇ ନୃତ୍ୟ ଓ ବାଦ୍ୟର ଶବ୍ଦ ଶୁଣିବାକୁ ପାଇଲା, ଦାସମାନଙ୍କ ମଧ୍ୟରୁ ଜଣକୁ ଡାକି ତହିଁର କାରଣ ପଚାରିଲା X X ତହିଁରେ ସେ କ୍ରୂଦ୍ଧ ହୋଇ ଭିତରକୁ ଯିବାକୁ ମଙ୍ଗିଲା ନାହିଁ, ଏଣୁ ତାହାର ପିତା ବାହାରକୁ ଆସି ତାକୁ ବହୁତ ପ୍ରବୋଧ ଦେଲା । ମାତ୍ର ସେ କହିଲା, ଦେଖ ମୁଁ ତୁମ୍ଭର କୌଣସି ଆଜ୍ଞା ଲଙ୍ଘନ ନ କରି ବହୁବର୍ଷାବଧି ତୁମ୍ଭର ସେବା କରି ଆସିଅଛି; ତଥାପି ତୁମ୍ଭେ ମିତ୍ରଗଣ ସଙ୍ଗରେ ଉତ୍ସବ କରିବାକୁ କେବେହେଁ ଗୋଟିଏ ଛେଳି ମୋତେ ଦେଇ ନାହଁ । ମାତ୍ର ତୁମ୍ଭର ଯେଉଁ ପୁତ୍ର ବେଶ୍ୟାସକ୍ତିରେ ତୁମ୍ଭର ସମ୍ପତ୍ତି ଅପବ୍ୟୟ କରିଅଛି ସେ ଆସିବା ମାତ୍ରେ ତାହା ନିମନ୍ତେ ହୃଷ୍ଟପୁଷ୍ଟ ବାଛୁରି ମାରିଲ । ତାହାର ପିତା କହିଲା, ହେ ପୁତ୍ର, ତୁମ୍ଭେ ସର୍ବଦା ମୋ ସଙ୍ଗରେ ଅଛ, ଆଉ ମୋର ଯାହା କିଛି ଅଛି, ସେ ସମସ୍ତ ତୁମ୍ଭର; କିନ୍ତୁ ଏହି ଯେ ତୁମ୍ଭର ଭାଇ ମୃତ ହୋଇ ପୁନର୍ବାର ସଜୀବ ହେଲା, ସେ ହଜିଯାଇ ଥିଲା ଏବେ ମିଳିଲା, ଏହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଆମ୍ଭମାନଙ୍କର ଉଚିତ ।’’

 

ଆଜି ଆମ୍ଭମାନଙ୍କ ଅନୁଧ୍ୟାନ ନିମିତ୍ତ ଯେଉଁ ପଦ ମନୋନୀତ କରିଅଛି ତାହା ହେଉଛି, ‘‘ମୁଁ ଭୟ କଲି, ଆଉ ତୁମ୍ଭର ଦେଇଥିବା ଦାନକୁ ମାଟି ତଳେ ପୋତି ରଖିଲ ।’’ ମୋର ଆଜିର ବକ୍ତବ୍ୟ ହେଉଛି ‘ପରାଜୟର ଭୟ ।’

 

ଆଜିର ବକ୍ତବ୍ୟ ବିଷୟରେ ଚିନ୍ତା କରିବାକୁ ମୁଁ ଯଦିବା ସମସ୍ତଙ୍କୁ ଆହ୍ୱାନ କରୁଛି, ତଥାପି ଏ ପ୍ରସଙ୍ଗ ପ୍ରତି ବେଶୀ ପରିମାଣରେ ଯୁବକ ଯୁବତୀଙ୍କ ମନୋଯୋଗ ଆକର୍ଷଣ କରିବାକୁ ମୁଁ ଇଚ୍ଛା କରୁଅଛି । ଅବଶ୍ୟ କି ଯୁବକ କି ବୃଦ୍ଧ ଆମ୍ଭେମାନେ ସମସ୍ତେ ଜୀବନ ସଂକ୍ରାନ୍ତ ସମସ୍ତ ବିଷୟ ବିଷୟ ସହିତ ସଂପୃକ୍ତ । ଜୀବନର କୃତିତ୍ୱ ଏବଂ ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଯେ ସମସ୍ତ ସମ୍ଭାବନା ଆମ୍ଭମାନଙ୍କ ମଧ୍ୟରେ ଲୁକ୍କାୟିତ ତହିଁପ୍ରତି କି ଯୁବକ କି ବୃଦ୍ଧ ଆମ୍ଭେମାନେ କେହି ଉଦାସୀନ ରହି ନ ପାରୁଁ । ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବୟସ୍କ ଅବା ମଧ୍ୟବୟସ୍କ, ସେମାନେ ତୁମୁଳ ଜୀବନସଂଗ୍ରାମରେ ପ୍ରବେଶ କରି ସାରିଛନ୍ତି । ଏହି ସଂଗ୍ରାମ, ଅର୍ଥାତ୍‌ ଜୀବନର କାର୍ଯ୍ୟାବଳୀ, ତାହା ନେଇ ଆମ୍ଭେମାନେ ଏତେ ବ୍ୟସ୍ତ ଯେ ନିଜକୁ ନିଶ୍ୱାସ ମାରିବାକୁ ସମୟ ଦେଉ ନାହୁଁ, ଦଣ୍ଡେ ଧୀର ସ୍ଥିରଭାବରେ ଛିଡ଼ା ହୋଇ ଭାବୁ ନାହୁଁ କି ଏହି ଯେଉଁ କର୍ମସ୍ରୋତରେ ନିଜ ନିଜର ତାଳି ଦେଇଛୁଁ, ସେଥିରୁ କେତେ ଲାଭ ପାଇଛୁଁ, କେତେ ଅବା ଲୋକସାନ ସହୁଛୁଁ । ତଥାପି ଆମ୍ଭେମାନେ ସେଥିରେ ଏପରି ମୁଗ୍ଧ ହୋଇ ରହିଛୁଁ ଯେ ସମସ୍ତ ଜୀବନଟା ପରାଜୟର ପର୍ଯ୍ୟାୟ ହେଲେ ସୁଦ୍ଧା ଆମ୍ଭେମାନେ ତାହାକୁ ଜାପ୍‌ଟି ଧରି ରହିଛୁଁ । ତାର ପରିବର୍ତ୍ତନର ଉପାୟ କରିବୁଁ କ’ଣ, ପରାଜୟର ହୀନତା ମଧ୍ୟ ଅନୁଭବ କରିପାରୁଁ ନାହୁଁ । ସେଥିପାଇଁ ପ୍ରଭୁଙ୍କର ବାକ୍ୟ ବୃଦ୍ଧ, ଯୁବକ ଉଭୟଙ୍କ ପକ୍ଷରେ ଶିକ୍ଷାପ୍ରଦ ।

 

କିନ୍ତୁ ମୁଁ ପୂର୍ବରେ ଯେପରି କହିଛି, ଆଜି ଏ ବିଷୟରେ ବିଶେଷ କରି ଯୁବକ ଯୁବତୀଙ୍କୁ କହିବାକୁ ଚାହେଁ । ସେମାନେ ଜୀବନର ପ୍ରବେଶ ପଥରେ । ଭବିଷ୍ୟତ୍‌ ତାଙ୍କ ପାଇଁ କଣ ସଞ୍ଚୟ କରିଛି ତାକୁ ଆବିଷ୍କାର କରିବାକୁ ଉତ୍ସୁକ । ସେମାନଙ୍କୁ କହିବାର ଆଉ ଗୋଟିଏ କାରଣ ହେଉଛି ସେମାନଙ୍କର ମାନସିକ ଏବଂ ନୈତିକ ସଂଗଠନ, ଯେଉଁ ହେତୁରୁ ମୁଁ ବିଶ୍ୱାସ କରେ ଶାସ୍ତ୍ରର ବାକ୍ୟ ଆପଣା ଛାଁ କୁ ସେମାନଙ୍କର ମନୋଯୋଗ ଆକର୍ଷଣ କରିବ । ଯୁବକ-ପ୍ରକୃତିର ଗୋଟିଏ ବିଶେଷ ଗୁଣ ବା ଲକ୍ଷଣ ହେଉଛି ତାହାର ସ୍ୱପ୍ନମୟ ଅବେକ୍ଷଣ, ତାହାର ଦୃଷ୍ଟିର ପ୍ରସାର; ଅର୍ଥାତ୍‌ ଯେଉଁ ଭାବରେ ପ୍ରଣୋଦିତ ହୋଇ ସେ ଜଗତ ସଂସାରକୁ ଅନାଏ ତାହା ଅବାସ୍ତବ, କଳ୍ପନା ରସପ୍ଳୁତ । ସେ ଅଙ୍କ ଶାସ୍ତ୍ରର ନିରସ ହିସାବ କିତାପଦ୍ୱାରା ପରିଚାଳିତ ହେବାକୁ ରାଜି ନୁହେଁ । ସେ ପରିଚାଳିତ ହୁଏ ତାର ଭାବରାଶିଦ୍ୱାରା, ନିଜ ହୃଦୟର ପ୍ରେରଣାଦ୍ୱାରା । କଳ୍ପନା ସାହାଯ୍ୟରେ ସେ ଜୀବନର ଯେଉଁ ଛବି ଆଙ୍କେ ସେଥିରେ ପରାଜୟର ସ୍ଥାନ ନାହିଁ । ତାହାର କବିତାମୟ ସ୍ୱପ୍ନାବେଶ ଜୀବନର ଗଦ୍ୟମୟ ବାସ୍ତବତାର ସଂସ୍ପର୍ଶରେ ଆସି ରୂଢ଼ ଆଘାତ ପାଇ ନାହିଁ । ଏ ବୟସରେ ଜୀବନର ଉଗ୍ରତା ଅସମ୍ଭାଳ, ତାକୁ ଚାପି ରଖିବା ଏକପ୍ରକାର ଅସମ୍ଭବ । ସବୁ ବିଷୟ ପରୀକ୍ଷା କରିବାକୁ ସେ ବ୍ୟଗ୍ର । ବିପଦର ସମ୍ମୁଖୀନ ହେବାକୁ ତାହାର ଯଥେଷ୍ଟ ସାହସ । ଅତଏବ ପରାଜୟର ଭୟ-ବିଷୟ କହି ତାହାର ଯୌବନର ତେଜକୁ କ୍ଷୁଣ୍ଣ ନ କରି ବରଂ ଶାସ୍ତ୍ରର ଶଂସିତପଦ ତାହାର ଦୁର୍ବ୍ଦମନୀୟ ଉତ୍ସାହକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଯେଉଁ ପ୍ରଚୁର ପ୍ରରୋଚନା ଦିଏ ତାହା ଦେଖାଇବାଇ ମୋର ଉଦ୍ଦେଶ୍ୟ ।

 

ଖ୍ରୀଷ୍ଟଧର୍ମ ପରାଜିତର ବା ଦୁର୍ବଳର ଧର୍ମ ନୁହେଁ । ଏହା ବୀରର ଧର୍ମ, ଯେଉଁମାନେ ବୀର ହେବାକୁ ଚାହାଁନ୍ତି ସେମାନଙ୍କର ଧର୍ମ । ଏ ଧର୍ମ କୁହେ ‘ଜଳରାଶି ଉପରେ ବୀଜ ବପନ କରିବାକୁ’ ଅର୍ଥାତ୍‌ ଯେଉଁ କାର୍ଯ୍ୟ ଆପାତତଃ ଅସମ୍ଭବ ଦେଖାଯାଉଛି ସେ କାର୍ଯ୍ୟରେ ସାହସର ସହିତ ହସ୍ତକ୍ଷେପ କରିବାକୁ । ଯେତେବେଳେ କେହି ତୁମ୍ଭର ଅଙ୍ଗରେଖା ନେବାକୁ ଚେଷ୍ଟା କରେ ତାକୁ ଉତ୍ତରୀୟ ମଧ୍ୟ ପ୍ରଦାନ କରିବାକୁ, କେହି ତୁମ୍ଭଙ୍କୁ ଏକମାଇଲ ଚଳେଇଲେ ତାହା ସହିତ ଦୁଇ ମାଇଲ ଚାଲିବାକୁ, କେହି ତୁମ୍ଭର ଡାହାଣ ଗାଲରେ ଜାବୁଡ଼ା ମାରିଲେ ତାକୁ ବାଁ ଗାଲ ମଧ୍ୟ ଦେଖାଇବାକୁ ଏ ଧର୍ମ କୁହେ । ଏ ରାଜ୍ୟ ଦଖଲ କରିବାକୁ ହେଲେ ବିକ୍ରମ ଦରକାର । ଯେ ପରାକ୍ରମୀ ସେହି ଏକା ଏହାକୁ ଅଧିକାର କରିପାରେ । ସେ ଦିନ ବିଖ୍ୟାତ ଜର୍ମାନ ସୈନ୍ୟାଧ୍ୟକ୍ଷ ଲୁଡ଼େନ୍‌ଡର୍ଫଙ୍କ ସମ୍ୱନ୍ଧରେ ପଢ଼ୁଥିଲି । ତାଙ୍କ ମତରେ ଗତ ମହାଯୁଦ୍ଧରେ ଜର୍ମାନର ପରାଜୟର କାରଣ ହେଉଛି ଖ୍ରୀଷ୍ଟଧର୍ମ । ତାହା କୁଆଡ଼େ ମନୁଷ୍ୟ ମଧ୍ୟରେ ଥିବା ସୁପ୍ତ ବୀରଭାବକୁ ଜାଗ୍ରତ କରେ ନାହିଁ । ତାହା ମନୁଷ୍ୟର ହୃଦୟକୁ ବଡ଼ ନରମ କରିଦିଏ । ଖ୍ରୀଷ୍ଟଧର୍ମକୁ ଭୀରୁର ଧର୍ମ ବୋଲି ଧରିନେଇ, ଜର୍ମାନର ଯେଉଁ ପୁରାତନ ପୌତ୍ତଳିକତା ଯାହା ମନୁଷ୍ୟର ରାକ୍ଷସ ସ୍ୱଭାବର ପୃଷ୍ଠପୋଷକ, ତାହାକୁ ପୁନର୍ଜୀବିତ କରିବାକୁ ସେ ନିଜର ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଖ୍ରୀଷ୍ଟଧର୍ମକୁ ସେ ଜର୍ମାନୀର ପରାଜୟର କାରଣ ବୋଲି ଧରି ନେଲେ ଅପରପକ୍ଷ ମଧ୍ୟ ଆପଣାକୁ ସେହି ଧର୍ମାବଲମ୍ୱୀ ବୋଲି ଦାବୀ କରୁଥିଲେ । ପ୍ରକୃତ କଥା ହେଉଛି ୟୁରୋପ ତାର ରାଜନୀତିରେ ଖ୍ରୀଷ୍ଟଙ୍କୁ ସ୍ଥାନ ଦେଇ ନାହିଁ ଅତଏବ ୟୁରୋପର ରାଜନୀତି ଯଦି ପରାଜିତ ହେଲା ସେଥିପାଇଁ ଖ୍ରୀଷ୍ଟ କାହିଁକି ଦାୟୀ ହେବେ ? ଖ୍ରୀଷ୍ଟଧର୍ମ ଯେ ଭୀରୁର ଧର୍ମ ନୁହେଁ ତାହା ଏ ଧର୍ମ ଜଗତ ସମ୍ମୁଖରେ ବାରମ୍ୱାର ପ୍ରମାଣ କରିଛି, କଳ୍ପନାତୀତ ଦୁଃଖଯନ୍ତ୍ରଣା ସହିବାରେ ଓ ଅକାତର ଆତ୍ମ ବଳିଦାନରେ । ଏ ଧର୍ମ ବୀରତ୍ୱ ଦେଖେ ତାଠି ଯେଉଁ ଲୋକ ଅନ୍ୟର ଦୁଃଖ କଷ୍ଟ ନିଜ ଉପରକୁ ଉଠାଇ ନିଏ । ଅତଏବ ବର୍ତ୍ତମାନ ଯୁଗର ଯୁବକର ମନୋଯୋଗ ଆକର୍ଷଣ କରିବା ସକାଶେ ଏ ଧର୍ମରେ ଯଥେଷ୍ଟ ବୀରତ୍ୱ ଅଛି ।

 

ଏ ଧର୍ମ ପରୀକ୍ଷାଧୀନ ହେବାକୁ ଭୀତ ନୁହେଁ, କାରଣ ଏ ଯାବତ୍‌ ଏହା ଅନେକ ପ୍ରକାରେ ପରୀକ୍ଷିତ ହୋଇଛି । ଏହା କେବେ ତୁମକୁ କୌଣସି ବିଷୟ ପରୀକ୍ଷା ନ କରି ଠିକ୍‌ ବୋଲି ଧରି ନେବାକୁ କହିବ ନାହିଁ । ଏହା ତୁମର ଦୁଃସାହସକୁ ଯଥେଷ୍ଟ ପ୍ରଶ୍ରୟ ଦେବ ଯଦି ଆଧ୍ୟାତ୍ମିକ ସାଧନା ପଥରେ ତୁମେ ନିଷ୍କପଟଭାବରେ ଅଗ୍ରସର ହେବାକୁ ଚାହିଁବ । ଯେଉଁମାନଙ୍କର ଉତ୍ସାହ ନାହିଁ, ଯେଉଁମାନେ ଇତସ୍ତତଃ ହେଉଥାନ୍ତି, ଯେଉଁମାନେ ଆଗକୁ ଚାହାଁନ୍ତି ପଛକୁ ଚାହାଁନ୍ତି ଆଉ ହାତେ ମାପି ଚାଖଣ୍ଡେ ଚାଲନ୍ତି, ସେ ଭଳି ଲୋକଙ୍କ ପାଇଁ ଏ ଧର୍ମରେ ବଡ଼ ବେଶୀ ଆଶା ନାହିଁ । ତୁମର ଆଖିକୁ ଏକାଗ୍ର କରିବାକୁ ହେବ; ସେଥିପାଇଁ ଇଷଦୁଷ୍ଣ ନୁହେଁ, ହୁଏ ଉଷ୍ଣ ନ ହୁଏ ଶୀତଳ ହେବାକୁ ଏ ଧର୍ମ ପରାମର୍ଶ ଦିଏ । ପଥ ଭଲ ହେଉ କି ମନ୍ଦ ହେଉ ତହିଁରେ ମନ ପ୍ରାଣ ସହକାରେ ଚାଲିବା ଭଳି ସାହସ ଯଦି ତୁମର ଥାଏ ତେବେ ଅବା ପରିତ୍ରାଣର ସନ୍ଧାନ ପାଇବା ତୁମ ପକ୍ଷରେ ସମ୍ଭବ ହୋଇପାରେ; ନତୁବା ଦୁଇ ନାହାରେ ଗୋଡ଼ ଦେଇ ନଈ ପାରିହେବା ଆଉ ସାପ ମରିବ ନାହିଁ ବାଡ଼ି ଭାଙ୍ଗିବ ନାହିଁ ଉପାୟ ଅବଲମ୍ୱନ କରି ଖ୍ରୀଷ୍ଟିୟାନ ହେବା ଏକାକଥା ।

 

ବର୍ତ୍ତମାନ ଆମ୍ଭେମାନେ ଆଲୋଚନା କରିବା, ଏହି ଯେଉଁ ସବୁ ଦାବୀ ଧର୍ମ ନାମରେ କରା ହେଉଛି ତାହା କେତେଦୂର ଧର୍ମାନୁମୋଦିତ । ଯେଉଁ ଦୁଇ ଦୃଷ୍ଟାନ୍ତ ଆମ୍ଭେମାନେ ପାଠ କରିଛୁଁ, ଆସ ଏହି ସମ୍ପର୍କରେ ସେହି ଦୃଷ୍ଟାନ୍ତ ଦୁଇଟି କେଉଁ ବାଟ ଦେଖାନ୍ତି ତାହା ପରୀକ୍ଷା କରୁଁ ।

 

ପ୍ରଥମରେ ତୋଡ଼ାର ଦୃଷ୍ଟାନ୍ତ ଆଲୋଚନା କରିବା । ଏହି ତୃତୀୟ ବ୍ୟକ୍ତିର ଦୋଷ କେଉଁଠି ? ସେ କଣ କରିଛି ଯାହା ସକାଶୁ ତାର ଦଣ୍ଡ ଏଡ଼େ ଗୁରୁତର ? ସେ ଯେ ଗୋଟିଏ ତୋଡ଼ା ତାର ମୁନିବ ନିକଟରୁ ପାଇଛି ସେ କଥା ସେ ନାସ୍ତି କରୁ ନାହିଁ । ଯେତେ କମ୍‍ ହେଉନା କାହିଁକି କିଛି ନା କିଛି ଆଧ୍ୟାତ୍ମିକ ଶକ୍ତି ତା’ ନିକଟରେ ଗଚ୍ଛିତ ନାହିଁ ଏକଥା କୌଣସି ଲୋକ କହି ପାରିବ ନାହିଁ । ଏହି ଲୋକର ଅମାର୍ଜନୀୟ ଦୋଷ ହେଲା ପରାଜୟର ଭୟ । ସେ ଭୟ କଲା ଏହି ତୋଡ଼ାକୁ ନେଇ ଖଟେଇବାକୁ, କାରବାର କରିବାକୁ, ବ୍ୟବହାର କରିବାକୁ । କି ଜାଗତିକ କି ଆଧ୍ୟାତ୍ମିକ ସବୁପ୍ରକାର କାରବାର ହେଉଛି ଅସମସାହସିକ କାର୍ଯ୍ୟ । କୌଣସି କୌଣସି ଭକ୍ତର ଆଧ୍ୟାତ୍ମିକ ଜୀବନରେ ପରିବର୍ତ୍ତନ ଦେଖି ମୂର୍ଖ ଲୋକେ ତାକୁ ସେମାନଙ୍କର ପତନ ବା ପଦସ୍ଖଳନ ବୋଲି ଧରି ନିଅନ୍ତି । ଏ ଭଳି ସମାଲୋଚକ ଜୀବନ କଣ ତାହା ଜାଣନ୍ତି ନାହିଁ–ସେ ଜୀବନ ଆଧ୍ୟାତ୍ମିକ ହେଉ ବା ଶାରୀରିକ ହେଉ । ଜୀବନ ଗତିଶୀଳ । ସବୁ ସମୟରେ କାର୍ଯ୍ୟର ସମତା ମିଳେ କେବଳ ଜୀବନବିହୀନ କଳଠାରେ । କଳ ଭୁଲ କରେ ନାହିଁ, ମନୁଷ୍ୟ ଭୁଲ କରେ; ଏବଂ ଭୁଲ କରି ସୁଦ୍ଧା କଳଠାରୁ ସେ ଅଧିକ ମୂଲ୍ୟବାନ । ଏହି ମନୁଷ୍ୟର ଦୋଷ ହେଲା, ତ୍ରୁଟି ଘଟିବ ବା ତ୍ରୁଟିରେ ପଡ଼ିବ ବୋଲି ଭୟକରି ତା ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ଭାବନାର ଅନୁଶୀଳନ ସେ କଲା ନାହିଁ । ଆଉ, ତାହାର ଏହି ଅନୁଶୀଳନ ଉପରେ ନିର୍ଭର କରି ମହାଦାତା ତାକୁ ଏହି ଦାନ ଦେଇଥିଲେ ଯେପରି ସେ ତଦ୍ଦ୍ୱାରା ନିଜର ବୃଦ୍ଧି ଏବଂ ଅଭିବ୍ୟକ୍ତି ସାଧନ କରିବ ।

 

ଠିକ୍‍ ହେବ ନାହିଁ ବୋଲି କିଛି ନ କରିବା ଅପେକ୍ଷା ଭୁଲ୍‍ କରିବା ଢେର୍‍ ଭଲ, କାରଣ ସେଥିରେ ଗୋଟିଏ ପରିଷ୍କାର ବାସ୍ତବତା ଅଛି । ମୁଁ ଯେ ଏକଥା ବୁଝି ବିଚାରି କହୁ ନାହିଁ, ତାହା ନୁହେଁ । ଅବଶ୍ୟ କାହାରିକୁ ମନ୍ଦ ପଥରେ ଯିବାକୁ ପ୍ରରୋଚିତ କରିବା ବା ଉତ୍ସାହ ଦେବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଧରାପଡ଼ିବା ଭୟରେ ମନ୍ଦକାମ କଲା ନାହିଁ ବୋଲି ଯେ ଲୋକଟା ଭଲ ଲୋକ ଏ କଥା ମଧ୍ୟ ମୁଁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ଇତସ୍ତତଃ ନ କରି ଜାଣି ଶୁଣି ଭୁଲ୍‍ ବାଟରେ ଯିବା ଦ୍ୱାରା ଲୋକ ନୀତି-ଜଗତର ଗୋଟିଏ ଗଭୀର ସତ୍ୟର ସୂଚନା ଦିଏ । ରୀତିମତ ସିଧାସଳଖ ଭାବରେ ଯେଉଁ ଲୋକ ଦୋଷ କରେ ବା ଭୁଲ୍‍ କରେ ସେ ସତ୍ୟ ପଥର ବହୁତ ଦୂରରେ ନ ଥାଏ । ସତ୍ୟର ପଥ ଯଦି ସିଧା ଓ ସଳଖ ହୁଏ ଏବଂ ଅସତ୍ୟର ପଥ ବକ୍ରହୁଏ, ତାହାହେଲେ ସତ୍ୟ ପଥର ସନ୍ଧାନ ପାଇବାକୁ ତାକୁ ବେଶୀ ଦିନ ଲାଗିବ ନାହିଁ । ତାର ସରଳ ଏବଂ ଉଦ୍ଯୋଗୀଚିତ୍ତ ଦିନେ ପାଉଲଙ୍କ ପରି ସତ୍ୟର ଅନୁଭୂତି ପାଇବ ଏବଂ ସମସ୍ତ ଦେହ ମନ ପ୍ରାଣ ଦେଇ ସତ୍ୟକୁ ଆଶ୍ରୟ କରିବ ।

 

ଗୋଟିଏ ଉଦାହରଣ ଦେବି । ଆମ ଦେଶରେ ଗୋଟିଏ କଥା ଅଛି, ‘‘କାଦୁଅକୁ ଯିବି ନାହିଁ, କି ଗୋଡ଼ ଧୋଇବି ନାହିଁ ।’’ ଏପରି ଲୋକ ହୁଏତ ବୁଦ୍ଧିମାନ ବୋଲି ବିବେଚିତ ହେବ, କିନ୍ତୁ ଗୋଟିଏ କଥା ଭୁଲିଲେ ଚଳିବ ନାହିଁ । ଗୋଡ଼କୁ ଟାଣ କରିବାର ଉପାୟ ହେଉଛି ମାଟି କାଦୁଅକୁ ନ ଡରି ତହିଁରେ ଚାଲିବା । ଯାହା ଘରେ ସାନପିଲା ଅଛନ୍ତି ସେ ଏ କଥାର ସତ୍ୟତା ଉପଲବ୍ଧି କରିବ । କୋଉ ମା ଚାହେଁ ନାହିଁ ତା ପିଲା କାଦୁଅ ଚକଟି ମଇଳା ହେଉ, ତଥାପି ମାଟି କାଦୁଅ ଉପରେ ଚାଲିବାକୁ ମା ପିଲାକୁ ଛାଡ଼ିଦିଏ, ଯଦିବା ଧନୁଷ୍ଟଙ୍କାରର ଭୟ ଅଛି, ଗୋଡ଼ ମୋଡ଼ି ହୋଇ ଯିବାର ଭୟଅଛି, ଏପରି କି ଚିରଜୀବନ ଲେଙ୍ଗଡ଼ା ହୋଇ ରହିବାର ଭୟ ଅଛି । ଆଧ୍ୟାତ୍ମିକ ଜୀବନ ସମ୍ୱନ୍ଧରେ ମଧ୍ୟ ସେହି କଥା । ଆଧ୍ୟାତ୍ମିକ ଜୀବନ ସର୍ବାଦୌ ବ୍ୟକ୍ତିଗତ ସାଧନାର ବିଷୟ, ବ୍ୟକ୍ତିଗତ ଅନୁଭୂତିର ବିଷୟ । ଧାର୍ମିକତା ମରୁଭୂମିର ବାଲିରେ ଥିବା ନିଷ୍ଫଳ ନିର୍ମଳତା ନୁହେଁ ଯେଉଁଥିରେ କୁଶଟିଏ ମଧ୍ୟ ଗଜାଏ ନାହିଁ । ତାହା ହେଉଛି ଉର୍ବରତାର ସେହି ଶ୍ୟାମଳ ମୂର୍ତ୍ତି ଯାହାକୁ ବୃକ୍ଷ ଲତା ଗୁଳ୍ମାଦି ବନ୍ୟାଜଳର ଆବିଳତାରୁ ମଧ୍ୟ ସଂଗ୍ରହ କରନ୍ତି ।

 

ଆଧ୍ୟାତ୍ମିକ ଜୀବନର ଏହି ନୀତିର ଉଦାହରଣ ଆମ୍ଭେମାନେ ଅପବ୍ୟୟୀର ଦୃଷ୍ଟାନ୍ତରୁ ଦେଖୁଁ । ତୁମେ କି କେବେ ଚିନ୍ତାକରି ଦେଖିଛ ଏ ଦୁଇ ଭାଇ ମଧ୍ୟରେ ଥିବା ଚରିତ୍ରଗତ ପାର୍ଥକ୍ୟକୁ ଶାସ୍ତ୍ର କିପରି ସ୍ପଷ୍ଟ ଭାବରେ ଦେଖାଇଛି ? ଅପବ୍ୟୟୀ ଆଉ ତା ବଡ଼ ଭାଇ ମଧ୍ୟରେ ପ୍ରଭେଦ କଣ-? ଅପବ୍ୟୟୀର ସାହସ ଅଛି ନିଜର ଭାଗ ଦାବୀ କରିବାକୁ । ଯେତେବେଳେ ସେ ବାପଠୁଁ ଭିନ୍ନ ହେବାକୁ ଚାହୁଁଛି ସେ ଦେଖାଉଛି ତା ନିଜ ଭବିଷ୍ୟତ୍‌ ବିଷୟରେ ସେ ନିର୍ଭୀକ ଏବଂ ସ୍ୱାଧୀନ ଭାବରେ ଜୀବନ ଯାପନ କରିବାକୁ ସେ ଲାଳାୟିତ । ତାର ଏହି ବେପରୁଆ ଭାବ ଏହି ଅସାବଧାନତା ତାକୁ ବିପଦରେ ପକାଇଲା, ସର୍ବସ୍ୱାନ୍ତ କଲା, କିନ୍ତୁ ବଡ଼ ଭାଇର ଏସବୁ କିଛି ନାହିଁ । ବଡ଼ ଭାଇ ଯଦିବା ବାହାରକୁ ଦେଖିବାକୁ ବାପର ବାଧ୍ୟ ସନ୍ତାନ, ଘର ଛାଡ଼ି କୁଆଡ଼େ ଯାଉ ନାହିଁ, ତଥାପି ସେ ଆପଣାକୁ ଭୀରୁ ବୋଲି ପ୍ରମାଣ କରୁଛି । ଏ ବଡ଼ ଭାଇଟି ଆଜିକାଲିକା ସମାଜର ଭଦ୍ରଲୋକ ପରି । ଏହାର ତଥାକଥିତ ଉତ୍ତମ ଆଚରଣରେ କୌଣସି ନୈତିକ କୃତିତ୍ୱ ନାହିଁ, କାରଣ ଏହାର ସାହସ ନାହିଁ ଭିତରର ମନ୍ଦତାକୁ ବାହାରେ ପ୍ରକାଶ କରିବାକୁ । ଯଦି ଏପରି ଚରିତ୍ରକୁ ନିର୍ମଳ କୁହ, ତାହାହେଲେ (ମୁଁ ଯେପରି ପୂର୍ବରେ କହିଛି) ଏହା ହେଉଛି ମରୁଭୂମିର ବାଲୁକାରାଶିରେ ଯେଉଁ ନିର୍ମଳତା ଥାଏ ତାରିପରି ମାରାତ୍ମକ, ଉର୍ବରତା ଏଥିରେ ନାହିଁ ।

 

ନୀତିଜଗତର ଓଲଟା ନିୟମକୁ ଦେଖ । ଯେ ପୁଅ ବାପଘରୁ ନିଜର ଭାଗ ନେଇ ନାନାଦି ନୀତିବିଗର୍ହିତ କାର୍ଯ୍ୟରେ ଉଡ଼ାଇଲା ସେ ଯେତେବେଳେ ସର୍ବସ୍ୱାନ୍ତ ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ହୋଇ ନିତାନ୍ତ ଦୀନଦଶାରେ ଫେରି ଆସିଲା, ତାର ଆଦର ଅଭ୍ୟର୍ଥନାର ଆନନ୍ଦରେ ଗୃହ ମୁଖରିତ ହୋଇ ଉଠିଲା; କିନ୍ତୁ ଯୋଉ ପୁଅ ସଦାବେଳେ ଘରେ ରହିଲା ତାର ମଧ୍ୟ ନିଜର ବନ୍ଧୁମାନଙ୍କ ସଙ୍ଗରେ ମଉଜ ମଜଲିସ କରିବାକୁ ସାନ ଭାଇପରି ଷୋଳପଣ ଇଚ୍ଛା ଥିଲା, କିନ୍ତୁ ତା କରିବାକୁ ସାହସ ନ ଥିଲା । ଅପବ୍ୟୟୀ ତାର ସାହସ ଏବଂ ଧୃଷ୍ଟତା ଦ୍ୱାରା ପ୍ରାୟ ନିଜକୁ ମାରି ପକାଇଥିଲା, କିନ୍ତୁ ଏହାହିଁ ହେଲା ନୂତନ ଜୀବନ ମଧ୍ୟରେ ପ୍ରବେଶ କରିବାପାଇଁ ତା ପକ୍ଷରେ ସୋପାନ ସ୍ୱରୂପ । ଆଉ ତାର ନବଜୀବନ ଲାଭର କଥା ବାପ ପକ୍ଷରେ ବଡ଼ ପୁଅକୁ ଦବାକୁ ମସ୍ତ ବଡ଼ କୈଫିୟତ ହେଲା, ଯେତେବେଳେ ବଡ଼ ପୁଅ ବଚସା କରିବାକୁ ଆରମ୍ଭ କଲା । ବଡ଼ ପୁଅ ଐଶ୍ୱର୍ଯ୍ୟ ମଧ୍ୟରେ ରହି ସୁଦ୍ଧା ନିଜ ଜୀବନର ଦୀନତା ଭୁଲିପାରିଲା ନାହିଁ, ପ୍ରାଚୁର୍ଯ୍ୟରେ ପରିବେଷ୍ଟିତ ହୋଇ ସୁଦ୍ଧା ତାର ବୁଭୁକ୍ଷା ଗଲା ନାହିଁ ।

 

ଅତଏବ, ହେ ଯୁବକ ଈଶ୍ୱର କରନ୍ତୁ ଧାର୍ମିକ ଜୀବନ ଯାପନ କରିବା ନିମନ୍ତେ ଏହି ଯେଉଁ ନିମନ୍ତ୍ରଣ ତୁମ ପାଖରେ ପହୁଞ୍ଚିଛି, ସେ ନିମନ୍ତ୍ରଣର ମର୍ଯ୍ୟାଦା ଯେପରି ତୁମେ ବୁଝିବ, ତୁମେ ଯେପରି ଆଖି ଫିଟାଇ ଦେଖିବ ଏ ଜୀବନ ମଧ୍ୟରେ କି ନିଧି କି ପ୍ରାଚୁର୍ଯ୍ୟ ଅଛି ଏବଂ ଏହି ଜୀବନ ଯାପନ କରିବା ନିମନ୍ତେ ତୁମେ ଯେପରି ସର୍ବସ୍ୱ ପଣ କରିବ; କାରଣ ମନେରଖ, ଏହା ଅସମସାହସିକର କାର୍ଯ୍ୟ, ଏ ଜୀବନ ପାଇବା ନିମନ୍ତେ ସର୍ବସ୍ୱ ପଣ କରି ନ ପାରିଲେ ଜୀବନର ଗଭୀରତା ଉପଲବ୍ଧି ହେବ ନାହିଁ କି ଧର୍ମର ବାସ୍ତବତାକୁ ବୁଝି ହେବ ନାହିଁ ।

Image

 

ପୁନରୁତ୍ଥାନ ପ୍ରଭାତ*

 

କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ କବର ପାଖରେ ଆସି ଛିଡ଼ା ହୋଇ ରହିଲା, ଏବଂ ରୋଦନ କରୁ କରୁ ନଇଁ ପଡ଼ି କବର ଭିତରକୁ ଅନାଇଲା; ଆଉ ଦେଖିଲା, ଶୁକ୍ଳବସ୍ତ୍ର ପରିହିତ ଦୁଇଜଣ ସ୍ୱର୍ଗଦୂତ ଯୀଶୁଙ୍କର ଦେହ ଯେଉଁ ସ୍ଥାନରେ ରଖା ହୋଇଥିଲା ଜଣେ ତାହାର ମୁଣ୍ଡ ପାଖରେ ଏବଂ ଆର ଜଣକ ଗୋଡ଼ ପାଖରେ ବସିଛନ୍ତି । ସେମାନେ ତାହାକୁ କହିଲେ, ନାରୀ, ରୋଦନ କରୁଛ କାହିଁକି ? ସେ ସେମାନଙ୍କୁ କହିଲା, ଲୋକମାନେ ମୋର ପ୍ରଭୁଙ୍କୁ ନେଇ ଯାଇଛନ୍ତି, କୋଉଠି ରଖିଛନ୍ତି, ଜାଣି ନାହିଁ । ଏହା କହି ପଛଆଡ଼କୁ ମୁହଁ ଫେରାଇଲା, ଆଉ ଦେଖିଲା, ଯୀଶୁ ଛିଡ଼ା ହୋଇଛନ୍ତି, କିନ୍ତୁ ଚିହ୍ନି ପାରିଲା ନାହିଁ ଯେ ସେ ଯୀଶୁ । ଯୀଶୁ ତାକୁ କହିଲେ, ନାରୀ ରୋଦନ କରୁଛ କାହିଁକି, କାହାର ଅନ୍ୱେଷଣ କରୁଛ ? ସେ ତାହାଙ୍କୁ ଉଦ୍ୟାନର ମାଳୀ ମନେ କରି କହିଲା, ମହାଶୟ, ଆପଣ ଯେବେ ତାଙ୍କୁ ନେଇ ଯାଇଥାନ୍ତି, ମୋତେ କହନ୍ତୁ, କୋଉଠି ରଖିଛନ୍ତି; ମୁଁ ତାଙ୍କୁ ନେଇଯିବି । ଯୀଶୁ ତାକୁ କହିଲେ, ମରିୟମ । ସେ ଫେରି ଏବ୍ରୀ ଭାଷାରେ ଉତ୍ତର ଦେଲା, ରବ୍ବନୀ ! (ଏହାର ଅର୍ଥ, ହେ ଗୁରୁ !) ଯୀଶୁ ତାହାକୁ କହିଲେ, ମୋତେ ସ୍ପର୍ଶ କର ନାହିଁ ।

 

*୨୧-୪-୩୫ ଅର୍ଥାତ୍‌ ଇଷ୍ଟର ରବିବାରର (Easter Sunday) ଉପାସନାରେ ପ୍ରଦତ୍ତ ବକ୍ତୃତା ।

 

ପ୍ରଭୁଙ୍କର ଏହି ଦୁଃଖଭୋଗର ସପ୍ତାହରେ ମନ ସ୍ୱଭାବତଃ ପ୍ରଭୁଙ୍କର ଦୁଃଖଭୋଗ ଓ କ୍ରୂଶୀୟ ମୃତ୍ୟୁର ଗଭୀର ଅର୍ଥ ବୁଝିବାକୁ ଇଚ୍ଛା କରେ । ପ୍ରଭୁଙ୍କ ଦୁଃଖଭୋଗ ବିଷୟ ଚିନ୍ତା କଲାବେଳେ ଖ୍ରୀଷ୍ଟଧର୍ମର ଗୋଟିଏ ମୂଳଗତ ବିଷୟ ଆଖିରେ ପଡ଼େ । ତାହା ହେଉଛି ଯେ ଜଗତର ଈଶ୍ୱର, ଯେ ଆମ୍ଭମାନଙ୍କର ପରମପିତା, ସେ ଦୁଃଖ ଅନୁଭବ କରନ୍ତି, ଆମର ଦୁଃଖରେ ଏବଂ ଆମର ସୁଖରେ ସେ ଉଦାସୀନ ନ ରହି ଆମ୍ଭମାନଙ୍କ ସାଙ୍ଗରେ ଏବଂ ଆମ୍ଭମାନଙ୍କ ପାଇଁ ସେ ମଧ୍ୟ ଦୁଃଖ ଏବଂ ସୁଖ ଅନୁଭବ କରନ୍ତି । ଏଇଠି ଖ୍ରୀଷ୍ଟଧର୍ମରେ ଈଶ୍ୱରଙ୍କ ପ୍ରତି ବ୍ୟକ୍ତିତ୍ୱ ଆରୋପ କରିବାର ସାର୍ଥକତା । ଦର୍ଶନ ହିସାବରେ ଏହାର ଯୋଉ ଯୁକ୍ତିଯୁକ୍ତତା ଥାଉ ନା କାହିଁକି, ମାନବର ଦୈନନ୍ଦିନ ଜୀବନ ନିର୍ବାହରେ ଏହାର ଯେ ଯଥେଷ୍ଟ ସାର୍ଥକତା ଅଛି, ଏ ଚିନ୍ତାରେ ଯେ ଯଥେଷ୍ଟ ସାନ୍ତ୍ୱନା ଏବଂ ଶାନ୍ତି ଅଛି ସେଥିରେ କୌଣସି ସନ୍ଦେହ ନାହିଁ । ଷ୍ଟୋଇକ୍‌ (Stoic) ଦୁଃଖକୁ ଅଲଙ୍ଘନୀୟ ଜାଣି ନିର୍ବିକାରଚିତ୍ତରେ ସହିବାକୁ ଚେଷ୍ଟା କରେ, ଏପିକୁରିୟନ (Epicurean) ଦୁଃଖକୁ ଏଡ଼େଇ ସୁଖଭୋଗରେ ଲିପ୍ତ ରହିବାକୁ ଚେଷ୍ଟା କରେ, କେହି ସୁଖଦୁଃଖର ଘାତପ୍ରତିଘାତରେ ମୋହମାୟାର ମରିଚିକା ଦେଖି ଉଭୟର ଅସ୍ତିତ୍ୱ ଅସ୍ୱୀକାର କରିବାକୁ ଚେଷ୍ଟା କରେ, କେହି ଅବା ଭାଗ୍ୟର ବିଡ଼ମ୍ୱନା ଭାବି ଅବନତ ମସ୍ତକରେ ମାନିନିଏ; କିନ୍ତୁ ଖ୍ରୀଷ୍ଟିୟାନ ପ୍ରଭୁଙ୍କର ଦୁଃଖଭୋଗ ଏବଂ ମୃତ୍ୟୁର ଦୁଃଖରେ ଆନନ୍ଦ କରିବାର ଅବକାଶ ପାଏ, ଏବଂ ମୃତ୍ୟୁ ମଧ୍ୟରେ ଅମୃତର ସୋପାନ ଦେଖେ, ପୁନରୁତ୍ଥାନର ପଥ ଏବଂ ଜୟର ରାଜମାର୍ଗ ଆବିଷ୍କାର କରେ ।

 

ପ୍ରଭୁଙ୍କର ପୁନରୁତ୍ଥାନ ଜୟର ନିଦର୍ଶନ । ଏ ଜୟ ଦୁଃଖ, ଶୋକ ଏବଂ ମୃତ୍ୟୁ ଉପରେ । ଏହାକୁ Miracle ଅବା ଆଶ୍ଚର୍ଯ୍ୟ ଘଟଣା କହିପାର, କିନ୍ତୁ ଏଥିରେ ଅଯୌକ୍ତିକ କିଛି ନାହିଁ । ଲାଜାରର କବର ସମ୍ମୁଖରେ ଛିଡ଼ା ହୋଇ ପ୍ରଭୁ ମାର୍ଥାକୁ କହିଥିଲେ, ‘ମୁଁ ପୁନରୁତ୍ଥାନ ଏବଂ ଜୀବନ-।’ ପ୍ରଭୁଙ୍କର ଜୀବନ ଯେ ଆଶ୍ଚର୍ଯ୍ୟ ରକମର ଥିଲା ସେ ବିଷୟରେ ତାଙ୍କର ପୁନରୁତ୍ଥାନ ଅବିଶ୍ୱାସ କରେ ଯେଉଁ ଲୋକ ତାହାର ମଧ୍ୟ ସନ୍ଦେହ ଦେଖାଯାଏ ନାହିଁ । ଏପ୍ରକାର ଅବିଶ୍ୱାସୀର କେବଳ ଗୋଟିଏ ବିଷୟରେ ଭୁଲ୍‍ ହୋଇଥାଏ; ଜୀବନ ଏବଂ ପୁନରୁତ୍ଥାନ ମଧ୍ୟରେ କାର୍ଯ୍ୟ-କାରଣର ସମ୍ୱନ୍ଧ ସେ ଦେଖେ ନାହିଁ । ପ୍ରଭୁଙ୍କର ଯେଉଁ ଜୀବନ ସେ ଜୀବନର ଅବସାନ ମୃତ୍ୟୁରେ ହୋଇପାରେ ନାହିଁ, ସେ ଜୀବନ ମରଣରେ ଶେଷ ପାଇବାର ନୁହେଁ । ମରଣ ହେଉଛି ସେ ଜୀବନର ଜୟଯାତ୍ରାରେ ଗୋଟିଏ ମାଇଲ-ଖୁଣ୍ଟ, ସେ ଜୀବନର ଅଭିବ୍ୟକ୍ତିରେ ଗୋଟିଏ ସ୍ତର । ପ୍ରଭୁଙ୍କର ପୁନରୁତ୍ଥାନ ଯେ ବିସ୍ମୟକର ସେଥିରେ ସନ୍ଦେହ ନାହିଁ, କିନ୍ତୁ ଅପ୍ରାକୃତିକ ସେଥିରେ କିଛି ନାହିଁ । ଗୋଲାପ ଫୁଟିବା ପୂର୍ବରୁ ଗୋଲାପ ଗଛରେ କଣ୍ଟାର ଅଭ୍ୟୁଦୟ ଏହାହିଁ କ୍ରମବିକାଶର ପ୍ରାକୃତିକ ନିୟମ । ଗୋଲାପ ଗଛର ସାର୍ଥକତା କଣ୍ଟା ଉତ୍ପାଦନ କରିବାରେ ନାହିଁ; ଫୁଲ ଫୁଟିବାରେ ଅଛି; ଯଦିବା କଣ୍ଟା ତାର ବିବର୍ତ୍ତନର ଗୋଟାଏ ସ୍ତର । ଉଦ୍ଭିଦ ଜଗତରେ ଏହି ଅଭ୍ୟୁତ୍ଥାନ ବା ପୁନରୁତ୍ଥାନର ନିୟମ କାର୍ଯ୍ୟ କରୁଅଛି । ବୀଜ ମାଟିରେ ନ ପଡ଼ିଲେ ଏକାକୀ ଥାଏ, ପଡ଼ିଲେ ମରେ, ପୁଣି ଅଙ୍କୁରରେ ପୁନରୁତ୍ଥିତ ହୁଏ । ଫୁଲ ଯେଡ଼େ ସୁନ୍ଦର ହେଉନା କାହିଁକି, ନିଜର ସୌନ୍ଦର୍ଯ୍ୟକୁ ବଳି ଦେଇ ଫଳରେ ପରିବର୍ତ୍ତିତ ହୁଏ । ଚରିତ୍ରରେ ଯାହା କିଛି ଉତ୍ତମ ଯାହା କିଛି ସୁନ୍ଦର ତାର ଶେଷ ପରିଣାମ କଣ ମୃତ୍ୟୁରେ ? ତୁମର କ୍ଷମତା ଭିତରେ କଣ ତୁମେ ଉତ୍ତମକୁ ଅଧମ ଦ୍ୱାରା ପରାଜିତ ହେବାକୁ ଦିଅ ? ମାନବ ଜୀବନର ଶେଷ ଯଦି ମୃତ୍ୟୁ ହୁଅନ୍ତା, ତେବେ ସ୍ୱାର୍ଥତ୍ୟାଗୀ ଜୀବନର ମୂଲ୍ୟ କଣ ? ତାହାହେଲେ କହିବାକୁ ହୁଅନ୍ତା ଏ ଜଗତ ଗୋଟାଏ ମସ୍ତ ପାଗଳର କାରଖାନା । ଏ ଜଗତର ଶାସନରେ ଯଦି କିଛି ନୈତିକ ନିୟମ ଥାଏ, ତାହାହେଲେ କହିବାକୁ ହେବ ଯେ ଯେଉଁ ଜୀବନ ପ୍ରଭୁ ଯାପନ କରିଥିଲେ ତାହାର ଶେଷ କେତେବେଳେ ମରଣରେ ହୋଇ ପାରେ ନା । ସେଥିପାଇଁ ପାଉଲ କହିଥିଲେ ଯଦି ପ୍ରଭୁ ଯୀଶୁଙ୍କର ଉତ୍ଥାନ ହୋଇନାହିଁ ତାହାହେଲେ ଆମ୍ଭମାନଙ୍କର ବିଶ୍ୱାସ ବୃଥା ।

 

ଅବଶ୍ୟ ପ୍ରଭୁଙ୍କର ପୁନରୁତ୍ଥାନକୁ ଆଶ୍ଚର୍ଯ୍ୟଜନକ ବ୍ୟାପାର କହିପାର, କିନ୍ତୁ ଭୁଲ୍‍ ବୋଲି କୁହନା । ଯଦି କୁହ ପ୍ରଭୁଙ୍କର ପୁନରୁତ୍ଥାନରେ ଖ୍ରୀଷ୍ଟିୟାନର ବିଶ୍ୱାସ ଭୁଲ୍‍, ତାହାହେଲେ ଏହି ଭୁଲ୍‍ କରିବା ଈଶ୍ୱରଙ୍କର ଚିରନ୍ତନ ପ୍ରଥା, ବିଶେଷ କରି ଯେତେବେଳେ ଗୋଟିଏ ନିମ୍ନସ୍ତରର ଜୀବନକୁ ଉଚ୍ଚସ୍ତରର ଜୀବନରେ ସେ ବିବର୍ତ୍ତିତ କରନ୍ତି । ପ୍ରଭୁଙ୍କର ଯେଉଁ ଜୀବନ ସାଧାରଣ ନିୟମରେ ଶେଷ ହେଲା ତାହା ଅନ୍ୟ ଉନ୍ନତ ସ୍ତରକୁ ଯାଇ ବାଧାବନ୍ଧନବିହୀନ ଈଶ୍ୱରତ୍ୱରେ ଆପଣାକୁ ପ୍ରକାଶ କଲା । ଏହିପରି ଅନେକ ଆଶ୍ଚର୍ଯ୍ୟ ଘଟଣା ଏହି ମାନବ ଜୀବନରେ ଘଟୁଛି । ମାନବର ଆତ୍ମା ବୋଲି ଯେଉଁ ବିଷୟ ତାହାର ସୃଷ୍ଟି କଣ ପ୍ରାକୃତିକ ନିୟମ ପରମ୍ପରାରେ ପ୍ରମାଣିତ ହୁଏ, ଏବଂ ସେହି ମାନବାତ୍ମା ଯେତେବେଳେ କୁ କୁ ଛାଡ଼ି ଆମୂଳଚୂଳ ସୁ ରେ ପରିଣତ ହୁଏ ତାହାର କାରଣ କଣ ପ୍ରାକୃତିକ ବା ସାଧାରଣ ନିୟମ ପରମ୍ପରାରେ ପାଇବ ? ସେହିପରି ଜଗତର ପରିତ୍ରାଣ ପାଇଁ ପ୍ରଭୁଙ୍କର ଯେଉଁ ମରଣଭୋଗ ତାହା ତାଙ୍କର ଶ୍ରେଷ୍ଠ ମାନବିକତା ଯେପରି ପ୍ରମାଣ କରୁଛି ତାଙ୍କର ମୃତ୍ୟୁରୁ ପୁନରୁତ୍ଥାନ ସେହିପରି ତାଙ୍କର ଈଶ୍ୱରତ୍ୱ ପ୍ରମାଣ କରୁଛି ।

 

ଆଜି ଏହି ପୁନରୁତ୍ଥାନ ପ୍ରଭାତରେ ତୁମେ କଣ ଦେଖୁଛ, କଣ ଖୋଜୁଛ ? ଆଜି ତୁମେ ପ୍ରଭୁଙ୍କୁ କିପରି ଅନ୍ୱେଷଣ କରୁଛ ? ତାଙ୍କୁ କଣ ଈଶ୍ୱର ବୋଲି ଗ୍ରହଣ କରୁଛ ? ନା ମରିୟମ ପରି ତାଙ୍କର ମୃତ୍ୟୁକୁଇ ତାଙ୍କର ଶେଷ ଭାବି କବରରେ ମୃତମାନଙ୍କ ମଧ୍ୟରେ ସେହି ଜୀବନର ଆଧାରଙ୍କୁ ଖୋଜୁଛ ? ପୁନରୁତ୍ଥାନ ପ୍ରଭାତରେ ଯେଉଁ କଥା ଜଗତରେ ପ୍ରଥମ କରି ତାଙ୍କ ମୁହଁରୁ ବାହାରିଥିଲା ତାହା ହେଉଛି ଦୁଇଟି ପ୍ରଶ୍ନ ଯାହା ସେ ଶୋକାକୁଳ ମରିୟମକୁ ପଚାରିଥିଲେ । ‘‘ତୁମେ କାହିଁକି କାନ୍ଦୁଛ ? ତୁମେ କାହାର ଅନ୍ୱେଷଣ କରୁଛ ?’’ ଏ ପ୍ରଶ୍ନ ଏ ଯାବତ୍‌ ଜଗତରେ ପ୍ରତିଧ୍ୱନିତ ହେଉଛି ଭକ୍ତ ଏବଂ ସାଧକର ହୃଦୟରେ । ତୁମେ ଦୁଃଖ ଦୈନ୍ୟ ଏବଂ ମୃତ୍ୟୁ ସମ୍ମୁଖରେ କାହିଁକି କାନ୍ଦୁଛ ତୁମେ କାହାର ଅନ୍ୱେଷଣ କରୁଛ ? ଯେ ପ୍ରେମ ସତ୍ୟ ଏବଂ ନିତ୍ୟ, ଅନିତ୍ୟ ମଧ୍ୟରେ ତାହାର ବିକାଶ ସିନା ହୁଏ; କିନ୍ତୁ ତାହାର ସ୍ୱରୂପ ଯେ ଶାଶ୍ୱତ, ଅନିତ୍ୟ ନୁହେଁ, ହେ ସାଧକ ଏହି ସତ୍ୟ ହୃଦୟଙ୍ଗମ କରିବା ସିନା ତୁମର ସମସ୍ତ ଦୁଃଖଭୋଗକୁ ସାଫଲ୍ୟ ମଣ୍ଡିତ କରେ । ମରିୟମ ଚାହିଁଥିଲା ପ୍ରଭୁଙ୍କର ଶରୀର ଦେଖିବାକୁ, ମୃତ ହେଲେ ମଧ୍ୟ ତାହାରି ସେବା କରିବାକୁ । ପ୍ରଭୁ ଜାଣିଥିଲେ କେବଳ ଅତୀତ ସମ୍ୱନ୍ଧର ସ୍ମୃତି ତାଙ୍କ ପ୍ରତି ଭକ୍ତିକୁ ଜାଗ୍ରତ ରଖିବା ବିଷୟରେ ତେତେ ସୁଦୃଢ଼ ଅବଲମ୍ୱନ ନୁହେଁ । ସେ ଭକ୍ତ ସହିତ ଯେଉଁ ସମ୍ୱନ୍ଧ ସ୍ଥାପନ କରିବାକୁ ଚାହାଁନ୍ତି, ବିଶେଷତଃ ତାଙ୍କ ପୁନରୁତ୍ଥାନପରେ, ସେ ସମ୍ୱନ୍ଧ ଶରୀର ସମ୍ୱନ୍ଧୀୟ ନୁହେଁ କି ବାହ୍ୟତଃ ଦୃଶ୍ୟମାନ ମୂର୍ତ୍ତି ନୁହେଁ । ସେ ହେଉଛି ତାଙ୍କର ସେହି ଜୀବନ୍ତ ସଦାଜାଗ୍ରତ ଆତ୍ମିକ ଅଭିବ୍ୟକ୍ତି ଯାହା ଭକ୍ତର ହୃଦୟକୁ ଅସୀମ ଆକାଶପରି ବେଷ୍ଟନ କରି ରହିଅଛି । ଯେ ଅରୂପ-ରୂପ, ରୂପର ସେହି ସାଗର ସମୟାନୁକ୍ରମେ ରୂପବିଶେଷରେ ଆବିର୍ଭୂତ ହୋଇଥିଲେ, ଯେପରି ତୁମର ଏବଂ ମୋର କେବଳ ବୋଧଗମ୍ୟ ହୁଅନ୍ତି ତାହା ନୁହେଁ, ମାତ୍ର ତଦ୍ଦ୍ୱାରା ଯେପରି ତୁମେ ଏବଂ ମୁଁ ତାଙ୍କର ସେହି ଅଧ୍ୟାତ୍ମ ରୂପରସର ଆସ୍ୱାଦନ ପାଉଁ ଏବଂ ତାଙ୍କର ସେହି ଅଧ୍ୟାତ୍ମ ରୂପକୁ ଆମ୍ଭମାନଙ୍କ ସାଧନା ପଥରେ ଭକ୍ତି, ପ୍ରୀତି, ଧ୍ୟାନ, ଧାରଣାର ସମ୍ୱଳ କରୁଁ । ସେ କହିଥିଲେ, ଈଶ୍ୱର ଆତ୍ମା, ତାଙ୍କର ଯଥାବିହିତ ଉପାସନା ଆତ୍ମା ଏବଂ ସତ୍ୟରେ କରିବାକୁ ହେବ । ସେଥିପାଇଁ କଣ ପ୍ରଭୁ ମରିୟମକୁ ଅନୁମତି ଦେଲେ ନାହିଁ ତାଙ୍କ ସମ୍ୱନ୍ଧରେ ବାହ୍ୟେନ୍ଦ୍ରିୟଗୋଚର ଜ୍ଞାନଲାଭ କରିବାକୁ ?

 

ବାସ୍ତବିକ ଏ ଆଖିର ଦେଖା କଣ ପ୍ରକୃତ ଦେଖା, ଏ କାନର ଶୁଣା କଣ ପ୍ରକୃତ ଶୁଣିବା-? ଯେଉଁ ଦେଖିବା ଇଚ୍ଛାର ଉତ୍ସ କେବଳ ଆଖିରେ, ସେ ଉତ୍ସ ଅନର୍ଗଳ ଅଭ୍ୟାସ ଦାଉରେ ଶୀଘ୍ର ଶୁଖି ଯାଏ, ଯେଉଁ ରୂପତୃଷ୍ଣାର ଜନ୍ମ ଆଖିରେ ତାର ବିରକ୍ତି ଜନ୍ମିବାକୁ ମଧ୍ୟ ବେଶୀ ସମୟ ଲାଗେ ନାହିଁ । କେବଳ ବାହୁର ନିବିଡ଼ ଆଲିଙ୍ଗନରେ ଯାହା ଅଧିକାର କରିବାକୁ ଚେଷ୍ଟା କର ସେହି ଅଧିକାର କଣ ଅନେକ ସମୟରେ ଅନାଦର ଆଣେ ନାହିଁ ? ଏକଥା କଣ ଦେଖି ନାହଁ, ଯେଉଁ ବିବାହର ଆଶ୍ରୟଭୂମି ସ୍ତ୍ରୀର ରୂପସମ୍ଭାର ସେ ସମ୍ଭାର ନ ସରୁଣୁ ସ୍ୱାମୀର ପ୍ରଣୟପ୍ରବାହ ଶୁଖିବାକୁ ଆରମ୍ଭ କରେ କେବଳ ଅଧିକାର ଅଭ୍ୟାସଗତ ହୋଇପଡ଼େ ବୋଲି । ସେଥିପାଇଁ ଘରର ସ୍ୱର୍ଣ୍ଣପ୍ରତିମା ଘର ଉଜ୍ଜ୍ୱଳ କରିଥିଲେ ସୁଦ୍ଧା ରୂପପାୟୀ ଯୁବକ ଅନ୍ୟତ୍ର ଅନ୍ୟ ପ୍ରକାର ରୂପର ସନ୍ଧାନ ନିଏ, ସେରୂପ ନିଜ ସ୍ତ୍ରୀର ରୂପଠାରୁ ନିକୃଷ୍ଟତର ହେଲେ ସୁଦ୍ଧା ଏହାର କାରଣ ହେଉଛି କେବଳ ଆଖିର ଦେଖା ଦେଖା ନୁହେଁ । ଏ ଚର୍ମଚକ୍ଷୁରେ, ଯେଉଁ ରୂପଟି ଶାଶ୍ୱତ, ମଙ୍ଗଳମୟ, ସ୍ତ୍ରୀର ସେହି ରୂପ ଦେଖାଯାଏ ନାହିଁ । ପ୍ରଭୁଙ୍କର ବାକ୍ୟ କହୁଛି, ଯାହା ଦେଖାଯାଏ ତାହା ଅନିତ୍ୟ, କିନ୍ତୁ ଯାହା ଆଖିରେ ଦିଶେ ନାହିଁ ତାହା ଅନନ୍ତକାଳସ୍ଥାୟୀ । ପ୍ରଭୁ ଚାହିଁଥିଲେ ତାଙ୍କର ମୃତ୍ୟୁପରେ ମରିୟମ ଏବଂ ତାଙ୍କର ଶିଷ୍ୟମାନେ ତାଙ୍କର ସେହି ଅବିନଶ୍ୱର ଅନନ୍ତକାଳସ୍ଥାୟୀ ଆଧ୍ୟାତ୍ମିକ ଦର୍ଶନ ଲାଭ କରନ୍ତୁ । ସେଥିପାଇଁ ସେ ଥୋମାକୁ କହିଥିଲେ ଯେଉଁମାନେ ନ ଦେଖି ବିଶ୍ୱାସ କରନ୍ତି ସେମାନେ ଧନ୍ୟ । ସେଥିପାଇଁ ‘ଇମାୟୂ’ଗାମୀ ଦୁଇଶିଷ୍ୟଙ୍କର ବିଶ୍ୱାସ ଚକ୍ଷୁ ଫିଟାଇବା ପାଇଁ ଶାସ୍ତ୍ର ବ୍ୟାଖ୍ୟା କରିଥିଲେ । ଆହା ! ପ୍ରଭୁଙ୍କର ସେହି ଶାଶ୍ୱତରୂପ ଯେ ଦେଖେ ବିଶ୍ୱାସ-ନୟନରେ ନିଜ ଆତ୍ମାରେ, ତାର ଆଖିରୁ ଜଗତର ଆଲୁଅ ଲିଭିଗଲେ ସୁଦ୍ଧା ସେହି ଆଧ୍ୟାତ୍ମିକ ଅପରୂପ ରୂପ ତାର ହୃଦୟ ସମ୍ମୁଖରେ ଚିରବିରାଜିତ । ଏହି ଜାଗ୍ରତ ଜୀବନ୍ତ ବିଶ୍ୱାସ ଧର୍ମର ଗୋଟିଏ ମୂଳଗତ ବିଷୟ । ଅତଏବ ଆସୁ ଆଜି ଏହି ପୁଣ୍ୟ ପ୍ରଭାତରେ ପ୍ରଭୁଙ୍କର ମୃତ୍ୟୁଞ୍ଜୟୀ ମୂର୍ତ୍ତି ହୃଦୟରେ ଦେଖୁଁ, ବିଶ୍ୱାସରେ ହୃଦୟରେ ସ୍ଥାପନ କରୁଁ, ଜୀବନର କେନ୍ଦ୍ରରେ ରଖି ସମସ୍ତ ଜୀବନକୁ ନିୟମିତ କରିବାକୁ ତାଙ୍କୁ ଏକାଧିପତ୍ୟ ଦେଉଁ । ତାହାହେଲେ ତାଙ୍କର ମୃତ୍ୟୁ ଏବଂ ପୁନରୁତ୍ଥାନ ଆମ୍ଭମାନଙ୍କ ସକାଶେ ସାର୍ଥକ ହେବ ।

Image